ନୂଆଦିଲ୍ଲୀ: ଏୟାର ଇଣ୍ଡିଆ । ଗୋଟିଏ ସମୟରେ ଏହି ନାମ ଏଭିଏସନ ସେକ୍ଟରରେ ଭାରତର ମର୍ଯ୍ୟାଦା ବଢ଼ାଉ ଥିଲା । ଲୋକମାନେ ନାମିଦାମୀ ଏୟାରଲାଇନ୍ସ ଛାଡି ଏୟାର ଇଣ୍ଡିଆର ଧିମା ଯାତ୍ରାକୁ ଚୟନ କରୁଥିଲେ । ଏମିତିକି ସିଙ୍ଗାପୁର ଏୟାରଲାଇନ୍ସ ଭଳି ବଡ଼ବଡ଼ କମ୍ପାନୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ ରୋଲ-ମଡ଼େଲ ଥିଲା ।
କିନ୍ତୁ ଆଜି ଏହି କମ୍ପାନୀ ହଜାରକୋଟିରୁ ଅଧିକା କ୍ଷତିରେ ବୁଡି ରହିଛି । କ୍ଷତିବି ଏମିତିକା ଯାହା ସରକାରଙ୍କ ଗଳାର ଫାସ ହୋଇଗଲାଣି । ଯେଉଁଥିପାଇଁ ସରକାର ଏବେ ଏୟାର ଇଣ୍ଡିଆକୁ ବିକିବା ପ୍ରାୟସରେ ଲାଗି ଗଲେଣି ।
କିନ୍ତୁ ପ୍ରଶ୍ନ ଉଠୁଛି ଏହି ପରିସ୍ଥିତି କିଭଳି ସୃଷ୍ଟି ହେଲା ? ୧୯୫୦-୧୯୮୦ ମଧ୍ୟରେ ଦେଶର ସବୁଠୁଁ ଚାହିଦା ଏୟାରଲାଇନ୍ସ ଆଜି କାହିଁକି ବୁଡିଯିବାକୁ ବସିଛି ? ଦେଶର ଜଣେ ମହାନ ବ୍ୟବସାୟୀ ନିଜର ଏକ ଛୋଟ ଏୟାରଲାଇନ୍ସ କମ୍ପାନୀକୁ ଦେଶର ସବୁଠୁଁ ବଡ଼ ଏୟାରଲାଇନ୍ସ କମ୍ପାନୀରେ କିଭଳି ପରିଣତ କଲେ ?
ଆଜି ଆମେ ଆପଣଙ୍କ ଜଣାଇବୁ ଏୟାର ଇଣ୍ଡିଆର ୮୬ ବର୍ଷ ତଳର ସେହି ଯାତ୍ରା ସମ୍ପର୍କରେ…
ଚିଠି ବାଣ୍ଟିବା ବ୍ୟବସାୟରୁ ଆରମ୍ଭ ହୋଇଥିବା ଏକ କମ୍ପାନୀ ଦେଶର ସବୁଠୁ ଅଗ୍ରଣୀ ଏୟାରଲାଇନ୍ସ ଭାବେ ସାମ୍ନାକୁ ଆସିଲା । ଯାହା ସଫଳତାର ଶୀର୍ଷକୁ ଛୁଇଁବା ପରେ ଆଜି ବୁଡିଯିବାକୁ ବସିଛି ।
କଥାରେ ଅଛି ସବୁ ବଡ଼ କାମର ଆରମ୍ଭ କିଛି ଛୋଟ କାମରୁ ହିଁ ହୋଇଥାଏ । ଏମିତି କିଛି ଏୟାର ଇଣ୍ଡିଆ ସହିତ ମଧ୍ୟ ହୋଇଥିଲା ।
ଟାଟା ପରିବାରର ୨୮ ବର୍ଷର ଦାୟଦ ଜେ.ଆର.ଡି ଟାଟା ୧୯୩୨ ମସିହାରେ ନିଜର ଏକ ଏୟାରଲାଇନ୍ସ କମ୍ପାନୀ ଆରମ୍ଭ କରିଥିଲେ । ଯାହାର ନାମ ରଖାଯାଇଥିଲା ‘ଟାଟା ଏୟାରମିଲ’ । ଏହି କମ୍ପାନୀରେ ସାମିଲ ଥିଲା ଦୁଇଟି ବିମାନ ।
୧୫ ଅକ୍ଟୋବର ୧୯୩୨ ରେ ଏହି ବିମାନ କରାଚିରୁ ଦିଲ୍ଲୀ ଯାଏଁ ପ୍ରଥମ ଉଡାଣ ଭରିଥିଲା । ଯାହାକୁ ନିଜେ ଜି.ଆର. ଡି ଟାଟା ଚଲାଇଥିଲେ ।
