ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ
ପୁରୁଣା ଏବଂ ଆଧୁନିକ ଭୁବନେଶ୍ୱର ମଧ୍ୟରେ ଫରକ ଏତକି ପରମ୍ପରା ସହିତ ପାର୍ବଣ। ପୁରୁଣା ଭୁବନେଶ୍ୱରରେ ସାଇକେଲ ଧରି ସୁରୁଖୁର ଭାବେ ଦର୍ଶନ କରିହଉଥିବା ବେଳେ ଆଧୁନିକ ଭୁବନେଶ୍ୱରରେ ଦର୍ଶନ ଦୂରେଇ ଦୂରେଇ ଯାଉଛି। ଯଥା ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ପୁରୁଣା ଭୁବନେଶ୍ୱରରେ ପୂଜାର ମାହୋଲ ଆଜି ମଧ୍ୟ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ, ଯଥା ଭିଡ଼ ବିହୀନ ପୂଜା ହୋଇପାରୁଛି ଏବଂ ଭକ୍ତ ସୁରୁଖୁରୁରେ ପାର୍ବଣର ଆନନ୍ଦ ନେଇ ପାରୁଛନ୍ତି।
ଅନ୍ୟପଟେ ଆଧୁନିକ ଭୁବନେଶ୍ୱରରେ ବିଶାଳକାର ମୂର୍ତ୍ତି ନିର୍ମାଣ ହେଉଛି, ମଧ୍ୟରାତ୍ର ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ଜନଗହଳି ସୃଷ୍ଟି କରାହେଉଛି, ଆଗକୁ ଦୁର୍ଗା ପୂଜାରେ କୋଉଠି ଚାନ୍ଦି ମେଢ଼ ତ କୋଉଠି ସୁନା ମୁକୁଟ ତ କୋଉଠି ଆଃ ରାତ୍ର ମିନା ବଜ଼ାରକୁ ମେଲୋଡି ଇତ୍ୟାଦି ଇତ୍ୟାଦି, ହେଲେ ଯେଉଁଥି ପାଇଁ ପାର୍ବଣ ତାହାର ଟିକେ ମହକ ମଧ୍ୟ ଆଉ ଦିଶୁନି ବରଂ ଏକ ଗରିବ ପ୍ରଧାନ ରାଜ୍ୟରେ ପାର୍ବଣ ହିଁ ଏକମାତ୍ର ମାଧ୍ୟମ ଗରିବ ମଧ୍ୟବିତ୍ତ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ଅର୍ଥନୀତି ଅଭିବୃଦ୍ଧିର ମାଧ୍ୟମ ଖୋଜିବା ।
ଏମିତି ଦିନେ ମୁଁ ପ୍ୟାରିସରେ ରାସ୍ତାରେ ବସି କଫି ପିଉଥିବା ବେଳେ କିଛି ଏହି ସହର ଅଧିବାସୀଙ୍କୁ ପଚାରିଥିଲି, ଆପଣମାନେ ଏଫିଲ ଟାୱାର ପାଇଁ ଗର୍ବିତ। କିଛି ସମୟ ସେମାନେ ନିଜ ମଧ୍ୟରେ ଫ୍ରେଞ୍ଚ ଭାଷାରେ କଥା ହୋଇ ହସିକି ଇଂରାଜୀରେ କହିଲେ ଆମେ କେବେ ଏହା ଭିତରକୁ ଯାଇନୁ, ହେଲେ ଏହା ଆମର ଜୀବନଧାରା ନିଶ୍ଚିତ ନିର୍ଦ୍ଧାରିତ କରୁଛି।
ସମ୍ଭବତଃ ଏହା ଆକର୍ଷିତ ନହୋଇଥିଲେ ଆମେ ଏହାର ସୌନ୍ଦର୍ଯ୍ୟ ଅନୁଭବ କରିପାରିଥାନ୍ତୁ। ହେଲେ ପର୍ଯ୍ୟଟନ ଏବଂ ପର୍ଯ୍ୟଟକଙ୍କ ପାଇଁ ଆମ ସହର ସୌନ୍ଦର୍ଯ୍ୟ ଆମଠାରୁ ଦୂରେଇ ଗଲା। ଯେପରି ଆମେ କ’ଣ ଖାଇବୁ, କେମିତି ବୁଲିବୁ, କେତେବେଳେ ବାହାରକୁ ବାହାରିବୁ ଇତ୍ୟାଦି ଇତ୍ୟାଦି। ଆମର ନିତ୍ୟ କାର୍ଯ୍ୟରେ ବହୁତ ବ୍ୟତିକ୍ରମ ଘଟିଛି।
ଆଉ ଆଜି ସେହି କଥା ମନେ ପଡୁଛି ମୋର ପାର୍ବଣ ୠତୁରେ ମୋ ସହରର ଦୃଶ୍ୟ ବିଗତ କିଛି ବର୍ଷରେ କିପରି ବଦଳିଛି। କିଛି ବୁଦ୍ଧିଜୀବୀଙ୍କ ବାର୍ତ୍ତାଳାପ ବର୍ତ୍ତମାନ ମୋତେ ପ୍ୟାରିସ କଥା ମନେ ପକେଇ ଦେଲା ଯେତେବେଳେ ସେମାନେ କହୁଥିଲେ ଆମ ସହର ଆମଠାରୁ ଦୁରେଇଗଲାଣି। ଯଥା ଚାରି ଫୁଟ ଗଣେଶ ପୂଜା ବର୍ତ୍ତମାନ ପଚାଶ ଫୁଟରେ ପହଞ୍ଚିଲାଣି, ଦୂର୍ଗା ପୂଜା ଲକ୍ଷେ ଟଙ୍କାରୁ ଆରମ୍ଭ କରି ପଚାଶ ଲକ୍ଷ ବ୍ୟୟବହୁଳରେ ପହଞ୍ଚିଲାଣି, ପାର୍ବଣ ଆସିଲେ ପାର୍ବଣକୁ ଉପଭୋଗ ଅପେକ୍ଷା ଭୟବିତ ପରିସ୍ଥିତି ସୃଷ୍ଟି ହେଉଛି, ଏହା ସୁଚାଉଛି ଆମେ ମଧ୍ୟ ପ୍ୟାରିସ ଅବସ୍ଥାରେ ପହଞ୍ଚି ଗଲେଣି।
