Latest Odisha News

BREAKING NEWS

ଓଢଣା

ଓଢଣା
ସଂଘମିତ୍ରା ରଥ

ୟେ କଣ, ଶାଶୁ ଉଠିପଡ଼ି ସକାଳୁ କାମରେ ଲାଗିଗଲେଣି। ପ୍ରଥମାଷ୍ଟମୀ ବୋଲି ସକାଳୁ ଉଠିବ ବୋଲି ଆଲାର୍ମ ଦେଇ ଶୋଇଥିଲା ରିନି। କିନ୍ତୁ ତା ପୂର୍ବରୁ ଉଠି ପଡିଲେଣି ଶାଶୁ। ଏଣ୍ଡୁରୀ ପିଠା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ତରତର ହେଇ ଗାଧୁଆ ଘର ଭିତରକୁ ପଶିଗଲା ରିନି।

ବାହାଘର ପରେ ପ୍ରଥମ ଥର ପାଇଁ ଶାଶୁଘରର ଯେଉଁ ପ୍ରଥାଟି ରିନି ଗ୍ରହଣ କରି ପାରିନଥିଲା, ସେ ହେଲା ସକାଳୁ ଗାଧେଇ ସାରି ଶାଶୁ ଶ୍ୱଶୁରଙ୍କ ଗୋଡ ଧୋଇ ପାଣି ପିଇବା। ଭକ୍ତି ଓ ସମ୍ମାନ କୌଣସି ପ୍ରଥା ଦ୍ୱାରା ଗଢ଼ା ଯାଇ ପାରେନି! ସେ ଏକ ଆତ୍ମନିସୃତ ଭାବନା, ଯାହା ମନ ମଧ୍ୟରେ ଆପେ ତିଆରି ହେଇଯାଏ।

ଉଚ୍ଚଶିକ୍ଷିତ ପରିବାର, ଏକ ସହରୀ ସଭ୍ୟତାରୁ ରିନି ଆସିଥିଲା ଆକାଶଙ୍କ ହାତ ଧରି ଏଇ ଗାଁ କୁ। ବନ୍ଦାପନା ସାରି ଶାଶୁ ଯେତେବେଳେ ଘରକୁ ବାଟ କଢେଇନେଲେ ପଛରୁ କେହିଜଣେ, ଲେଖାରେ ଯାଆ ହେବେ, ହଠାତ ତା ଓଢଣାକୁ ଦୁଇ ହାତ ସାମ୍ନାକୁ ଟାଣିଦେଇ ଯେତେବେଳେ ତାକୁ ଅଧା ନଇଁବା ପାଇଁ ନିର୍ଦେଶ ଦେଲେ, ସେତେବେଳେ ହିଁ ସେ କଳ୍ପନା କରି ନେଇଥିଲା ପରିବାରର ପୁରୁଣା ପରମ୍ପରା ବିଷୟରେ। ତା ଆଖି ଆଗରେ ଭାସି ଉଠିଥିଲା ପିଲାଦିନେ ଦେଖିଥିବା କିଛି ଓଡ଼ିଆ ଚଳଚ୍ଚିତ୍ରରେ ଗାଁର ରୂପରେଖ । ଭକ୍ତି ଅପେକ୍ଷା ବେଶି ଭୟ ଘର କରି ନେଇଥିଲା ତା ଅଜାଣତରେ, ତା ମନ ମଧ୍ୟରେ। ଆକାଶଙ୍କ ଭଲପାଇବାରେ ପାଗଳ ହେଇ ବାପା ମାଁଙ୍କ ଆଗରେ ଜିଦ୍ଦି କରି ସେ ସିନା ଆକାଶଙ୍କ ନବବଧୂ ପାଲଟି ଗଲା, କିନ୍ତୁ ବୋହୁଟିଏର ଦାୟିତ୍ୱ ବଡ କଠିନ ପାଠ ଯେ!

ସମ୍ପୂର୍ଣ୍ଣ ବିପରୀତମୁଖୀ ଦୁଇଟି ପରିବାର ମଧ୍ୟରେ ଏକ ନୂଆ ସମ୍ପର୍କର ସୂତ୍ରପାତ ହେଇଥିଲା। ତା ଭିତରେ ରିନି ସଜେଇ ଚାଲିଥିଲା ଭୟମିଶା ସ୍ୱପ୍ନସବୁକୁ। ଭୁଲିଯାଇ ନଥିଲା ମାଆ ଶିଖେଇଥିବା ପରମ୍ପରା ଆଉ ଦାୟିତ୍ୱବୋଧ ବିଷୟରେ, ଯାହାକୁ ଆଧାର କରି ସେ କ୍ଷେତ୍ର ପ୍ରସ୍ତୁତ କରୁଥିଲା ସର୍ବଗୁଣସମ୍ପନ୍ନା ବୋହୂଟିଏ ହେବାପାଇଁ। ସେଇ ଭକ୍ତି ଆଉ ଭୟର ଦୋଦୁଲ୍ୟମାନ ଅବସ୍ଥାରେ ହିଁ ରିନିକୁ ଛାଡି ଆସିବାକୁ ହେଇଥିଲା ଶାଶୁଘର। ସୁଦୂର ମୁମ୍ବାଇରେ ଆକାଶଙ୍କ କର୍ମସଂସ୍ଥାନ। ରିନି ବାହାରି ଆସିଥିଲା ଏକ କଳାଧଳା ଦୁନିଆରୁ ରଙ୍ଗୀନ ସ୍ୱପ୍ନ ନଗରୀକୁ।

