ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା କଣ୍ଟରେ ରତ୍ନଭଣ୍ଡାର ଗଣତି ସରିବନି । ଡେଡଲାଇନରୁ ବିଳମ୍ବିତ ହେଉଛି, କାରଣ ମରାମତି କାମ ସରିନାହିଁ । ଯେତିକି ଆକଳନ କରାଯାଇଥିଲା ତାହାଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି । ଏନେଇ ପୂରା ଆକଳନ ହୋଇପାରିନାହିଁ । ମରାମତି କାର୍ଯ୍ୟ ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଅଧିକ ସମୟ ଲାଗିବ । ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ । ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
ଏଥିସହିତ ମନ୍ଦିର ପ୍ରଶାସନ ଏଏସଆଇକୁ, ମରାମତି ପାଇଁ ସମୟ ଦେଉନଥିବାରୁ, ଏତେ ବିଳମ୍ବ ହେଉଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଏହା ଭୁଲ୍ କଥା । ମହାପ୍ରଭୁ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି କାର୍ଯ୍ୟରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି ।
Comments are closed.