ଯଦି ଆପଣ ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଜେ. ଆର.ଡି ଟାଟା ବ୍ରିଟେନ ଦ୍ୱାରା ସ୍ଥାପିତ ‘ରୋୟେଲ ଏରୋକ୍ଳବ ଅଫ ଇଣ୍ଡିଆ ଆଣ୍ଡ ବର୍ମା’ରୁ ପ୍ରଶିକ୍ଷଣ ନେଇଥିବା ଭାରତର ପ୍ରଥମ ସିଭିଲ ଏଭିଏସନ ପାଇଲଟ ଥିଲେ । ଏହି କମ୍ପାନୀର ଦ୍ୱିତୀୟ ପାଇଲଟ ଥିଲେ ନେଭିଲ ଭିନସେଣ୍ଟ ।
ଏହି କମ୍ପାନୀରେ ୨ ଜଣ ପାଇଲଟ, ୩ ଜଣ ଇଞ୍ଜିନିୟର, ୪ ଜଣ କୁଲି ଏବଂ ୨ ଜଣ ଚୌକିଦାର ମଧ୍ୟ ସାମିଲ ଥିଲେ ।
ଏହି କମ୍ପାନୀ ସ୍ଥାପନାର ପ୍ରଥମ ବର୍ଷରେ ହିଁ ୧୦ ଟନ୍ ଚିଠି ସହ ୧୫୫ ଜଣ ଯାତ୍ରୀଙ୍କୁ ସେବା ଯୋଗାଇ ପାଖାପାଖି ୬୦ ହଜାର ଟଙ୍କାର ଲାଭ କରିଥଲା ।
୧୯୩୮ ଭିତରେ ଏହାର ନାମ ଟାଟା ଏୟାରମିଲ ବଦଳାଇ ଟାଟା ଏୟାରଲାଇନ୍ସ ରଖିଦିଆଗଲା । ଏବଂ ଏହି କମ୍ପାନୀ ଦିଲ୍ଲୀ, ଗୋଆ, ହାଇଦ୍ରାବାଦ ଓ କଲମ୍ବୋ ପର୍ଯ୍ୟନ୍ତ ଉଡାଣ ଭରିବାକୁ ଲାଗିଲା ।
ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜେ.ଆର.ଡି ଟାଟାଙ୍କୁ ଏହି କ୍ଷେତ୍ରରେ ଆହୁରି ଅଧିକ ସମ୍ଭାବନା ଦେଖାଗଲା । ୧୯୪୬ରେ ସେ ଏହି ଏୟାରଲାଇନ୍ସକୁ ପବ୍ଲିକ କରିଦେଇ ଏହାର ନାମ ବଦଳାଇ ରଖିଲେ ଏୟାର ଇଣ୍ଡିଆ ।
ଏହାସହ ଏହି କମ୍ପାନୀର ବିମାନ ତାଲିକାରେ ସେ ସମୟର ସବୁଠୁ ଅତ୍ୟାଧୁନିକ ବିମାନ ଲୋଖେଡ଼ କନଷ୍ଟେଲେସନ ସାମିଲ କରାଗଲା । ଯାହାର ନାମ ରଖାଗଲା ମାଲାବାର ପ୍ରିନସେସ ।
୧୯୪୭ ମସିହାରେ ଦେଶ ସ୍ୱାଧୀନହେବା ପୂର୍ବରୁ ଦେଶରେ ୯ ଟି ଏୟାରଲାଇନ୍ସ କମ୍ପାନୀ କାମ କରୁଥିଲେ । ସ୍ୱାଧିନତା ପରେ ଏମାନଙ୍କ ସଂଖ୍ୟା ୮ ହୋଇଗଲା । କାରଣ ବିଭାଜନ ପରେ ଓରିଏଣ୍ଟ ଏୟାରୱେସ ପାକିସ୍ତାନ ଭାଗରେ ପଡିଥିଲା ।
ସେ ଯାହାବି ହେଉ ସ୍ୱାଧୀନତା ପରେ ଏୟାର ଇଣ୍ଡିଆ ଭାରତ ସରକାରଙ୍କ ସହ ମିଶି ଇଣ୍ଟରନ୍ୟାସନଲ ଫ୍ଲାଇଟ ଆରମ୍ଭ କରିବାକୁ ମନସ୍ଥ କରିନେଲା । ଯାହାପରେ ୮ ଜୁନ ୧୯୪୮ରେ ଏୟାର ଇଣ୍ଡିଆର ମାଲବାର ପ୍ରିନସେସ ପ୍ରଥମ ଥର ପାଇଁ ବମ୍ବେରୁ ଲଣ୍ଡନକୁ ଯାତ୍ରା ଆରମ୍ଭ କରିଥିଲା । ସେ ସମୟରେ ବମ୍ବେରୁ ଲଣ୍ଡନ ଯିବା ପାଇଁ ଦେବାକୁ ପଡୁଥିଲା ୧୭୮୦ ଟଙ୍କା ।
