Latest Odisha News

ଦୁର୍ନୀତି କରେନି… ଦଳୀୟ କଣ୍ଟ୍ରାକ୍ଟର ଚାନ୍ଦା ଦିଅନ୍ତି: ବିଜେଡି ବିଧାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆନନ୍ଦପୁର ଜିଲ୍ଲା ପରିଷଦ ସଦସ୍ୟା ଅଷିମା ମିଶ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିକରି ଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା କେନ୍ଦୁଝର ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଦଳୀୟ କଣ୍ଟ୍ରାକ୍ଟର ତାଙ୍କୁ ଚାନ୍ଦା ଦିଅନ୍ତି । ଗୋଟିଏ ପଟେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା କଥା କହୁଛନ୍ତି ରାଜ୍ୟ ସରକାର ଅନ୍ୟପଟେ ଖୋଦ୍ ଶାସକ ଦଳର ବିଧାୟକ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ସେ ଦଳୀୟ କଣ୍ଟ୍ରାକ୍ଟରଙ୍କଠାରୁ ଚାନ୍ଦା ନିଅନ୍ତି। ଯାହାକି ସରକାରଙ୍କ ନୀତି ଓ ଶାସକ ଦଳର ଏହି ବିଧାୟକଙ୍କ ଆଭିମୁଖ୍ୟ ଦୁଇଟି ଅଲଗା ଅଲଗା ବୋଲି ଜଣାପଡିଛି।

ମହିଳା ନେତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗକୁ ସେ ଖାରଜ କରିଛନ୍ତି। ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏମିତିକି ବୈଠକରେ ଉପସ୍ଥିତ ଥିବା ବିଡିଓ ଏବଂ ଅନ୍ୟମାନେ ଏହାର ପ୍ରମାଣ ଦେଇପାରିବେ ବୋଲି ବିଧାୟକ କହିଛନ୍ତି। ଏମିତିକି ସେ ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ । ଦୋଷ ବାହାରିଲେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ତେବେ ଯିଏ ସାହାଯ୍ୟ ସହଯୋଗ ମାଗିବ ତାଙ୍କୁ ସେ ସହଯୋଗ କରନ୍ତି ବୋଲି କହିଛନ୍ତି। ପୂର୍ବରୁ ଚାକିରିରୁ ସେ କିଛି ପଇସା ରଖିଥିଲେ ଏବଂ ତାଙ୍କର ଜମିଜମା ରହିଛି। ହେଲେ ବ୍ୟବସାୟ ନାହିଁ ବୋଲି କହିଛନ୍ତି। ଏମିତିକି ନିଜର ଘର ଖଣ୍ଡିଏ ନାହିଁ ବୋଲି କହିଛନ୍ତି। ତାଙ୍କ ପୁଅ ଏବେ ଘର କରିଛନ୍ତି . . . । ନିର୍ବାଚନରେ ହେଉଥିବା ଲକ୍ଷାଧିକ ଟଙ୍କାର ଖର୍ଚ୍ଚକୁ ନେଇ ସେ କହିଛନ୍ତି ତାଙ୍କ ସହ କିଛି କଣ୍ଟ୍ରାକ୍ଟର ରହିଛନ୍ତି। ଯେଉଁମାନେ କି ତାଙ୍କୁ ସହଯୋଗ କରନ୍ତି। ଦଳୀୟ ଲୋକ ହୋଇଥିବାରୁ ବିଭିନ୍ନ ସମୟରେ ବଡ଼ ବଡ଼ ଟେଣ୍ଡର ପାଆନ୍ତି। ସେମାନଙ୍କୁ ମାଗିଲେ ଖର୍ଚ୍ଚ ପାଇଁ ଚାନ୍ଦା ଦିଅନ୍ତି…. ବୋଲି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି।  ବିଜେଡି କଣ୍ଟ୍ରାକ୍ଚରଙ୍କ ବ୍ୟତୀତ ସେ ଆଉ କାହାକୁ ପଇସା ପତ୍ର ମାଗନ୍ତି ନାହିଁ ବୋଲି କହିଛନ୍ତି।

ଏହା ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ପରେ ନିଜ ପୁରୁଣା ଦଳକୁ ଫେରିଛନ୍ତି। ଆଉ ୨୦୧୯ ନିର୍ବାଚନରେ ସେ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ବୋଲି କହିଛନ୍ତି। ଆଗାମୀ ନିର୍ବାଚନରେ ୭୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଯଦି ଟିକେଟ୍ ନମିଳେ ତାହେଲେ ସେ ଦଳ ଛାଡିବେ ନାହିଁ କି ସ୍ୱାଧୀନ ଭାବେ ଲଢ଼ିବେ ନାହିଁ ବୋଲି କହିଛନ୍ତି।

 

Leave A Reply

Your email address will not be published.