Latest Odisha News

BREAKING NEWS

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ ଅଂଚଳରେ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ଜରିଆରେ କଂପାନି ଗ୍ରାମୀଣ ସମ୍ପ୍ରଦାୟକୁ ଡିଜିଟାଲ୍ କ୍ଷେତ୍ର ବିଷୟରେ ଅବଗତ କରୁଥିବା ବେଳେ ୨୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌ଏଚ୍‌ଜି)ର ସଦସ୍ୟାଙ୍କୁ ତାଲିମ ପ୍ରଦାନ କରିଛି ।

ଏହି ଅଭିଯାନରେ ବ୍ୟକ୍ତିଗତ ସାକ୍ଷାତ ଓ ଗ୍ରାମ ତଥା ବ୍ଲକ୍ ସ୍ତରୀୟ ଦଳଗତ ବୈଠକ ଆୟୋଜନ କରି ଟିପିଏସ୍‌ଓଡିଏଲ୍ ପ୍ରାୟ ୧୦୦୦ ଗ୍ରାମ ପଂଚାୟତର ୧୦ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ଡିଜିଟାଲ୍‌ର ଲାଭ, ଅନଲାଇନ୍ ପେମେଂଟ୍ ବିକଳ୍ପ, ଡିଜିଟାଲ୍ ପ୍ରୋତ୍ସାହନ, ସରକାରୀ ସ୍କିମ୍‌ର ଲାଭ ହାସଲ କରିବା ଏବଂ ଶିକ୍ଷଣୀୟ ବିଷୟବସ୍ତୁ ଆଦି ବିଷୟରେ ସଚେତନ କରିପାରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଅଧିକରୁ ଅଧିକ ଆଭ୍ୟନ୍ତରୀଣ ଅଂଚଳରେ ଏହି କାର୍ଯ୍ୟକ୍ରମକୁ ପହଂଚାଇବା ଲାଗି ଏନ୍‌ଜିଓ ସହଯୋଗୀମାନଙ୍କ ସହଯୋଗରେ ଟିପିଏସ୍‌ଓଡିଏଲ୍‌ର ଅଧିକାରୀମାନେ ଯୁବବର୍ଗ, କଲେଜ ଯାଉଥିବା ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ, ପଂଚାୟତିରାଜ ପ୍ରତିନିଧି, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ୍ ସାକ୍ଷରତାର ବିଭିନ୍ନ ଦିଗ ବିଷୟରେ ସଚେତନ କରିବା ଲାଗି ଘର ଘର ବୁଲି ଅଭିଯାନ ଆୟୋଜନ କରିଛନ୍ତି । ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ବ୍ୟତୀତ ବିଭିନ୍ନ ପଂଚାୟତରେ ଡିଜିଟାଲ୍ ସାକ୍ଷରତା ପାଇଁ ଉତ୍ସାହକୁ ଆହୁରି ଦୃଢ଼ କରିବା ଲାଗି ୩୦୦ରୁ ଅଧିକ କ୍ଷୁଦ୍ର ଦଳଗତ ବୈଠକ ଆୟୋଜନ କରାଯାଇଛି ।

“ଆମ ଡିଜିଟାଲ୍ ସାକ୍ଷରତା ଅଭିଯାନ ଜରିଆରେ ୨୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ସଶକ୍ତ କରିଥିବାରୁ ଆମେ ଗର୍ବିତ । ଏହି ହିତାଧିକାରୀମାନଙ୍କୁ ଡିଜିଟାଲ ଶିକ୍ଷଣୀୟ ସୁଯୋଗ ପ୍ରଦାନ କରି ଆମେ ଡିଜିଟାଲ୍ ବୈଷମ୍ୟ ଦୂର କରିବା ଏବଂ ଡିଜିଟାଲ ଦୁନିଆର ପୂର୍ଣ୍ଣ ସୁଯୋଗ ହାସଲ କରିବା ଲାଗି ସେମାନଙ୍କୁ ସକ୍ଷମ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏଭଳି ଅଭିଯାନ ଜରିଆରେ ଡିଜିଟାଲ୍ ସଶକ୍ତୀକରଣ ଓ ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ଟିପିଏସ୍‌ଓଡିଏଲ୍ ଟିମ୍ ଯୋଗଦାନ ପ୍ରଦାନ କରୁଛି ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ।’’