ଏହାର ୫ ବର୍ଷ ପରେ ସରକାର ୧୯୫୩ ମସିହାରେ ଏୟାର କର୍ପୋରେସନ ଆକ୍ଟ ୧୯୫୩କୁ ପାସ କରିଦେଲେ। ଯାହା ସହିତ ଏୟାରଲାଇନ୍ସ ଇଣ୍ଡଷ୍ଟ୍ରିକୁ ନ୍ୟାସନାଲାଇଜ କରିଦିଆଗଲା । ଏହାପରେ ଦେଶରେ ଥିବା ସମସ୍ତ ୮ଟି ଡୋମେଷ୍ଟିକ ଏୟାରଲାଇନ୍ସ କୁ ମିଶାଇ ଡୋମେଷ୍ଟିକ ଏୟାରଲାଇନ୍ସ ଅପରେସନ ପାଇଁ ଇଣ୍ଡିଆନ ଏୟାରଲାଇନ୍ସର ସ୍ଥାପନ କରାଗଲା ଓ ଅନ୍ତର୍ଜାତୀୟ ଏୟାର ସର୍ଭିସେସ ଗୁଡିକୁ ଏୟାର ଇଣ୍ଡିଆ ଅନ୍ତର୍ଗତ ହିଁ ରହିବାକୁ ଦିଆଗଲା ।
ସେ ସମୟରେ ସରକାର ଜେ.ଆର.ଡି ଟାଟାଙ୍କୁଏୟାର ଇଣ୍ଡିଆର ଚେୟାରମ୍ୟାନ ହେବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଯାହାକୁ ସେ ଗ୍ରହଣ ମଧ୍ୟ କରିଥିଲେ ।
ଏୟାର ଇଣ୍ଡିଆକୁ ସଫଳତାର ଶୀର୍ଷରେ ପହଁଞ୍ଚାଇବା ପାଇଁ ଜେ.ଆର.ଡି ଟାଟା ନିଜର ଦିନରାତି ଏକ କରିଦେଲେ । ଟାଟା କୌଣସି ବି ପରିସ୍ଥିତିରେ ଏୟାର ଇଣ୍ଡିଆର ସର୍ଭିସରେ କିଛି ବି କମ୍ ହେବାକୁ ଦେଇନଥିଲେ ।
ଟାଟାର ଏହି ଅକ୍ଲାନ୍ତ ପରିଶ୍ରମ ପାଇଁ ୨୫ ବର୍ଷ ଭିତରେ ଏହାର ସମ୍ପତ୍ତିର ମୂଲ୍ୟ ୧୦୦ ମିଲିୟନ ଡ଼ଲାରରୁ ବଢି ୫ ବିଲୀୟନ ଡ଼ଲାରରେ ପହଞ୍ଚି ଯାଇଥିଲା ।
୧୯୭୮ରେ ସେତେବେଳର ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ଜେ.ଆର.ଡି ଟାଟାଙ୍କୁ ଚେୟାରମ୍ୟାନ ପଦରୁ ହଟାଇ ଦେଇଥିଲେ ।
କୁହାଯାଏ କି ମୋରାଜୀ ଦେଶାଇ ଏୟାର ଇଣ୍ଡିଆ ଭିତରେ ମଦ ପରୋସିବାକୁ ବିରୋଧ କରିଥିବା ବେଳେ ଜେ.ଆର.ଡି ଟାଟାଙ୍କ କହିବା ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ଚଲାଇବା ପାଇଁ ମଦ ବନ୍ଦ କରିବାଟା ଠିକ ହେବନାହିଁ ।
ଜେ.ଆର.ଡି ଟାଟା ଏୟାର ଇଣ୍ଡିଆ ଛାଡିବା ପରେ ଏହାର ସ୍ତର ତଳକୁ ଯିବା ଆରମ୍ଭ ହୋଇଗଲା । କିନ୍ତୁ ୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଜେ.ଆର.ଡି ଟାଟାଙ୍କୁ ଏୟାର ଇଣ୍ଡିଆର ବୋର୍ଡ ଅଫ ଡ଼ାଇରେକ୍ଟରରେ ପୁଣି ଥରେ ସାମିଲ କରାଗଲା । କିନ୍ତୁ ସେତେବେଳକୁ ଏୟାର ଇଣ୍ଡିଆ ର ଖାରପ ସମୟ ଆରମ୍ଭ ହୋଇ ସାରିଥିଲା ।
