ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ଶତପଥୀଙ୍କୁ ହଟାଇ ବିଜେଡି ସୁପ୍ରିମୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଧାୟକ ପ୍ରାର୍ଥୀ କରିଛନ୍ତି। ଏହାପରେ ଦଳର ଏପରି ରଣନୀତିକୁ ସହଜରେ ଗ୍ରହଣ କରିନପାରି ଅମର ଶତପଥୀଙ୍କ ବାସଭବନରେ ତାଙ୍କର ସମର୍ଥକ ମେଳି କରିଛନ୍ତି। ଟିକେଟ୍ କାହିଁକି କଟିଲା ବୋଲି ଅମର ଜାଣିନଥିବା କହିଛନ୍ତି। ଅନ୍ୟପଟେ ତାଙ୍କ ସମର୍ଥକ ନିଷ୍ପତିର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି।
ବଡ଼କଥା ହେଉଛି ବଡ଼ଚଣାର ହେବିଓ୍ବେଟ୍ ନେତା ଅମର ଶତପଥୀ ଏବଂ ତାଙ୍କ ପୁଅ ଏହି ଆସନ ପାଇଁ ଦାବିଦାର ଥିଲେ ବୋଲି କୁହାଯାଉଥିଲା। ନିକଟରେ କଂଗ୍ରେସ ନେତା ସୀତାକନ୍ତଙ୍କ ପୁଅ ବିଜେଡିରେ ଯୋଗ ଦେଇଥିଲେ। ଏହାରି ଭିତରେ ଦଳ ବର୍ଷାଙ୍କୁ ଟିକେଟ୍ ଦେଇଛି। ଯାହା ଗୋଷ୍ଠୀ କନ୍ଦଳକୁ ଇସାରା ଦେଉଛି ବୋଲି କୁହାଯାଉଛି। ୬ ଥର ଅମର ଶତପଥୀ ଏଠାରୁ ବିଧାୟକ ହୋଇଛନ୍ତି। ଗତଥର ୧୪ ଶହରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ତେଣୁ ଏବେ ଅମରଙ୍କ ଗୋଷ୍ଠୀ ଯଦି ଭିତରେ ବର୍ଷାଙ୍କୁ ସମର୍ଥନ ନକରିବେ ତାହେଲେ ଅଡୁଆରେ ପଡ଼ିପାରନ୍ତି ବର୍ଷା। କାରଣ ଫିଲ୍ମରେ ଏହି ସଫଳ ଅଭିନେତ୍ରୀ ରାଜନୀତିରେ ନବାଗତ। ଯଦିଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ରହିଛନ୍ତି ଏବଂ ପୂର୍ବରୁ ପ୍ରଚାର କରୁଥିଲେ କିନ୍ତୁ ନିଜେ ଲୋକଙ୍କ ପାଖକୁ ଯାଇ ନିଜ ପାଇଁ ଭୋଟ୍ ଭିକ୍ଷା କରିବା ଏତେଟା ସହଜ ନୁହେଁ।
ଅନୁଭବ ମହାନ୍ତି ବିଜେଡିକୁ ବାଏ ବାଏ କରିବା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଦଳର ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଦିନକ ପୂର୍ବରୁ ତାଙ୍କ ପୂର୍ବତନ ପତ୍ନୀ ବର୍ଷାଙ୍କୁ ବିଜେଡି ଦଳରେ ସାମିଲ କରାଇ ବିଧାୟକ ପ୍ରାର୍ଥୀ କରିଛି। କାରଣ ଅନେକ ପୁରୁଣା ମହିଳା ନେତ୍ରୀ ଟିକେଟ୍ ପାଇବେ ବୋଲି ସମ୍ଭାବନା ଅଧିକ ଥିଲେ ମଧ୍ୟ ଶେଷ ମୁହୂର୍ତରେ ନିର୍ବାଚନ ମୈଦାନରୁ ଗାଏବ ହୋଇଯାଇଛନ୍ତି। କିନ୍ତୁ ବର୍ଷାଙ୍କୁ କାହିଁକି ଭରସା କଲା ଦଳ ତାହା ଏବେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଟିକେଟ୍ ପାଇବା ପରେ ବର୍ଷା ଚଣ୍ଡିମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମହିଳା ସଶକ୍ତିକରଣ ଦିଗରେ ବଡ଼ ବାର୍ତ୍ତା ଦେଇଛି ବୋଲି ସେ କହିଛନ୍ତି।
Comments are closed.