Latest Odisha News

BREAKING NEWS

ବାମଗଡ଼ରେ ବଦଳିବ ବାଜି !

ଭୁବନେଶ୍ବର : ନା ମୋଦି ଲହର ନା ନବୀନ ହାଓ୍ବା । ଗତ ଦୁଇ ଥର ହେଲା ସିପିଆଇଏମକୁ ବିଜୟୀ କରାଇଛି ସୁନ୍ଦରଗଡ ଜିଲ୍ଲାର ବଣାଇ ବିଧାନସଭା । ଏଥର ବିଜୟର ହ୍ୟାଟ୍ରିକ୍ ମାରିବାକୁ ସମରସଜ୍ଜା କରୁଛି ସିପିଆଇଏମ । ସେପଟେ ବାମଗଡକୁ ପୁଣି କବଜାକୁ ନେବାକୁ ବିଜେପି ଉଦ୍ୟମ କରୁଛି ତ ବିଜୟର ଡେବ୍ୟୁ ମାରିବାକୁ ରଣନୀତି କରୁଛି ବିଜେଡି ।

ବଣାଇ ଦଖଲ କରିନି ବିଜେଡି

ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ଏପର୍ଯ୍ୟନ୍ତ କେବେବି ବଣାଇ ଦଖଲ କରିପାରିନି । ୨୦୦୪, ୨୦୧୪ ଓ ୨୦୧୯ ନିର୍ବାଚନରେ ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିଲେ । ୨୦୦୯ରେ ବିଜେପି ପ୍ରାର୍ଥୀ ଭୀମସେନ ଚୌଧୁରୀ ଓ ୨୦୦୦ରେ ବିଜେପିର ଦୟାନିଧି କିଶାନ ଜିତିଥିଲେ । ୧୯୫୧ ମସିହା ପରଠାରୁ ବଣାଇରେ ବିଧାନସଭା ନିର୍ବାଚନ ହୋଇଛି । ତେବେ ଏଯାଏଁ ଏଠାରେ ଖାତା ଖୋଲିନି ବିଜେଡି । ତେଣୁ ଚବିଶ ନିର୍ବାଚନରେ ବିଜେଡି ପାଇଁ ବଣାଇ ଚ୍ୟାଲେଞ୍ଜ ହୋଇଛି ।

ବଣାଇ ବିଜୟ ପାଇଁ ଭୀମସେନ ସାରଥି

ବଣାଇ କବଜା କରିବାକୁ ବିଜେଡି ଏଥର ସ୍ବତନ୍ତ୍ର ରଣନୀତି କରିଛି । ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କୁ ଏଥର ପ୍ରାର୍ଥୀ କରିଛି ଦଳ । ଭୀମସେନ ଚୌଧୁରୀ ବିଜେପିରୁ ୨୦୦୯ରେ ବିଧାୟକ ହୋଇଥିଲେ । ଜୁଏଲ ଓରାମଙ୍କ ସହ ମତପାର୍ଥକ୍ୟ ପରେ କଂଗ୍ରେସକୁ ଯାଇଥିଲେ । ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ଅଳ୍ପ ଭୋଟରେ ହାରିଯାଇଥିଲେ । ଏହାପରେ ୨୦୧୬ରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏଥର ବିଜେଡି ତାଙ୍କୁ ସାରଥି କରି ବଣାଇ ଦଖଲ କରିବାକୁ ଅଙ୍କ କଷୁଛି ।

କାମ ଦେବ କି ବିଜେପିର ମହିଳା କାର୍ଡ !

ପୁଣି ବଣାଇ ଦଖଲ କରିବାକୁ ଏଥର ମହିଳା କାର୍ଡ ଖେଳିଛି ବିଜେପି । ସେବତୀ ନାୟକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କର୍ମଭୂମି ରହିଥିବା ବଣାଇରେ ପୁଣି ପଦ୍ମ ଫୁଟାଇବାକୁ ସେବତୀ ଉଦ୍ୟମ କରୁଛନ୍ତି। ତୃଣମୂଳସ୍ତରରେ ସଂଗଠନ ସୁଦୃଢ କରିବା ସହ ମୋଦି ଲହର ଓ ଜୁଏଲଙ୍କ ଲୋକପ୍ରିୟତାକୁ ନେଇ ବିଜୟ ରଣନୀତି ପ୍ରସ୍ତୁତ କରୁଛନ୍ତି ସେବତୀ ।

ହ୍ୟାଟ୍ରିକ କରିବେ କି ଲକ୍ଷ୍ମଣ ?

ଲଗାତର ୨ଥର ଓ ମୋଟ୍ ତିନିଥର ବଣାଇରୁ ବିଜୟୀ ହୋଇଥିବା ଲକ୍ଷ୍ମଣ ମୁଣ୍ଡା ଏଥର ବି ମଇଦାନରେ ରହିଛନ୍ତି । ସିପିଆଇଏମ ସହ ଏଠାରେ ମେଣ୍ଟ କରି ପ୍ରାର୍ଥୀ ଦେଇଛି କଂଗ୍ରେସ । ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ବିରୋଧରେ ଲଢୁଥିବା କହିଛନ୍ତି ଲକ୍ଷ୍ମଣ । ବିଧାୟକ ଥିବା ସମୟରେ ସେ ଚାଷୀ ଓ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଖରେ ଉଠାଇଛନ୍ତି । ତେଣୁ ବଣାଇ ତାଙ୍କୁ ପୁଣି ବାଛିବ ବୋଲି ଦୃଢତା ଦେଖାଇଛନ୍ତି ଲକ୍ଷ୍ମଣ ମୁଣ୍ଡା ।

ଖଣି ଖାଦାନ, କାରଖାନା ତଥା ଆଦିବାସୀ ବହୁଳ ବଣାଇ ନିର୍ବାଚନ ମଣ୍ଡଳୀରେ ରହିଛି ସମସ୍ୟା ଅନେକ । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ସହ ବିଭିନ୍ନ କ୍ଷେତ୍ରରେ ପଛରେ ରହିଛି ଏହି ଅଞ୍ଚଳ । ତେଣୁ କାହାକୁ ବାଛିବେ ବଣାଇ ଭୋଟର? ତାଉପରେ ନଜର ରହିଛି ।

Leave A Reply

Your email address will not be published.