Latest Odisha News

BREAKING NEWS

କାହିଁକି ସରୁନି ଟିକେଟ୍ ଘୋଷଣା?

ଭୁବନେଶ୍ବର : କେଉଁଠି ଛିଣ୍ଡୁନି ଟିକେଟ ଅଙ୍କ? କାହିଁକି ୩ଦଳର ସରୁନି ଟିକେଟ୍ ଘୋଷଣା ? କେଉଁଠି ୩ ରାଜନୈତିକ ଦଳର ତଣ୍ଟିରେ ଅଟକିଛି କଣ୍ଟା ? ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି ? ବିଜେଡିର ୩ଟି ତ ବିଜେପିର ୭ ଓ କଂଗ୍ରେସର ୨ଟି ବିଧାନସଭାରେ ତୁଟୁନି ଟିକେଟ ଅଙ୍କ । ମୟୂରଭଞ୍ଜ ଲୋକସଭା ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନି କଂଗ୍ରେସ । ଟିକେଟ୍ ମିଳିବାରେ ବିଳମ୍ବ ଯୋଗୁଁ ଆଶା ଆଶଙ୍କାରେ ନେତା ଓ ଦ୍ବନ୍ଦ୍ବରେ ରହିଛନ୍ତି କର୍ମୀ ।

 

ବିଜେଡିକୁ ଅଡୁଆ ୩ ବିଧାନସଭା !

ରାଜ୍ୟର୧୪୪ ବିଧାନସଭା ଆସନରେ ପ୍ରାର୍ଥୀ ଦେଇସାରିଛି ବିଜେଡି। ଏବେବି ଖଣ୍ଡପଡା, ନୀଳଗିରି ଓ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନି। ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଖୁବ୍ ଶୀଘ୍ର ଏକ ରାଜନୈତିକ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ଉପରେ ନଜର ରଖି ଖଣ୍ଡପଡା ବିଧାନସଭା ଆସନ ଝୁଲାଇ ରଖିଛି ବିଜେଡି । ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସହ କିଛି ନୂଆ ଚେହେରା ଏଠାରେ ରେସରେ ରହିଛନ୍ତି । ବିଜେଡିରୁ ଯାଇ ବିଜେପିର କଟକ ସାଂସଦ ପ୍ରାର୍ଥୀ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଚେକ୍ ଦେବାକୁ ଖଣ୍ଡପଡା ରଣନୀତିକୁ ଭଲ କରି କଷୁଛି ବିଜେଡି । ନୀଳଗିରିରେ ବି ଦଳର ଟିକେଟ୍ ଦ୍ବନ୍ଦ୍ବ ରହିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ମିଶିଛନ୍ତି। ସେପଟେ ଟିକେଟ ପାଇଁ ଆଶାୟୀ ରହିଛନ୍ତି ଗତଥରର ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ। କାହାକୁ ପ୍ରାର୍ଥୀ କରିବେ ସେନେଇ ବିଜେଡିର ଅଙ୍କ ଛିଣ୍ଡୁନି । ଜଣଙ୍କୁ ଟିକେଟ୍ ଦେଲେ ଅନ୍ୟ ଜଣେ ବିଜେପିକୁ ଯାଇପାରନ୍ତି । ଏପର୍ଯ୍ୟନ୍ତ ନୀଳଗିରି ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ସେହିପରି କୋରେଇରେ ନୂଆ ଚେହେରା ଦେବାକୁ ମଇଦାନକୁ ଓହ୍ଲାଇପାରେ ଦଳ। ପ୍ରୀତିରଞ୍ଜନ ଘଡେଇ ଓ ବବି ଦାସଙ୍କ ଗୋଷ୍ଠୀ ଉଭୟ କୋରେଇ ପାଇଁ ଆଶାୟୀ ରହିଛନ୍ତି । ତେଣୁ କୋରେଇରେ ଟିକେଟ କନଫ୍ୟୁଜନ ରହିଛି ।

 

୭ସିଟରେ ବିଜେପିର ଛିଣ୍ଡୁନି ଅଙ୍କ !

