ନୂଆଦିଲ୍ଲୀ: ସରକାରକୁ ଆସିବା ପରେ ଦେଶରେ ଛୋଟ ବଡ ପରିବର୍ତ୍ତନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଭାରତ ପ୍ରତି ଯେମିତି ତାଙ୍କର ସ୍ବାଭାବ ବଦଳିଯାଇଛି । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଙ୍ଗ ବୋଲି ସମ୍ବୋଧିତ କରୁଛନ୍ତି, ଆଉ ଗୋଟେ ପଟେ ଭାରତକୁ ଆମେରିକା ଠାରୁ ସମସ୍ତ ସହାୟତାରେ କଟନିଛଟନି କରୁଛନ୍ତି ଟ୍ରମ୍ପ ସରକାର । ଭାରତ ତଥା ଅନ୍ୟ ଦେଶର ବେଆଇନ ପ୍ରବାସୀଙ୍କୁ ମଧ୍ୟ ଆମେରିକାରୁ ତଡିଛନ୍ତି ଟ୍ରମ୍ପ ସରକାର ।
ଏହାରି ଭିତରେ ଏବେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ୟୁ.ଏସ.ଏ.ଆଇ.ଡିରେ କାମ କରାଥିବା ପ୍ରାୟ ୧୬୦୦ କର୍ମଚାରୀଙ୍କୁ ଏକାଥରରେ ଛଟେଇ କରିଛନ୍ତି । ଟ୍ରମ୍ପ ପ୍ରଶାସନ ଆମେରିକା ଆନ୍ତର୍ଜାତୀୟ ବିକାଶ ସଂସ୍ଥା, ୟୁ.ଏସ.ଏ.ଆଇ.ଡିକୁ ପୁନର୍ଗଠନ ଆରମ୍ଭ କରିଛି । ଯାହା କ୍ରମରେ ଏହାର ଅଧିକାଂଶ କର୍ମଚାରୀଙ୍କୁ ଛୁଟିରେ ପଠାଇଥିବା ବେଳେ ପାଖାପାଖି ୧୬୦୦ ଆମେରିକା-ଭିତ୍ତିକ ପଦବୀକୁ ଉଚ୍ଛେଦ କରିଛି । ଏହି ପଦକ୍ଷେପ ସରକାରୀ ଖର୍ଚ୍ଚ ହ୍ରାସ କରିବା ଏବଂ ୟୁ.ଏସ.ଏ.ଆଇ.ଡିକୁ ପୁନଃଆକୃତି ଦେବା ପାଇଁ ପ୍ରଶାସନର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚିହ୍ନିତ କରିଛି । ଯାହା ଦୀର୍ଘ ଦିନ ଧରି ବିଶ୍ୱ ମାନବିକ ଏବଂ ବିକାଶ କାର୍ଯ୍ୟରେ ଏକ ପ୍ରମୁଖ ଉତ୍ସ ହୋଇଆସିଛି ।
ତେବେ ପ୍ରଥମେ ସରକାରୀ ସ୍ତରରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ପ୍ରାୟ ୨୦୦୦ କର୍ମୀଙ୍କୁ ଛଟେଇ କରାଯାଇଥିଲା । ହେଲେ ପରେ ଦ ଓ୍ବାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହାକୁ ସଂଶୋଧନ କରାଯାଇ ପ୍ରକାଶ ପାଇଥିବା ରିପୋର୍ଟରେ, ୧୬୦୦ କର୍ମଚାରୀ ଛଟେଇ ହୋଇଛନ୍ତି । ଏଥିସହିତ ସମସ୍ତ ୟୁ.ଏସ.ଏ.ଆଇ.ଡି ପ୍ରତ୍ୟକ୍ଷ ନିଯୁକ୍ତି କର୍ମଚାରୀଙ୍କୁ ବିଶ୍ୱବ୍ୟାପୀ ପ୍ରଶାସନିକ ଛୁଟିରେ ପଠାଇଦିଆଯାଇଛି ।
ସରକାରଙ୍କ ଏହି ଯୋଜନା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇବାକୁ ୟୁ.ଏସ.ଏ.ଆଇ.ଡି କର୍ମଚାରୀ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନକୁ ୟୁଏସ୍ ଡିଷ୍ଟ୍ରିକ୍ଟ ବିଚାରପତି କାର୍ଲ ନିକୋଲାସ୍ ଖାରଜ କରିଛନ୍ତି। କର୍ମଚାରୀଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବୃଆରୀ ୨୩ ରାତି ୧୧ଟା ୫୯ରୁ ୟୁ.ଏସ.ଏ.ଆଇ.ଡିର ସମସ୍ତ କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ରଖାଯିବ।
Comments are closed.