୧୯୯୪ ମସିହାରେ ଏୟାର କର୍ପୋରେସନ ଆକ୍ଟ ୧୯୫୩ ସ୍ଥାନରେ ଏୟାର କର୍ପୋରେସନ ଆକ୍ଟ ୧୯୯୪ ଲାଗୁ କରାଗଲା ଓ ଘରୋଇ ଏୟାରଲାଇନ୍ସ ପାଇଁ ଏଭିଏସନ ସେକ୍ଟରକୁ ଖୋଲି ଦିଆଗଲା । ଏହାପରେ ଏୟାର ଇଣ୍ଡିଆକୁ ଟକ୍କର ଦେବାକୁ ଜେଟୱେ, ସାହାରା ଏୟାରଲାଇନ୍ସ ଭଳି ବଡ଼ ବଡ଼ କମ୍ପାନୀ ମାନେ ମଇଦାନରେ ଥିଲେ । ଏହି ନୂଆ ପଲିସି ପରେ କମ୍ପିଟିସନ ବଢିବା ସାଙ୍ଗକୁ ସେବା କମ୍ ହେଉଥିବା କାରଣରୁ ଇଣ୍ଡିଆନ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆକୁ କ୍ଷତି ସହିବାକୁ ପଡିଲା ।
ଏହାପରେ ୨୦୦୭ ମସିହାରେ ମନମୋହନ ସରକାର ଇଣ୍ଡିଆନ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆକୁ ମିଶାଇ ଦେଇ ଏକ ନୂଆ କମ୍ପାନୀର ଗଠନ କରାଇଲେ । ଯାହାର ନାମ ରଖିଲେ ‘ନ୍ୟାସନାଲ ଏବିଏସନ କମ୍ପାନୀ ଇଣ୍ଡିଆ ଲିମିଟେଡ଼’ (ଏନଏସିଆଇଏଲ) ।
ଏହି ଫଇସଲା ପରେ ୯ ବର୍ଷ ପର୍ଯ୍ୟନ୍ତ ଏୟାରଇଣ୍ଡିଆ କ୍ଷତିରେ ଚାଲି ଆସୁଥିଲା । ସରକାର ଏପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ବେଲଆଉଟ ପ୍ୟାକେଜ, କମ୍ପାନୀକୁ ଚଲେଇ ରଖିବା ପାଇଁ ଦେଇ ଆସୁଛନ୍ତି । କିନ୍ତୁ ପୂର୍ବ ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ ସରକାର ଏବେ ଏୟାର ଇଣ୍ଡିଆକୁ ଗୋଟିଏ ବି ଟଙ୍କା ଦେବେ ନାହିଁ ।
ସରକାର ଏବେ ଏୟାର ଇଣ୍ଡିଆ ଓ ଏହାର ୫ ସବସିଡାରୀଙ୍କୁ ବିକିବାକୁ ମନସ୍ଥ କରୁଥିବା ଶୁଣିବାକୁ ମିଳୁଛି । ସରକାର ଏହାର ୭୬% ସେୟାର ବିକିବାକୁ ଭାବିଥିବା ବେଳେ ୨୪% ଭାଗ ନିଜେ ରଖିବାକୁ ଚାହୁଁଛନ୍ତି ।କିନ୍ତୁ ସରକାରଙ୍କ କିଛି ସର୍ତ୍ତ ଯୋଗୁଁ ଏୟାର ଇଣ୍ଡିଆକୁ କିଣିବାକୁ କୌଣସି କମ୍ପାନୀ ଆଗକୁ ଆସୁନାହାନ୍ତି ।
Comments are closed.