Latest Odisha News

BREAKING NEWS

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ ଓଡିଆ ଭାଷାରେ ଭଳିକିଭଳି ମନୋରଂଜକ କାର୍ଯ୍ୟକ୍ରମ ତଥା ଫିଲ୍ମ ଦେଖିବାକୁ ସୁଯୋଗ ପାଇବେ

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ ଓଡିଆ ଭାଷାରେ ଭଳିକିଭଳି ମନୋରଂଜକ କାର୍ଯ୍ୟକ୍ରମ ତଥା ଫିଲ୍ମ ଦେଖିବାକୁ ସୁଯୋଗ ପାଇବେ ।

ଷ୍ଟାର୍ କିରଣକୁ ଉଭୟ ଷ୍ଟାଣ୍ଡାର୍ଡ ଡେଫିନେସନ୍ (SD) ଓ ହାଇ ଡେଫିନେସନ୍ (HD) ଭର୍ସନରେ ଲଂଚ କରିବାକୁ ଡିଜନୀ ଷ୍ଟାର ଯୋଜନା କରିଛି । ଏହି ଧାରାରେ ଡିଜନୀ ଷ୍ଟାରର ସପ୍ତମ ଆଂଚଳିକ ଟିଭି ଚ୍ୟାନେଲ୍ ତଥା ଓଡିଶାର ପ୍ରଥମ ହାଇ ଡେଫିନେସନ୍ ଚ୍ୟାନେଲ୍ ଭାବେ ଷ୍ଟାର କିରଣ ଦର୍ଶକଙ୍କ ସାମ୍ନାକୁ ଆସିବ ।

ଡିଜନୀ ଷ୍ଟାର୍‌ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ନେଟୱାର୍କର ମୁଖ୍ୟ କେଭିନଙ୍କ ଅନୁଯାୟୀ, “ଉନ୍ନତିର ରାହାରେ ସଫଳତାର ସହ ମାଇଲଖୁଣ୍ଟ ସ୍ଥାପନ କରିବା ପାଇଁ ଆମେ ଓଡିଶାରେ ପ୍ରବେଶ କରିଛୁ । ଷ୍ଟାର୍ କିରଣ ଜରିଆରେ ଆମେ ଓଡିଆ ଦର୍ଶକଙ୍କୁ ମନୋରଂଜନର ଭରପୁର ଖୋରାକ ଯୋଗାଇବୁ । ଓଡିଶାରେ ଆରମ୍ଭ ହୋଇଥିବା ଡିଜନୀ ଷ୍ଟାର୍‌ର ଯାତ୍ରାରେ ଆମକୁ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି ”

ଷ୍ଟାର୍ କିରଣ ଜରିଆରେ ଡିଜନୀ ଷ୍ଟାର ଟିଭି ସହ ଓଡିଆ ଦର୍ଶକଙ୍କୁ ଯୋଡିବାକୁ ଚେଷ୍ଟା କରିବ । ଏଥିପାଇଁ ବେଶ କିଛି ନୂଆ କନସେପ୍ଟକୁ ନେଇ ପ୍ରସ୍ତୁତ ଫିକ୍ସନ୍ ତଥା ନନ୍ ଫିକ୍ସନ୍ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯିବ । ଖାସ କରି ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଡକ୍ସନ୍ କ୍ୱାଲିଟି ଉପରେ ମଧ୍ୟ ଡିଜନୀ ଷ୍ଟାର୍ ଧ୍ୟାନ ଦେଇଛି । ଏହି ଟିଭି ଚ୍ୟାନେଲ୍ ଜରିଆରେ ଡିଜନୀ ଷ୍ଟାର ଦର୍ଶକଙ୍କୁ ସଦ୍ୟ ରିଲିଜ୍ ହୋଇଥିବା ଓଡିଆ ଫିଲ୍ମ ଦେଖାଇବାକୁ ଘୋଷଣା କରିଛି । ଏହି ଧାରାରେ ଆଗାମୀ ଦିନରେ ପ୍ରେମମ୍‌, ଦିଲ୍ ରେ ଅଛି ତୋର ନାଁ ଓ ଗୁପ୍‌ଚୁପ୍ ଭଳି ଅନେକ ନୂଆ ତଥା ଦମଦାର ଫିଲ୍ମ ୱାର୍ଲଡ ଟିଭି ପ୍ରିମିଅର୍ ସୋ’ ଜରିଆରେ ପ୍ରସାରଣ କରାଯିବ ।

Leave A Reply

Your email address will not be published.