ରିଶିତାର ଜନ୍ମ ସମୟ। ନିହାତି କେହିଜଣେ ଏବେ ରିନି ପାଖରେ ରହିବା ଦରକାର। ରିନି କଥାରେ ଆକାଶ ଯାଇ ଗାଁରୁ ବାପା ବୋଉଙ୍କୁ ନେଇ ଆସିଛନ୍ତି। ସେଇ ଯେ ଶାଶୁ ଶ୍ୱଶୁରଙ୍କ ପାଖରେ ହାତଗଣତି ରହିଥିଲା ମାତ୍ର କୋଡିଏ ଦିନ। ଶାଶୁଙ୍କ ମୁଣ୍ଡରୁ ଓଢଣା ଖସିବା କେବେ ତା ନଜରକୁ ଆସିନି।

ବ୍ୟସ୍ତତା ଆଉ ଦୂରତା ଭିତରେ ମୁମ୍ବାଇ ବାନ୍ଧି ଦେଇଛି ଆକାଶ ଆଉ ରିନିକୁ। ଆଉ ଓଡିଶା ଯାଇ ପାରିନାହାନ୍ତି ସେମାନେ।

ଶାଶୁଙ୍କର ସେଇ ଓଢଣା ତଳର କୋମଳ ମନଟିଏ ଆଉ ଶ୍ୱଶୁରଙ୍କ ଗାମ୍ଭୀର୍ଯ୍ୟ ମୁଖ ତଳର ଶିଶୁସୁଲଭ ଚପଳତା ରିନି ଏବେ ଠିକ୍ ଅନୁଭବ କରି ପାରିଛି। କେତେ ଆଧୁନିକ ଏମାନେ। ଯୁଗ ସହିତ ତାଳ ଦେଇ କେତେ ସୁନ୍ଦର ନିଜକୁ ଯୁଗପଯୋଗୀ କରି ପାରିଛନ୍ତି। ଭୟ ନୁହେଁ ଏବେ କେବଳ ଭଲପାଇବା ଆଉ ଭକ୍ତି । ବୋହୂ ନୁହେଁ, ଶାଶୁ ତାକୁ ଝିଅ ପରି ଶ୍ରଦ୍ଧା କରନ୍ତି। ମାଆ ପରି ସବୁ ବୁଝେଇ ଦିଅନ୍ତି। ମାତୃତ୍ଵର ପରିଭାଷାରେ ପାଠ ପଢିଲା ବେଳକୁ ତାକୁ ଆହୁରି ଭକ୍ତି କରିବାକୁ ଇଚ୍ଛାହୁଏ ଶାଶୁଙ୍କୁ। ରିନିକୁ ଲାଗୁଛି ସେଇ କଳାଧଳା ଫିଲ୍ମ ହେଲେ ବି ଶାଶୁ ଶ୍ୱଶୁର ତାର ନାୟକ ନାୟିକା, ଯିଏ ଆଧୁନିକତାର ରଙ୍ଗରେ ନିଜକୁ ରଙ୍ଗେଇ ପାରନ୍ତି।

ରିନି ବଡଝିଅ ହେଲେବି ପ୍ରଥମାଷ୍ଟମୀ ଯାଏନି ବୋଲି କେବେ ବାପା ଘରେ ସେ ପଢ଼ୁଆଁ ହେଇ ନଥିଲା। କିନ୍ତୁ ଶାଶୁ କହିଥିଲେ ଏଥରକ ସେ ରିନିକୁ ଶିଖେଇଦେଇ ଯିବେ ପ୍ରଥମାଷ୍ଟମୀର ବିଧିବିଧାନ। ତା ପରେ ଯାଇ ସେ ମା’ଟିଏ ହେଲାପରେ ଏହି ପରମ୍ପରାକୁ ଚଳେଇ ନେଇ ପାରିବ। ଅର୍ଥାତ ଆଜି ରିନି ପାଇଁ ଘରେ ଅଷ୍ଟମୀର ଆୟୋଜନ।

ଗାଧୁଆଘରୁ ବାହାରି ତରତର ହେଇ ନୂଆ ଶାଢ଼ୀ ଖଣ୍ଡେ ପିନ୍ଧି ବାହାରି ଆସିଲା ରିନି। ମୁଣ୍ଡରେ ଓଢଣା । ଅଭ୍ୟାସ ନଥିବାରୁ ଝୁଣ୍ଟି ହେଇ ପଡୁଛି ସେ । ଆଜି ସେ ଶାଢ଼ୀ ପିନ୍ଧି, ମୁଣ୍ଡରେ ଓଢଣା ଦେଇ ଆସିଛି । ଠିକ୍ ଶାଶୁଙ୍କ ପରି। କିନ୍ତୁ ସମସ୍ତେ ତାକୁ ଦେଖି ହସୁଛନ୍ତି କାହିଁକି! ଏପଟ ସେପଟ ଥରେ ଭଲକି ଦେଖିନେଲା ପରେ ନିଜେ ଲାଜରେ ଜଳିଗଲା ରିନି । ହସି ହସି ଶ୍ୱଶୁର ଦୁଇଟି ନୂଆ ଡ୍ରେସ ରିନି ହାତକୁ ବଢ଼େଇ ଦେଉଛନ୍ତି । ଆକାଶ ବି ଠିଆ ହେଇ ହସୁଛନ୍ତି ପଛରେ। ଓଢଣାକୁ ସଜେଇ ଦେଇ ଶାଶୁ ହସିହସି ବାହାରି ଆସୁଛନ୍ତି ରୋଷେଇ ଘରୁ। ଗୋଟେ ପରିପୂର୍ଣ୍ଣ ଆବେଗ ରିନିକୁ ଗୋଟାପଣେ ଆବୋରି ନେଉଛି।

……………………………
ଲୁଧିଆନା, ପଞ୍ଜାବ

Leave A Reply

Your email address will not be published.