Latest Odisha News

BREAKING NEWS

କୁଡିଆ ଘରର କଣ୍ଟା କରିଦେଲା ପଙ୍ଗୁ; ଏବେ ରୋଗ ଶଯ୍ୟାରେ ସରକାରୀ ସହାୟତା ଅପେକ୍ଷାରେ ପ୍ରମୋଦ

ଢେଙ୍କାନାଳ:ସରକାର ଜନତାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଲାେକଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି  ଏ ସୁବିଧା ? ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ ପାଉଛନ୍ତି ତ ?  ଢେଙ୍କାନାଳ ଜିଲ୍ଲାର ଅସହାୟ ଏହି ବ୍ୟକ୍ତିଙ୍କୁ ଦେଖିଲେ ଏମିିତି କିଛି ପ୍ରଶ୍ନ ମନକୁ ଆସେ ।

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତ ଅଧିନସ୍ଥ ବିମ୍ବଳ ଲେମ୍ବୁବାରି ଗ୍ରାମର ପ୍ରମୋଦ ସାହୁ । ୪୩ ବର୍ଷର ପ୍ରମୋଦ ଜଣେ ଦିନ ମଜୁରିଆ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ଉପରେ ଦୁଇ ପୁଅ ଓ ପତ୍ନୀଙ୍କ ଦାୟିତ୍ୱ ।   ୨୦୨୦ ମସିହାରେ ପୈତୃକ ବାସଭବନ ଠାରୁ ମାତ୍ର ୬୦୦ ମିଟର ଦୂରରେ ଥିବା ଆଦିବାସୀ ବସ୍ତି ପାଖ ସରକାରୀ ଜାଗାରେ ଏକ ଝାଟିମାଟି କୁଡ଼ିଆ  କରି ଦୁଇ ପୁଅ ଓ ପତ୍ନୀଙ୍କ ସାଙ୍ଗରେ ରହିଆସୁଛନ୍ତି  ।

ହେଲେ ତାଙ୍କର ଏଇ ଛୋଟ ଗରିବ କୁଡିଆର ସୁଖ ବି ତାଙ୍କଠାରୁ ଛଡାଇ ନେଇଛନ୍ତି ଭଗବନା । ଏହି ଝାଟିମାଟି ଘର ନିର୍ମାଣ କରିବାର ତିନିଦିନ ପରେ ଘର ଭିତରକୁ ସାଇକେଲ ନେଇ ପଶୁଥିଲେ ।  କବାଟରେ ଲାଗିଥିବା ବିଷାକ୍ତ ଲୁହା କଣ୍ଟା ତାଙ୍କ ଡାହାଣ ଗୋଡ଼ରେ ବାଜିଗଲା l କଣ୍ଟା ବାଜି ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ଦୁଇ ଦିନ ଭିତରେ ପ୍ରମୋଦଙ୍କର ଚାଲିବା ବୁଲିବା ବନ୍ଦ ହୋଇଯାଇଥିଲା l ଏଣୁ ପାଖରେ ଥିବା ଭାପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ୧୦ ଦିନ ଚିକିତ୍ସିତ ହବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ l ଏଠରେ ତିନିଦିନ ଅତିବାହିତ ହେବା ପରେ କଟକ ସ୍ଥାନାନ୍ତରିତ ହୋଇଥିଲେ l କିନ୍ତୁ ଧୀରେ ଧୀରେ କ୍ଷତ ସ୍ଥାନଟି ତାଙ୍କ ଆଣ୍ଠୁ ତଳୁ ପାଦ ପର୍ଯ୍ୟନ୍ତ ବ୍ୟାପିବା ସହ ଭୀଷଣ ଯନ୍ତ୍ରଣା ଦେଇଥିଲା l ଦେହର ଅସୁସ୍ଥତା ସହ କାମଧନ୍ଦା ବନ୍ଦ ହୋଇଗଲା ।

ଏବେ ବିଛଣା ପଡିଛନ୍ତି ପ୍ରମୋଦ । ତା ସାଙ୍ଗକୁ ଚିକିତ୍ସା ଖର୍ଚ୍ଚ ।  ଦିନକୁ  ଔଷଧ ଖର୍ଚ୍ଚ ୪୦୦ ଟଙ୍କା । କେଉଁଠୁ ଆଣିବେ ଏତେ ଟଙ୍କା ?  ସରକାରୀ ସହାୟତା ପାଇଁ ଜିଲ୍ଲାପାଳ ଓ ଚିକିତ୍ସା ଅଧିକାରୀଙ୍କୁ  ଗୁହାରି କରିଥିଲେ । ହେଲେ କିଛି ମିଳିଲାନି ।  ଏବେ ପ୍ରମୋଦଙ୍କୁ ହତାଶ ହୋଇ ଭାଗ୍ୟକୁ ଆଦରି ପଡିଛନ୍ତି ।

ସ୍ୱାମୀଙ୍କର ଏପରି ସ୍ଥିତିରେ  ପତ୍ନୀ ସୁକାନ୍ତି ପରିବାର ଦାୟିତ୍ୱ ମୁଣ୍ଡକୁ ନେଇଛନ୍ତି ।  ପ୍ରାୟ ତିନି ବର୍ଷ ଧରି ନିକଟସ୍ଥ କାଜୁ ଫାକଟ୍ରିରେ କାମକରି ମାସିକ ୨୨୦୦ ଟଙ୍କା ରୋଜଗାର କରି ଅତି ଦୁଃଖ କଷ୍ଟରେ ପିଲାଙ୍କୁ ଧରି ଚଳୁଛନ୍ତି l   ଝାଟି ମାଟି ଘରର ଆଖ ପାଖରେ କାଜୁ ଜଙ୍ଗଲ ଥିବାରୁ ଜଙ୍ଗଲି ହାତୀଙ୍କ ଭୟ ରହୁଛି ।

ଏପରି ପରିସ୍ଥିତିରେ ପ୍ରମୋଦ ଓ ତାଙ୍କ ପରିବାର ପାଇଁ ଏକମାତ୍ର ଭରସା ହେଉଛି ସରକାରୀ ସହାୟତା ।  ଯଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରମୋଦଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ , ଆବାସ ଗୃହ, ଭତ୍ତା, ରାସନ କାର୍ଡ଼, ଜମି କାର୍ଡ଼ ଓ ଚଳ ପ୍ରଚଳ ପାଇଁ ହୁଇଲ ଚେୟାର ପ୍ରଭୃତି ସାହାଯ୍ୟ ଯୋଗାଇ ଦିଅନ୍ତେ ତେବେ ସେମାନଙ୍କ ପରିବାର ମୁହଁରେ ଟିକିଏ ହସ ଫେରି ପାରନ୍ତା ।

Leave A Reply

Your email address will not be published.