ସମ୍ଭବତଃ ଏହା ଆଜିର ବାସ୍ତବ, କାରଣ ମୋ ସହର ବାସିନ୍ଦା ଯେତିକି ପାର୍ବଣ ପ୍ରତି ଉତ୍ସାହ ଥାଏ ତା’ଠାରୁ ଅଧିକ ଉତ୍ସବ ମୁଖର ହୋଇ ଉଠେ ମୋ ସହର । ଗଣେଶ ପୂଜାଠାରୁ ଆରମ୍ଭ କରି କଟକ ବାଲି ଯାତ୍ରା, କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଉତ୍ସବ ମୁଖର ରହୁଥିବା ସହର, ଆଜି କିଛି ହାତ ଗଣତି ପୂଜା ମଣ୍ଡପ ପାଇଁ ସବୁକିଛି ହରେଇ ବସିଛି। ଆଉ ଏହି ସମୟରେ ପ୍ରାୟତଃ ସ୍ଥାନୀୟ ବାସିନ୍ଦା ଏବଂ ଏହାର ଆଖ ପାଖ ବାସିନ୍ଦା ମୋ ସହରକୁ ଆସୁଥିଲେ ଦର୍ଶନ କରିବା ପାଇଁ ଏବଂ ପାର୍ବଣ ଋତୁର ଆନନ୍ଦ ନେବା ପାଇଁ। ହେଲେ ବର୍ତ୍ତମାନ କିଛି ପୂଜା ମଣ୍ଡପଙ୍କ ପାଇଁ ଏହା ନିଜର ପତିଆରା ଜାହିର କରିବା ଅବା ନିଜ ଅଞ୍ଚଳରେ ନିଜର ପ୍ରାଦୁର୍ଭାବ ଦେଖେଇବା, ଇତ୍ୟାଦି ଇତ୍ୟାଦି। ଫଳ ସ୍ୱରୂପ ଏହାର ଅଧିବାସୀ ଠିକ ପ୍ୟାରିସ ଭଳି ଚିନ୍ତାଧାରା କରିବାରେ କିଛି ଆଶ୍ଚର୍ୟ୍ଯ ହବାର ନାହିଁ।
ଏହାର ଜ୍ୱଳନ୍ତ ଉଦାହରଣ ମୁଁ ମୋର ଅଭିଜ୍ଞତା ପୁରୁଣା ଏବଂ ଆଧୁନିକ ଭୁବନେଶ୍ୱରରୁ ପାଇସାରିଛି। ତେଣୁ ସମସ୍ତେ ଚିନ୍ତା କରିବା ଦରକାର ବିଶାଳକାୟ ମୂର୍ତ୍ତି ନିର୍ମାଣ କରିବା ଅବା ଚାନ୍ଦି ମେଢ଼ ଅବା ତୋରଣରେ ଆଧ୍ୟାତ୍ମିକ ନଥାଏ, ଯେପର୍ଯ୍ୟନ୍ତ ଭକ୍ତ ତା ଭଗବାନକୁ ସୁରଖୁର ଭାବେ ଦର୍ଶନ ନରିବା ପର୍ଯ୍ୟନ୍ତ। ସମ୍ଭବତଃ ଗୋଟେ ସହର ଏବଂ ଏହାର ସଂସ୍କୃତି ଏଠାରେ ବସ ବାସ କରୁଥିବା ଅଧିବାସୀଙ୍କୁ ନେଇ ଗଢି ଉଠେ। ହେଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ଜୋର ମଣ୍ଡପରେ ଦିନେ ଖାଁ ଖାଁ ଲାଗେ, ଆଜି ସେହି ମଣ୍ଡପ ଆଗକୁ ଯାଇ ହଉନି ସାଇକେଲରେ, କାରଣ ଜନଗହଳି ସୃଷ୍ଟି କରାଯାଇଛି ଏକ ବାର୍ତ୍ତା ଦେବାପାଇଁ ଯେ ଆମ ଅଞ୍ଚଳ ପୂଜା ଦେଖିବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଏହା ହେଉଛି ଆଜିର ପାର୍ବଣ ୠତୁ ଆରମ୍ଭର ଅଭିଜ୍ଞତା, ପାଖରେ ଥାଇ ମଧ୍ୟ ଦର୍ଶନ ମିଳିଲାନି।
ଏତେ ଭକ୍ତ, ପର୍ଯ୍ୟଟକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଗରୁ ଭକ୍ତି ଭାବ ହଜେଇ ସାରିଛି ଏବଂ ବର୍ତ୍ତମାନ ମୋ ସହରକୁ ଆମଠାରୁ ଦୂରେଇ ସାରିଲାଣି। କେଜାଣି ହୁଏତ ଦିନ ଆସିବ ଆମେ ମଧ୍ୟ ଯାଜାବର ଭଳି ଅପେକ୍ଷା କରି ବସିବୁ ଟିକେ ଦର୍ଶନ ପାଇଁ।