Latest Odisha News

BREAKING NEWS

ବିଶ୍ଵ ବନ୍ଧୁତ୍ୱ: ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ଦିବ୍ୟ ସମାଗମ ଅନୁଷ୍ଠିତ

ପୁରୀ: ପୁରୀ ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ବିଶ୍ଵ ବନ୍ଧୁତ୍ୱ ନିମନ୍ତେ ଆଧ୍ୟାତ୍ମିକ ଉତ୍ସବ ଦିବ୍ୟ ସମାଗମ ଅନୁଷ୍ଠିତ ହେଉଛି । ଏହା ୩ ଦିନ ବ୍ୟାପୀ ଚାଲିବ । ଏଥିରେ ସମଗ୍ର ବିଶ୍ବରୁ ୫ ହଜାରରୁ ଉର୍ଦ୍ଧ୍ଵ ସାଧୁସନ୍ଥ ଯୋଗଦେଇଛନ୍ତି। ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ଠାକୁରଙ୍କ ୧୨୫ତମ ଆବିର୍ଭାବ ବାର୍ଷିକ ଉତ୍ସବ ଓ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଗୋସ୍ୱାମୀ ଠାକୁରଙ୍କ ୧୫୦ତମ ଆଗମନ ଉତ୍ସବ ପାଳନ ଅବସରରେ ଗଜପତି ମହାରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

ଗଜପତି ନିଜ ଅଭିଭାଷଣରେ କହିଛନ୍ତିଯେ, ଧର୍ମର ପ୍ରଚାର, ରକ୍ଷା ପାଇଁ ପ୍ରଭୁ ବିଭିନ୍ନ ଲୋକଙ୍କୁ ଧରାପୃଷ୍ଠକୁ ପଠାଇଥାନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ୱାମୀ ଠାକୁର ତାଙ୍କ ଭିତରୁ ଅନ୍ୟତମ । ପୁରୁଷୋତ୍ତମ ମାହାତ୍ମ୍ୟ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅବତରୀ। ଆଧ୍ୟାତ୍ମିକ ଚେତନା ଜାଗରଣ ଦ୍ଵାରା ଉତ୍ତମ ଗୁଣର ପ୍ରକାଶ ହୋଇପାରିବ । ଆଧ୍ୟାତ୍ମିକ ଶିକ୍ଷା ବିନା ଉଚିତ୍ ଚରିତ୍ର ଗଠନ ସମ୍ଭବ ନୁହେଁ। ଆଧ୍ୟାତ୍ମିକ ସଂସ୍କୃତି ଓ ଜ୍ଞାନର ଭଣ୍ଡାର ଭାରତବର୍ଷ। ଉତ୍ତମ ଚରିତ୍ର ଗଠନ ବିନା ଆଦର୍ଶ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ ।

ଏହି ଅବସରରେ ଗତକାଲି ଅପରାହ୍ନରେ ନଗର ସଙ୍କୀର୍ତ୍ତନ ନାମରେ ଏକ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିଲା। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପ୍ରତ୍ୟହ ୪ ଟି ଅଧିବେଶନ ଅନୁଷ୍ଠିତ ହେବ। ଭଗବାନଙ୍କ ପ୍ରତି ଆଜିର ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା, ଜ୍ଞାନ ଓ ପ୍ରବଚନ ମାଧ୍ୟମରେ ଆଧ୍ୟାତ୍ମିକ ବାତ୍ତାବରଣ ସୃଷ୍ଟି ସହ ଅନ୍ତର୍ନିହିତ ଶାନ୍ତି ଓ ସୁସ୍ଥତାକୁ ଜାଗ୍ରତ କରିବା, ଗୋମାତାଙ୍କ ସୁରକ୍ଷା, ନଦୀ ସଂରକ୍ଷଣ, ଧାର୍ମିକ ପୀଠଗୁଡ଼ିକର ପୁନରୁଦ୍ଧାର, ପରିବେଶ ସଚେତନତା ଓ ସାଂସ୍କୃତିକ ସଂରକ୍ଷଣ ଏହି ଦିବ୍ୟ ସମାବେଶ ଆୟୋଜନର ମୂଳ ଲକ୍ଷ୍ୟ।

Leave A Reply

Your email address will not be published.