ବିଜେପିର ଆହୁରି ୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ଘଷିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ ଓ ବରୀ ଆସନରେ ଦଳର ଟିକେଟ୍ କସରତ ସରିନି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିକୁ ଆସିଲେ ଘଷିପୁରା ଆସନରୁ ଲଢିପାରନ୍ତି। ସେହିପରି ବାରବାଟୀ-କଟକରେ ସାଂସଦ ଅନୁଭବ ମହାନ୍ତି କିମ୍ବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିପାରେ । ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଥମେ କଟକ ଲୋକସଭା ପାଇଁ ବିଜେପି ପ୍ରୋଜେକ୍ଟ କରିଥିଲା । ତେବେ ଭର୍ତ୍ତୃହରିଙ୍କୁ ଟିକେଟ୍ ଦେବା ପରେ ବାରବାଟୀ-କଟକରେ ଅନୁଭବଙ୍କ ସହ ସେ ବି ରେସରେ ରହିଛନ୍ତି ।  ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିକୁ ଆସିଲେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି। ସିଟରେ ବିଜେପିର ସେମିତି ଟାଣୁଆ ପ୍ରାର୍ଥୀ ନଥିବାରୁ ଟିକେଟ ଘୋଷଣା ଝୁଲିଛି । ଖୋର୍ଦ୍ଧା ଟିକେଟ ନମିଳିବାରୁ ସାଂସଦ ଅପରାଜିତାଙ୍କ ବିରୋଧରେ ଖୋଲାଖୋଲି ଅସନ୍ତୋଷ ଝାଡୁଛନ୍ତି ଆଶାୟୀ କାଳୁ ଖଣ୍ଡାୟତରାୟ । ଟିକେଟ୍ ପାଇଁ ଅପରାଜିତା ତାଙ୍କୁ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ସେ ଅଞ୍ଚଳରେ ବିଦ୍ରୋହୀଙ୍କୁ ମ୍ୟାନେଜ କରିପାରିନି ବିଜେପି । ତେଣୁ ବେଗୁନିଆ ପାଇଁ ଭାବିଚିନ୍ତି ପ୍ରାର୍ଥୀ ବାଛୁଛି । ବରୀରେ ଟିକେଟ ଆଶାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ନିକଟରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ବିଜେଡିରୁ ଟିକେଟ୍ ନମିଳିବା ପରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେପିକୁ ନେଇ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ନୀଳଗିରି, ଭଣ୍ଡାରିପୋଖରୀ ସିଟ୍ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଫାଇନାଲ୍ କରିପାରୁନି । ଭଣ୍ଡାରିପୋଖରୀରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଲଢିବାକୁ ସେଭଳି ପ୍ରାର୍ଥୀ ବିଜେପିରେ ନାହାନ୍ତି । ତେଣୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କ ଉପରେ ନଜର ରଖିଛି ବିଜେପି ।

 

କଂଗ୍ରେସକୁ ଟିକେଟ୍ ଟେନସନ୍

ଟିକେଟ ଘୋଷଣାରେ କଂଗ୍ରେସରେ ବି ରହିଛି କନଫ୍ୟୁଜନ । କାକଟପୁରରେ ବିଶ୍ବରଞ୍ଜନ ଦାସ ଟିକେଟ ଲୋଭରେ ବିଜେପିକୁ ଯାଇଥିଲେ । ମାତ୍ର ଟିକେଟ ନମିଳିବାରୁ ଘରକୁ ବାହୁଡିଛନ୍ତି । ତେଣୁ ସେ ଆସନରେ ପ୍ରାର୍ଥୀ ଘୋଷଣା ହୋଇନି । ନୀଳଗିରି ଆସନରେ କଂଗ୍ରେସ ଲଢିବ କି ସିପିଆଇକୁ ଛାଡିବ ସେନେଇ ସ୍ଥିର କରିପାରିନି ଦଳ । ସେହିପରି ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ନିଜେ ପ୍ରାର୍ଥୀ ଦେବ କି ଜେଏମଏମକୁ ସମର୍ଥନ ଦେବ, ତାକୁ ନେଇ ଦ୍ବନ୍ଦ୍ବ ରହିଛି ।

Leave A Reply

Your email address will not be published.