ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି ଅଭିଯୋଗ କରିଛି ସଂଘ।
ପୂର୍ବରୁ ଆନ୍ଦୋଳନ କରାଯାଇଥିବା ବେଳେ ଦାବି ପୂରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ। କିନ୍ତୁ ଦାବି ପୂରଣ ନେଇ ସରକାର ଯେତିକି ସମୟ ନେଇଥିଲେ ତାଠୁ ବହୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା ସଂଘ।
କିନ୍ତୁ ପୋଲିସ ସେମାନଙ୍କ ରାଲି ଧାରଣାକୁ ଅନୁମତି ଦେଇ ନ ଥିବା କୁହାଯାଇଛି। ଏପରିକି ସରକାରଙ୍କ ପକ୍ଷରୁ ଡିଇଓ, ଵିଇଓ ଓ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଛୁଟିର ଅନୁମତି ମିଳି ନ ଥିଲା। ଯାହାକୁ ଗଣତନ୍ତ୍ରର କଣ୍ଠରୋଧ ବୋଲି ଶିକ୍ଷକ ସଂଘ ଅଭିଯୋଗ କରିବା ସହ ସରକାରଙ୍କ ଏହି କାର୍ଯ୍ୟ ବିରୋଧରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।
ନିୟମ ଅନୁଯାୟୀ ହଜାରରୁ ଅଧିକ ଲୋକଙ୍କୁ ଧାରଣାରେ ପ୍ରବେଶ ଅନୁମତି ନ ଥାଏ। ସ୍ଥିତି ଦେଖି କିଛି ଅଧିକ ଲୋକଙ୍କୁ ଅନୁମତି ମିଳେ। ପୂର୍ବରୁ ସଂଘକୁ ଆନ୍ଦୋଳନ ଅନୁମତି ମିଳିଥିବା ବେଳେ ଅନୁମତି ଠାରୁ ଢେର ଅଧିକ ଆନ୍ଦୋଳନକାରୀଙ୍କ ସମାଗମ ହୋଇଥିଲା ବୋଲି କୁହାଯାଇଛି। କିନ୍ତୁ ଗୋଟିଏ ପଟେ ଶିକ୍ଷକମାନଙ୍କୁ ଆନ୍ଦୋଳନ ଅନୁମତି ମିଳି ନ ଥିବାବେଳେ ହଜାର ହଜାର ଆଶା କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରେ ଦେଖିବାକୁ ମିଳିଥିଲା।
ଯଦି ଅଧିକ ଜନସମାଗମ ପାଇଁ ଶିକ୍ଷକଙ୍କୁ ଅନୁମତି ମିଳିଲା ନାହିଁ ତେବେ ଆଶାକର୍ମୀଙ୍କୁ କିଭଳି ମିଳିଲା ବୋଲି ପ୍ରଶ୍ନ ଉଠିଛି। ସେପଟେ ଆଶା କର୍ମୀଙ୍କ କହିବା କଥା ସେମାନେ ଶୃଙ୍ଖଳିତ ତେଣୁ ତାଙ୍କୁ ସରକାର ଅନୁମତି ଦେଇଛନ୍ତି।
ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଅନ୍ୟାନ୍ୟ ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ କରି ଆସୁଛି। ଦାବି ପୂରଣ ନେଇ ସରକାର ସମୟ ଦେଇଥିଲେ ମଧ୍ୟ ଦାବି ପୂରଣ ନ ହେବା ଯୋଗୁ ଏଭଳି ବଡ଼ ଆନ୍ଦୋଳନ ପାଇଁ ସଜବାଜ ହୋଇଥିଲେ ଶିକ୍ଷକ। କିନ୍ତୁ ଏଭଳି ବଡ଼ ଆନ୍ଦୋଳନକୁ ଅନୁମତି ନ ମିଳିବା ପରେ ଶିକ୍ଷକ ସଂଘର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା।
Comments are closed.