Latest Odisha News

BREAKING NEWS

ଅନୁଗୁଳରେ ପ୍ରତିଷ୍ଠା ହେଉ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ ରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ଯେ, କ୍ଷୁଦ୍ର ଆଧାରିତ ଶିଳ୍ପ ପାଇଁ ପ୍ରଡକ୍ସନ, ଡିଜାଇନ, କନ୍ସଲଟାନ୍ସି ପ୍ରଦାନ କରିବା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ଟୁଲ ରୁମ ଏବଂ ଟୁଲ ଡିଜାଇନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ ରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି) ଦେଶର ୧୦ତମ ଟିଆର/ଟିଡି ମଧ୍ୟରେ ଥିବାବେଳେ ଏହାର ସମ୍ପ୍ରସାରଣ କେନ୍ଦ୍ର ଯାଜପୁର ଏବଂ ରାୟଗଡାରେ ରହିଛି । ଏହି କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବ ସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି, ଯାହା କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳ ଠାରେ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ଥାନୀୟ ଅଂଚଳରେ ନିଯୁକ୍ତିଭିତିକ ଜ୍ଞାନକୌଶଳ ତାଲିମ ଦେବାର ସୁବିଧା ପ୍ରଦାନ କରିବ । ଅନୁଗୁଳ ସହରରେ ଛୋଟ ବଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ଉଚ୍ଚମାନର ଟୁଲର ଡିଜାଇନ, ବିନିର୍ମାଣର ବିକାଶ କରିବା ସହ ଅନେକ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅନୁଗୁଳରେ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଅଂଚଳରେ ମାନବସମ୍ବଳର ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ତଥା ଅନୁଗୁଳରେ ପ୍ରସ୍ତାବିତ ଭୁବନେଶ୍ୱର ସିଟିଟିସିର ସଂପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.