ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିଛି । ସେ ପୂର୍ବରୁ ଯେଉଁ ବିଭାଗରେ ରହିଥିଲେ ସେହି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ । ସବୁଠାରୁ ବଡ଼କଥା ହେଲା ଏବେ ଇସ୍ପାତ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ଧର୍ମେନ୍ଦ୍ର ପ୍ରଧାନଙ୍କୁ ।
ଅନ୍ୟପକ୍ଷରେ ଓଡ଼ିଶାରୁ ମୋଦୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅନ୍ୟତମ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଦାୟିତ୍ୱ ସହିତ ପଶୁ ସମ୍ପଦ, ଗୋପାଳନ ଏବଂ ମତ୍ସ୍ୟପାଳନ ମନ୍ତ୍ରଣାଳୟର ଦାୟିତ୍ୱ ଅର୍ପଣ କରାଯାଇଛି ।
ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାର ୧୬ ଘଣ୍ଟା ପରେ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମୁଦାୟ ୫୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ମିଳିଥିବା ସୂଚନାନୁଯାୟୀ, ବରିଷ୍ଠ ନେତା ଅମିତ ଶାହା ଗୃହ ବିଭାଗ ଏବଂ ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ମିଳିଛି । ରାଜନାଥ ସିଂହଙ୍କୁ ମିଳିଛି ପ୍ରତିରକ୍ଷା ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ।
Comments are closed.