ଭୁବନେଶ୍ବର : ରାଉରକେଲା ଦେଖିବ ରୋଚକ ଲଢେଇ । ମଇଦାନରେ ରାଜନୀତିର ପୁରୁଣା ଖେଳାଳି ଦିଲ୍ଲୀପ ରାୟ । ବଦଳିବ କି ଇସ୍ପାତ ସହର ସମୀକରଣ ? ୨୦୨୪ରେ ହେବ କି ୨୦୧୪ ରିପିଟ୍ ? ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ସାରଦା କିମ୍ବା ବିଜେଡି ପାଇଁ ସହଜ ନୁହେଁ ରାଉରକେଲା ଲଢେଇ । ସେପଟେ ବିଦ୍ରୋହୀ ନିହାର ରାୟ ଦିଲ୍ଲୀପଙ୍କ ରାସ୍ତାର କଣ୍ଟା ହୋଇଛନ୍ତି । ଟିକେଟ୍ ନମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନିହାର ବିଜେପି ଭୋଟ୍ ବିଭାଜନ କରିପାରନ୍ତି । ତେବେ କାହା ଆଡକୁ ଢଳିବେ ଭୋଟର ? ମୋଦି ହାୱା ନା ନବୀନ ମ୍ୟାଜିକ୍ ? ରାଉରକେଲାରେ କଣ କରିବ କମାଲ ? ନା ସବୁ ଖେଳ ବିଗାଡିଦେବେ ନିହାର ରାୟ ?
କମାଲ କରିବେ ଦିଲ୍ଲୀପ ରାୟ !
୧୦ବର୍ଷ ପରେ ରାଉରକେଲା ନିର୍ବାଚନ ମଇଦାନରେ ପୁଣି ଦିଲ୍ଲୀପ ରାୟ । ରାଜନୀତିର ପୋଖତ ଖେଳାଳି ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଇସ୍ପାତ ନଗରରେ ବଦଳିଛି ମାହୋଲ । ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ରହିଛି ଦିଲ୍ଲୀପ ରାୟଙ୍କ ପ୍ରଭାବ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଥିବା ଦିଲ୍ଲୀପ ରାଉରକେଲାରୁ ତିନିଥର ବିଧାୟକ ହୋଇଛନ୍ତି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଦିଲ୍ଲୀପ । ତାଙ୍କ ଦାବି ପୂରଣ ନହେବାରୁ କେନ୍ଦ୍ର ସରକାରଙ୍କ ଉପରେ ଅଭିମାନ କରି ୨୦୧୮ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ହେଲେ ଦଳ ତାଙ୍କ ଇସ୍ତଫା ଗ୍ରହଣ କରିନଥିଲା । ରାଉରକେଲା ପାଇଁ ପଦ ଓ ଦଳ ଛାଡି ଲୋକଙ୍କ ଆଗରେ ହିରୋ ପାଲଟିଥିଲେ ଦିଲ୍ଲୀପ । ତେଣୁ ତାଙ୍କ ଆଡକୁ ଜନମତ ଢଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଖେଳ ବିଗାଡିବେ ନିହାର !
ବିଜେପିର ମୁଣ୍ଡବିନ୍ଧା ବଢାଇ ପାରନ୍ତି ବିଦ୍ରୋହୀ ନିହାର ରାୟ । ଗତଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ନିହାର ଏଥର ବି ଟିକେଟ୍ ପାଇଁ ଆଶାୟୀ ରହିଥିଲେ । ତେବେ ତାଙ୍କ ଜାଗାରେ ଦିଲ୍ଲୀପଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ସେ ଖୋଲାଖୋଲି ବିଦ୍ରୋହ କରିଛନ୍ତି । ସ୍ୱାଧୀନ ଭାବେ ଦିଲ୍ଲୀପଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବତନ ରାଉରକେଲା ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିହାର ରାୟ ଗତଥର ୫୦ହଜାରରୁ ଅଧିକ ଭୋଟ ପାଇଥିଲେ । ସେ ବିଜେପି ଭୋଟ୍ ବିଭାଜନ କଲେ ଅଡୁଆରେ ପଡିପାରନ୍ତି ଦିଲ୍ଲୀପ ରାୟା
ସାରଦା କରିବେ ଶଙ୍ଖନାଦ!
