Latest Odisha News

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: କେଉଁଠୁ, କିଏ ଓ କାହିଁକି ପାଇଲେ ମନ୍ତ୍ରୀପଦ…

ଭୁବନେଶ୍ୱର: ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ୨୧ ଜଣ ସଦସ୍ୟ ବୁଧବାର ଦିନ ଶପଥ ନେଉଥିବା ବେଳେ ଏଥିରେ ୧୩ଟି ଜିଲ୍ଲା ବାଦ୍ ପଡ଼ିଛନ୍ତି ।

ରାଜଭବନ କାର୍ଯ୍ୟାଳୟରେ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେଓଗଡ଼, ଯାଜପୁର, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୌଣସି ବିଧାୟକ ଏହି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରିନାହାନ୍ତି ।

ମିଳିଥିବା ସୂଚନାନୁଯାୟୀ ଯେଉଁ ୬ ଜଣ ପୂରୁଣା ମୁହଁ ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ସେମାନେ ହେଲେ – ଭଟଲି ବିଧାୟକ ସୁଶାନ୍ତ ସିଂହ (ବରଗଡ଼ ଜିଲ୍ଲା), ମାହାଙ୍ଗା ବିଧାୟକ ପ୍ରତାପ ଜେନା (କଟକ ଜିଲ୍ଲା), ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା (ଖୋର୍ଦ୍ଧା ଜିଲ୍ଲା), ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ (ସୁବର୍ଣ୍ଣପୁର ଜିଲ୍ଲା), ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ (ଗଞ୍ଜାମ ଜିଲ୍ଲା)ଏବଂ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ (ଢେଙ୍କାନାଳ ଜିଲ୍ଲା) । ଏହି ସମସ୍ତ ମନ୍ତ୍ରୀମାନେ ପୂର୍ବ ମନ୍ତ୍ରୀମଣ୍ଡଳରେ ସେମାନଙ୍କର ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରିଥିବା ଯୋଗୁଁ ଦଳର ହାଇକମାଣ୍ଡ ସେମାନଙ୍କ ଉପରେ ସନ୍ତୁଷ୍ଟ ରହିଛନ୍ତି ।

ସେହିପରି ଏହି ନୂତନ ମନ୍ତ୍ରୀମଣ୍ଡଳରେ ଯେଉଁ ନୂଆ ମୁହଁ ଏଥର ମନ୍ତ୍ରୀପଦ ପାଇଛନ୍ତି ସେମାନେ ହେଲେ – ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ (ବଲାଙ୍ଗୀର), ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ (ଝାରସୁଗୁଡ଼ା), ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର (କଳାହାଣ୍ଡି), କୋଟପାଡ଼ ବିଧାୟକ ପଦ୍ମିନୀ ଡ଼ିଆଁ (କୋରାପୁଟ) ଏବଂ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବାଲେଶ୍ୱର), ନିମାପଡ଼ା ବିଧାୟକ ସମୀର ଦାସ (ପୁରୀ), ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ (ଜଗତସିଂହପୁର), ବିଷମ-କଟକ ବିଧାୟକ ଜଗନ୍ନାଥ ସରକା (ରାୟଗଡ଼ା) ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ (କେନ୍ଦୁଝର)ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା (ପୁରୀ) ।

ଅନ୍ୟପକ୍ଷରେ ଯେଉଁସବୁ ବରିଷ୍ଠ ନେତାମାନେ ପୂର୍ବରୁ ମନ୍ତ୍ରୀ ରହିଥିଲେ ସେମାନେ ଏଥର ମଧ୍ୟ ମନ୍ତ୍ରୀମଣ୍ଡଳକୁ ଫେରିବାର ସୁଯୋଗ ପାଇଛନ୍ତି ସେମାନେ ହେଲେ – କଟକ ଜିଲ୍ଲାର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁବର୍ଣ୍ଣପୁର ଜିଲ୍ଲାରୁ ପଦ୍ମନାଭ ବେହେରା, ନୟାଗଡ଼ ଜିଲ୍ଲାର ଅରୁଣ ସାହୁ, ମୟୂରଭଞ୍ଜ ଜିଲ୍ଲାର ସୁଦାମ ମାରାଣ୍ଡି ।

ଦେଖିବାକୁ ଗଲେ ୧୭ଟି ଜିଲ୍ଲାରୁ ପ୍ରତିନିଧିମାନେ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ କେତୋଟି ଆସନ ଦୁଇ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଉଦାହରଣ ସ୍ୱରୂପ ପ୍ରତାପ ଜେନା ମାହାଙ୍ଗାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏହା କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ । ସେହିପରି କୋଟପାଡ଼ ବିଧାୟକ ପଦ୍ମିନୀ ଡ଼ିଆଁ କୋରାପୁଟ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏହା ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ।
ବିଜେପୁରରେ ନବୀନଙ୍କ ଚିତାକର୍ଷକ ବିଜୟ ଲାଗି ବରଗଡ଼ ଜିଲ୍ଲାର ସୁଶାନ୍ତ ସିଂହଙ୍କ ପ୍ରଶଂସନୀୟ ଉଦ୍ୟମ ଯୋଗୁଁ ହୋଇପାରିଛି । ସୁବର୍ଣ୍ଣପୁର ଜିଲ୍ଲାର ନିରଞ୍ଜନ ପୁଜାରୀ ଏବଂ ପଦ୍ମନାଭ ବେହେରା ସମଗ୍ର ଜିଲ୍ଲାରେ ଦଳର ପ୍ରଭାବକୁ ବଳବତ୍ତର ରଖି ପ୍ରଶଂସନୀୟ ବିଜୟ ଦେଇଛନ୍ତି ଦଳକୁ । ପଦ୍ମିନୀଙ୍କ ବ୍ୟତୀତ ଟୁକୁନି ସାହୁ ଅନ୍ୟତମ ମହିଳା ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେବାପରେ ଦଳ ପଶ୍ଚିମାଞ୍ଚଳରେ ଅନେକ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଛି । ଯଦିଓ ମହେଶ୍ୱର ମହାନ୍ତି ଏବଂ ସଞ୍ଜୟ ଦାସବର୍ମାଙ୍କ ପରାଜୟ ନିମାପଡ଼ାର ସମୀର ଦାଶଙ୍କ ଲାଗି ମନ୍ତ୍ରୀପଦ ଦେଇପାରିଛି । ବାଲେଶ୍ୱରରେ ଅନନ୍ତ ଦାସଙ୍କ ବଦଳରେ ଜ୍ୟୋତି ପାଣିଗ୍ରାହୀ ଏବଂ କେନ୍ଦୁଝରରେ ବଦ୍ରୀନାରାୟଣ ପାତ୍ରଙ୍କ ବଦଳରେ ପ୍ରେମାନନ୍ଦ ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇଛି ।

ବାଲିକୁଦା ଏରସମାରେ ହେଭିୱେଟ୍ ନେତା ଦାମ ରାଉତଙ୍କୁ ପରାସ୍ତ କରିଥିବା ରଘୁନନ୍ଦନ ଦାସଙ୍କୁ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ମିଳିପାରିଛି ।

ଏହାବ୍ୟତୀତ ଅରୁଣ ସାହୁଙ୍କ ପରି ଯୁବମନ୍ତ୍ରୀ, ପଦ୍ମନାଭ ବେହେରା ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯାଇଛି ।

Leave A Reply

Your email address will not be published.