Latest Odisha News

BREAKING NEWS

ଶବ ଚିହ୍ନଟରେ ଦ୍ୱନ୍ଦ୍ବ ହେଲେ ଡିଏନଏ ଟେଷ୍ଟ ଉପରେ ଗୁରୁତ୍ୱ, ମର ଶରୀର ରଖିବାକୁ ଆସୁଛି କଣ୍ଟେନର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ବିବ୍ରତ ବ୍ୟକ୍ତିମାନେ ଖୋଜାଖୋଜି ଜାରି ରଖିଥିବା ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇଛି। ହେଲେ ଆବଶ୍ୟକ ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶୁତୋଷ ବିଶ୍ୱାସ କହିଛନ୍ତି।

ଭୁବନେଶ୍ୱର ଏମ୍ସକୁ ମୋଟ୍ ୧୨୩ଟି ମୃତ ଦେହ ଆସିଥିବା ବେଳେ ୪୩ଟିକୁ ଚିହ୍ନଟ କରାଯାଇ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ବିହାର ସରକାରଙ୍କ ନିୟୋଜନ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ମୀନାଙ୍କ ସମେତ ୫ଜଣିଆ ଟିମ୍ ଏମ୍ସ ଆସି ମୃତ ଶରୀରକୁ ଚିହ୍ନଟ କରି ତାଙ୍କ ରାଜ୍ୟର ଲୋକଙ୍କ ହସ୍ତାନ୍ତର ପାଇଁ ସହଯୋଗ କରିଛନ୍ତି।

ଅଧିକ ସଂଖ୍ୟକ ଶବ ପାଇଁ ହସ୍ପିଟାଲରେ ସୀମିତ ସଂରକ୍ଷଣ କ୍ଷମତା ସମସ୍ୟାର ସମାଧାନ ପାଇଁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଘୋଷଣା କରିଛନ୍ତି ଯେ ସେମାନେ ପାରାଦୀପ ବନ୍ଦରରୁ ୫ଟି କଣ୍ଟେନର ଆଣୁଛନ୍ତି। ଏହି କଣ୍ଟେନରଗୁଡ଼ିକ ଅସ୍ଥାୟୀ ଷ୍ଟୋରେଜ୍ ୟୁନିଟ୍ ଭାବେ କାମ କରିବ ଏବଂ ପ୍ରତ୍ୟେକରେ ପ୍ରାୟ ୩୦ରୁ ୪୦ଟି ମର ଶରୀର ରହିପାରିବ।

ଦୁର୍ଘଟଣା ପରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୟଙ୍କ ନିର୍ଦ୍ଦେଶ ପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ରହିଛି। ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ପାଖାପାଖି ୮୦ଟି ମୃତଦେହ ରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୧୫ରୁ ୧୬ଟି ଶବ ଚିହ୍ନଟ ଶେଷ ହୋଇଛି, ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଅନ୍ୟପଟେ ଏମ୍ସରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ମୃତ ଶରୀର ପାଇଁ ଆସୁଥିବା ପରିବାର ଲୋକେ ଯେମିତି କୌଣସି ସମସ୍ୟାରେ ସମ୍ମୁଖୀନ ନ ହୁଅନ୍ତୁ ସେ ବିଷୟରେ ଆଲୋଚନା କରିଛନ୍ତି। ଯେଉଁ କ୍ଷେତ୍ରରେ ଶବ ଦାବିଦାର ଅଧିକ ଦେଖା ଯାଉଛନ୍ତି ସେଠି ଡିଏନଏ ପରୀକ୍ଷା କରି ଶବ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.