ଦିଲ୍ଲୀପଙ୍କ ବିପକ୍ଷରେ ମଇଦାନରେ ବିଜେଡିର ସାରଦା ନାୟକ । ସେ ବି ତିନି ତିନି ଥର ରାଉରକେଲାରୁ ବିଧାୟକ ହୋଇଛନ୍ତି । ବିଜେଡିର ଜଣେ ଭଲ ସଂଗଠକ ଓ ଲୋକପ୍ରିୟ ନେତା ଭାବେ ଜଣାଶୁଣା ସାରଦା ନାୟକ ଏଥର ଦିଲ୍ଲୀପଙ୍କୁ କଡା ଟକ୍କର ଦେବେ । ନବୀନ ସରକାରର ଶେଷ ଭାଗରେ ମନ୍ତ୍ରୀପଦ ବି ପାଇଥିଲେ ସାରଦା । ୨୦୧୪ରେ ଦିଲ୍ଲୀପଙ୍କଠାରୁ ପ୍ରାୟ ୧୧ହଜାର ଭୋଟରେ ହାରିଥିଲେ ସାରଦା । ଯେଉଁ ତିନିଟି ନିର୍ବାଚନ ସାରଦା ଜିତିଛନ୍ତି, ସେଥିରେ ଦିଲ୍ଲୀପଙ୍କ ସହ ତାଙ୍କର ମୁକାବିଲା ହୋଇନି । ତେଣୁ ଏଥର ବଡ ଫାଇଟ୍ ଦେଖିବାକୁ ମିଳିବ ।
ମୋଦି ମ୍ୟାଜିକ ବନାମ ନବୀନ ବିକାଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ ବିଜେପି ମନରେ ଜୋଶ୍ ଭରୁଛି । ନବୀନଙ୍କୁ ସିଧାସଳଖ ଟାର୍ଗେଟ୍ କରି ମାହୋଲ୍ ତିଆରି କରୁଛନ୍ତି ମୋଦି । ରାଜ୍ୟରେ ଶାସକ ବିଜେଡି ବିରୋଧୀ ହାୱା ବି ରହିଛି । ତେବେ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ହେଉ କି ବିମାନବନ୍ଦର କିମ୍ବା ବେଦବ୍ୟାସ ମନ୍ଦିର ଉନ୍ନତିକରଣ, ବିକାଶର ନାଁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କ ବିଫଳତାର ଚିଠା ଧରି ଭୋଟ୍ ମାଗୁଛି ବିଜେପି । ରାଉରକେଲା ବିଧାନସଭା ପାଇଁ କଂଗ୍ରେସରୁ ବୀରେନ୍ଦ୍ରନାଥ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।
କୁଆଡେ ଯିବ ଜନମତ ?
ଦଳ ଅପେକ୍ଷା ଅଧିକାଂଶ ସମୟରେ ନେତାଙ୍କୁ ଦେଖି ଭୋଟ୍ ଦେଇଛି ରାଉରକେଲ।। ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି । ତେବେ ସହରର ବିକାଶ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । ଦୂଷିତ ପାଣି ପାଇଁ ଗତ ଡିସେମ୍ବରରେ ଝାଡାବାନ୍ତି ବ୍ୟାପି ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନରେ କେବଳ ପ୍ରଚାର ନୁହେଁ କାମ ଦେଖି ବି ଭୋଟ୍ ଦେବେ ଜନତା । ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ତେବେ ଷ୍ଟିଲ ସିିଟିରେ କାହାର ପଲ୍ଲା ଭାରି ? ସାରଦା ନା ଦିଲ୍ଲୀପ, କାହାକୁ ବାଛିବେ ରାଉରକେଲା ଭୋଟର ? ନା ନିହାର ହେବେ ଗେମଚେଞ୍ଜର ? ମେ ୨୦ତାରିଖରେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେବ ରାଉରକେଲା ।
Comments are closed.