Latest Odisha News

BREAKING NEWS

ନବରଙ୍ଗପୁରର ଅକ୍ଷୟ; ଯିଏକି ଦୃଢ ଇଚ୍ଛାଶକ୍ତି ବଳରେ ହୋଇପାରିଛନ୍ତି ସ୍ୱାବଲମ୍ବୀ

ନବରଙ୍ଗପୁର: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ତଥା ନିଜର ଆତ୍ମବଳ ଦ୍ୱାରା ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବ । ଏହି ଉକ୍ତିକୁ ଯଥାର୍ଥତା ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି । ଯିଏକି ଦିବ୍ୟାଙ୍ଗ ହୋଇ ମଧ୍ୟ ଜଣେ ମେକାନିକ୍ ଭାବେ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

ଅକ୍ଷୟ କୁମାର ନାମକ ଏହି ୩୦ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ଜନ୍ମରୁ ମୂକ ଓ ବଧିର । ତଥାପି ଦୃଢ ବିଶ୍ୱାସ ଓ ଅବିଚ୍ଛିନ୍ନ ସଂଘର୍ଷ କରି ଜଣେ ଦକ୍ଷ ଇଲୋକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ୍ ମେକାନିକ୍ ଭାବେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଏକପ୍ରକାର ଉଦାହରଣ ପାଲଟିଛନ୍ତି ।

ତାଙ୍କ ବାପା ନାରାୟଣ ସାହୁ ଏନେଇ କହିଛନ୍ତି ଯେ, ତାଙ୍କ ତେଲିଗୁଡା ନିକଟରେ ମୂକ ଓ ବଧିର ପିଲାଙ୍କ ପାଇଁ କୌଣସି ବିଦ୍ୟାଳୟର ସୁବିଧା ନଥିଲା । ସେଥିପାଇଁ ମୁଁ ସବୁବେଳେ ତା’ର ଭବିଷ୍ୟତକୁ ନେଇ ଚିନ୍ତିତ ରହୁଥିଲି । ପରେ କିଛି ପଢା ଲେଖା ଶିଖିଲେ, ଆଗକୁ କିଛି କରିପାରିବ ବୋଲି ଆଶା ରଖି ତାକୁ ଗାଁକୁ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।

ପରେ ସେ ଗାଁ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଦଶମ ଯାଏଁ ନବରଙ୍ଗପୁର ସ୍ଥିତ ଜେଇଏଲସି ବିଦ୍ୟାଳୟରେ ପାଠ ପଢିଥିଲା । ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ ସେ ଆଉ ଚାହିଁନଥିଲା ।

କିନ୍ତୁ ସ୍କୁଲ ସମୟରୁ ତା’ର ବିଭିନ୍ନ ଯନ୍ତ୍ରପାତି ପ୍ରତି ପ୍ରବଳ ଆଗ୍ରହ ରହିଥିଲା । ଏପରିକି ବେଳେବେଳେ ଘରେ ମଧ୍ୟ କିଛି କିଛି ବୈଦ୍ୟୁତିକ କାର୍ଯ୍ୟ କରୁଥିଲା । ତା’ର ଉତ୍ସାହକୁ ଦେଖି ମୁଁ ତାକୁ ନବରଙ୍ଗପୁର ବସଷ୍ଟାଣ୍ଡ ସ୍ଥିତ ଏକ ବୈଦ୍ୟୁତିକ ଉପକରଣ ଦୋକାନରେ ଆଣି ଛାଡିଲି ।

ପରେ ଦୋକାନ ମାଲିକ ଏସ. ଅଲ୍ଲୀ ମଧ୍ୟ ତାକୁ ଯନ୍ତ୍ରପାତି ମରାମତି ସମ୍ବନ୍ଧୀୟ କାର୍ଯ୍ୟ ଶିଖାଇବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ମଧ୍ୟ କରିଥିଲେ । ପାଖାପାଖି ୧ ବର୍ଷ ମଧ୍ୟରେ ସେ ଏହି କାମରେ ପୂରାପୂରି ପୋଖତ ହୋଇଯାଇଥିଲା ବୋଲି ଅକ୍ଷୟଙ୍କ ବାପା କହିଛନ୍ତି ।

ଜଣେ ଭଲ ଛାତ୍ର ଭଳି ଅକ୍ଷୟ ମୋ’ କଥାକୁ ମନଧ୍ୟାନ ଦେଇ କାର୍ଯ୍ୟରେ ଲଗାନ୍ତି ବୋଲି ଅତ୍ୟନ୍ତ ଖୁସିର ସହ କହିଛନ୍ତି ଉକ୍ତ ଦୋକାନର ମାଲିକ । ଏପରିକି ମୋବାଇଲ୍ ଫୋନର ମେସେଜ୍ ଦ୍ୱାରା ସେ ଗ୍ରାହକଙ୍କ ସହ ସମ୍ପର୍କ କରି ତାଙ୍କ ଠିକଣାରେ ମଧ୍ୟ ସାମଗ୍ରୀ ସବୁକୁ ପହଞ୍ଚାଇ ଦେଇଥାଏ । ସେ ବର୍ତ୍ତମାନ ସମୟରେ ଦୈନିକ ପ୍ରାୟ ୫୦୦ ଟଙ୍କା ଯାଏଁ ରୋଜଗାର କରିପାରୁଛନ୍ତି ।

ଜଣେ ମେକାନିକ୍ ହେବା ସହିତ ଭଲ ଟ୍ରାକ୍ଟର ଚାଳକ ଭାବେ ମଧ୍ୟ ସେ ଜଣାଶୁଣା । ଚାଷବାସ ଅମଳ ସମୟରେ ସେ ଜମିରେ ଟ୍ରାକ୍ଟର ମଧ୍ୟ ଚଳାଇଥାନ୍ତି ।

ଏହାବ୍ୟତିତ ସେ କିଛି ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ହ୍ୱାଟ୍ସଅପ୍ ଗ୍ରୁପ୍ ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ କି ଆବଶ୍ୟକସ୍ଥଳେ ସେମାନେ ପରସ୍ପରର ସହାୟତା ମଧ୍ୟ କରିପାରୁଛନ୍ତି ।

ଅକ୍ଷୟ ବିବାହିତ ହୋଇଥିବା ବେଳେ ତାଙ୍କର ୨ଜଣ ପୁଅ ରହିଛନ୍ତି । ଏଥିସହିତ ବର୍ତ୍ତମାନ ସମୟରେ ସେ ସରକାରଙ୍କ ଠାରୁ ୧୦୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଆଗାମୀ ଦିନରେ ନିଜର ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ନେଇ ଅକ୍ଷୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.