ଏହି ଅଭିଯାନର ଲକ୍ଷ୍ୟ ହେଉଛି ଗ୍ରାମୀଣ ସମ୍ପ୍ରଦାୟକୁ ଡିଜିଟାଲ୍ ଦୁନିଆ ବିଷୟରେ ଅବଗତ କରିବା । ଏହି ଅଭିଯାନରେ ଟିପିଏସ୍‌ଓଡିଏଲ୍‌ର ଅଧିକାରୀମାନେ ଅନଲାଇନ୍ ପେମେଂଟ୍ ଓ ଇଟଂରନେଟ୍‌ରେ ଉପଲବ୍ଧ ଥିବା ସୂଚନା ସଂଗ୍ରହ କରି ବିଭିନ୍ନ ବିଷୟ ସମ୍ପର୍କିତ ସୂଚନା, ଶିକ୍ଷଣୀୟ ଓ ଯୋଗାଯୋଗ (ଆଇଇସି) ଉପକରଣ ବଂଟନ କରିଛନ୍ତି । ଏହି ଅଭିଯାନରେ ଅଂଶଗ୍ରହଣ କରି ହିତାଧିକାରୀମାନେ ଡିଜିଟାଲ୍ ଦୃଶ୍ୟପଟ୍ଟ, ଡିଜିଟାଲ ଦୁନିଆର ଲାଭ ଓ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ବିଭିନ୍ନ ସେବା ହାସଲ କରିବା ଆଦିକୁ ଭଲ ଭାବେ ବୁଝି ପାରିଛନ୍ତି ।

ଏହି ଅଭିଯାନର ସଫଳତା ସୁନିଶ୍ଚିତ କରିବା ପାଇଁ ଏନ୍‌ଜିଓଗୁଡ଼ିକ ସହଯୋଗିତାରେ ଟିପିଏସ୍‌ଓଡିଏଲ୍ ପ୍ରତ୍ୟକ୍ଷ ଭାବେ ପାହାଡ଼ିଆ ଓ ଆଦିବାସୀ ଗ୍ରାମଗୁଡ଼ିକରେ ପ୍ରତ୍ୟକ୍ଷ ଭାବେ ପହଂଚିଛି । ଡିଜିଟାଲ୍ ସାକ୍ଷରତାର ଗୁରୁତ୍ୱ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏସ୍‌ଏଚ୍‌ଜି ମହାସଂଘ, ନାଗରିକ ସମାଜ, କୃଷକ ଗୋଷ୍ଠୀ ଓ ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କ ଭଳି ବିଭିନ୍ନ ଅଂଶୀଦାର ଓ ଗୋଷ୍ଠୀଙ୍କ ସହ ବୈଠକ ମଧ୍ୟ ଆୟୋଜନ କରାଯାଇଛି ।

ଏହି ଅଭିଯାନର ଅଂଶ ସ୍ୱରୂପ ଯେକୌଣସି ପ୍ରକାର ବିଦ୍ୟୁତ ସମ୍ପର୍କିତ ମାମଲାରେ ସହାୟତା ପାଇଁ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ଉତ୍ସର୍ଗୀକୃତ ଦେୟମୁକ୍ତ ହେଲପଲାଇନ୍ ନମ୍ବର ୧୮୦୦-୩୪୫-୬୭୯୭ ଓ ୧୯୧୨ ବିଷୟରେ ସଚେତନତା ସୃଷ୍ଟି କରାଯାଇଛି ।

Comments are closed.