Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ବ୍ଲକରେ ଡାକ୍ତର ଅଭାବ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ୨୫୧ ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି କିନ୍ତୁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ବ୍ଲକରେ ମୋଟ୍ ୧୭ ଟି ଡାକ୍ତର ପଦବୀ ରହିଛି । ସେ ଭିତରୁୁ ୧୦ଟି ଡାକ୍ତର ପଦବୀ ଖାଲି ପଡ଼ିଛି ।

ବ୍ଳକର ୨୦ରୁ ଅଧିକ ଗାଁକୁ ହଇଜା ବ୍ୟାପିଛି । ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୨୪୬ ଗାଁକୁ ସର୍ଭେଲାନ୍ସରେ ରଖିଛି। ଦୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଙ୍ଗାଗୁଡ଼ା ଗାଁରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏବେବି କାଶୀପୁର ବ୍ଲକର ଚାରୋଟି ମେଡ଼ିକାଲରେ ୬୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ଗାଁରେ ୪୦ ରୁ ଉର୍ଦ୍ଧ୍ୱଙ୍କୁ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଚିକିତ୍ସା କରୁଛନ୍ତି ।

ସେପରି ଆଜି ସୁଧା ମୋଟ ୨୫୧ ଜଣ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । କେବଳ ସେତିକି ନୁହଁ ବ୍ଳକର ୨୦ରୁ ଅଧିକ ଗାଁକୁ ବ୍ୟାପିଛି ହଇଜା, ବର୍ତ୍ତମାନ ସୁଧା ୨୪୬ ଗାଁକୁ ସର୍ଭେଲାନ୍ସରେ ରଖିଛି ଜିଲ୍ଲା ପ୍ରଶାସନ । ଦୁଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କାଶୀପୁର ବ୍ଲକରେ ରହିଛି ୭ଟି ସ୍ୱାସ୍ଥ୍ୟ କେନ୍ଦ୍ର ।

ସେଥି ମଧ୍ୟରୁ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମଧ୍ୟ ଡ଼ାକ୍ତର ନାହାନ୍ତି । ଏପରିକି ବ୍ଲକର ମୋଟ ୧୭ ଟି ଡାକ୍ତର ଜାଗାରେ ଖାଲି ପଡ଼ିଛି ୧୦ ଡାକ୍ତର ପଦବୀ । ଯଦିଓ ଝାଡା ବାନ୍ତି ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି । ୧୮ ଜଣ ଏମବିବିଏସ ଡାକ୍ତରଙ୍କ ସହିତ ଜଣେ ମେଡ଼ିସିନ ସ୍ପେଷାଲିଷ୍ଟ ଏବଂ ୮ ଜଣ ଆୟୁଷ ଡାକ୍ତରଙ୍କୁ ବିଭିନ୍ନ ବ୍ଲକରୁ ଡେପୁଟେସନରେ ଆଣି ନିଯୋଜିତ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି ।

ଶନିବାର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ଜିଲାପାଳ ସ୍ଵଧା ଦେବ ସିଂଙ୍କ ସହ ସ୍ଵତନ୍ତ୍ର ବୈଠକ କରି ପରିସ୍ଥିତି ସମକ୍ଷା କରିବା ସହ ଖାଲି ପଡ଼ିଥିବା ୭ଟି ଡ଼ାକ୍ତର ପଦବୀ ପୂରଣ ସାଙ୍ଗକୁ ସ୍ଵଚ୍ଛ ପିଇବା ପାଣି ପାଇଁ ଯୋଜନା କରିଛନ୍ତି ।

ବିଭିନ୍ନ ଗ୍ରାମରେ ଅନେକ ଶିଶୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କପାଡାଙ୍ଗ ଗ୍ରାମର ୩ ବର୍ଷର ଶିଶୁ ନକୁଳ ମାଝି, ଟିକିରିର ୯ ବର୍ଷର ବବଲୁ ମାଝି ଓ ଡେଙ୍ଗାଗୁଡାର ୧୪ ବର୍ଷର ବାଳକ ଶଙ୍କର ମାଝି ଝାଡା ବାନ୍ତିରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏତଦ ବ୍ୟତୀତ ଉଷାପଡ଼ା ଠାରେ ମଧ୍ୟ ଆଉ ଜଣ ୧୨ ବର୍ଷର ବାଳକ ଭର୍ତ୍ତି ହୋଇଛନ୍ତି । ଯାହାକି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ଦୁଇ ଦିନ ହେବ ଶିଶୁମାନେ ଆକ୍ରାନ୍ତ ହୋଇ ମେଡିକାଲ ଆସୁଛନ୍ତି । ଏଥି ସହ ଭ୍ରାମ୍ୟମାଣ ସ୍ୱାସ୍ଥ ସେବା ଟିମ ମଧ୍ୟ ଦୁର୍ଗମ ଅଞ୍ଚଳରେ କିଛି ଶିଶୁଙ୍କ ଚିକିତ୍ସା କରିଥିବା ଜଣାପଡ଼ିଛି । ତେବେ ଶିଶୁଙ୍କ ନମୁନାରେ ହଇଜା ଜୀବାଣୁ ବ୍ୟାପୁଛି ନା ନାହିଁ ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.