Latest Odisha News

BREAKING NEWS

ଡବଲ ଇଞ୍ଜିନ ବନାମ ନବୀନ ଇଞ୍ଜିନ୍: କାହାକୁ ଭରସା କରିବେ ଓଡ଼ିଶାବାସୀ?

ଭୁବନେଶ୍ୱର: ରାଜ୍ୟରେ କିଏ ଗଢ଼ିବ ସରକାର ଭିତରେ ଏବେ ପ୍ରସଙ୍ଗ ପାଲଟିଛି ଦୁଇ ଦଳ ବିଜେପି ଓ ବିଜେଡିର ନାରା ଡବଲ ଇଞ୍ଜିନ ଏବଂ ନବୀନ ଇଞ୍ଜିନ। ବିଜେପିର କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନେତା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଅନ୍ୟପଟେ ବିଜେଡି ଏହାର ଜବାବ ଦେବାକୁ ଯାଇ କହୁଛି, ରାଜ୍ୟରେ ଦରକାର ନବୀନ ଇଞ୍ଜିନ୍। ଯାହା କେବେ ଫେଲ୍ ମାରିବ ନାହିଁ।

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ସମାବେଶରେ ରାଜ୍ୟର ଶାସକ ଦଳ ବିଜେଡି ବିରୋଧରେ ଖୁବ ବର୍ଷିଥିଲେ।ଓଡିଶାରେ ଓଡିଆ ନେତାଙ୍କ ଅଭାବ ରହିଛି କି ? ଓଡ଼ିଶା ମାଟିର ପୁଅକୁ ନେତା ଭାବରେ ଚାହୁଁନାହଁ କି? ଆପଣଙ୍କ ରାଜ୍ୟରେ ଶାସନ କରିବା ପାଇଁ ଆପଣ ବାହାରୁ ଲୋକକୁ ଆମଦାନୀ କରିବାକୁ ଚାହୁଁଛନ୍ତି କି? ସାବଧାନ ରୁହନ୍ତୁ, ବାହାର ଲୋକଙ୍କୁ ନିଜର ନେତା କରିବାକୁ ଚେଷ୍ଟା କରାଯାଉଛି। ଏପରି କରି ବିରୋଧୀ ଅଣ ଓଡ଼ିଆଙ୍କ ରାଜୁତି ପ୍ରସଙ୍ଗକୁ ଉଜ୍ଜୀବିତ କରିଛି।

ବ୍ରହ୍ମପୁରରେ ସାଧାରଣ ସଭାରେ ଉଦବୋଧନ ଦେଇ ନଡ୍ଡା କହିଛନ୍ତି, ନବୀନ ଯେଭଳି ଭାବେ ସରକାର ଚଳାଉଛନ୍ତି, ତାହା ବାବୁ-ରାଜ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ନେତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଷଡ଼ଯନ୍ତ୍ରର ସଙ୍କେତ ଦେଉଛି। ବିଜେଡିର ଦିନ ଗଣିବା ଆରମ୍ଭ ହୋଇଛି ବୋଲି କହି ନଡ୍ଡା କହିଛନ୍ତି ଯେ ନବୀନ ସରକାରକୁ ହଟାଇ ବିଜେପିକୁ ନିର୍ବାଚିତ କରିବାର ଆବଶ୍ୟକତା ରହିଛି। ଆଉ ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟର ବିକାଶ ଆହୁରି ହେବ। ଏପ୍ରିଲ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନବୀନଙ୍କୁ ସମାଲୋଚନା କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଅପିଲ୍ କରିଛନ୍ତି। ରାଜ୍ୟରେ ଓଡ଼ିଆ ଭାଷା ବିପଦରେ ଏବଂ ଓଡିଆଙ୍କ ଅସ୍ମିତା ବିପଦରେ ରହିଛି ବୋଲି ମୋଦୀ କହିଛନ୍ତି।

ସେପଟେ ଏହାର ଜବାବ ମଧ୍ୟ ବିଜେଡି ଦେଇଛି। ପ୍ରଶାସନିକ ଅଧିକାରରୁ ରାଜନେତା ପାଲଟିଥିବା ଭି.କେ ପାଣ୍ଡିଆନ୍ କହିଛନ୍ତି, ରାଜ୍ୟରେ ଆବଶ୍ୟକ ନାହିଁ ଗୋଟିଏ କି ଡବଲ ଇଞ୍ଜିନ ସରକାର। ରାଜ୍ୟକୁ ଆବଶ୍ୟକ ନବୀନ ଇଞ୍ଜିନ ସରକାର। ଏହା କେବେ ଫେଲ୍ ମାରେ ନାହିଁ ବୋଲି କହିଛନ୍ତି। ଆଜି ମାଲକାନଗିରିରେ ସଭାରେ ଏପରି କହିଛନ୍ତି।

ବିଜେପିକୁ କାଉଣ୍ଟର କରିବାକୁ ଯାଇ କହିଛନ୍ତି, ଯଦି ଡବଲ ଇଞ୍ଜିନ ବିକାଶର ବାର୍ତା ଦେଉଛି ତାହାଲେ ପଡ଼ୋଶୀ ରାଜ୍ୟରେ କାହିଁକି କ୍ଷମତା ପରିବର୍ତ୍ତନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ବିଜେଡି ମହିଳାଙ୍କୁ ସମ୍ମାନ ଦେଉଛି କିନ୍ତୁ ବିଜେପି ନୁହେଁ। ନବୀନ ସରକାରର ହିସାବ ମାଗିଲେ ତାଲିକା ଫୁଲ ହୋଇଯିବ ପଛେ ଶେଷ ହେବ ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି।

Leave A Reply

Your email address will not be published.