Latest Odisha News

ସୁଷମାଙ୍କୁ ମାଇକ ପୋମ୍ପିଓଙ୍କ ‘ଅପମାନକଜନକ’ ମନ୍ତବ୍ୟ, କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାରରେ ବୈଦେଶିକ ମନ୍ତ୍ରୀ  ଥିବା ମାଇକ ପୋମ୍ପିଓ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ସ୍ୱର୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ପୋମ୍ପିଓ ଏକ ବହି ଲେଖିଛନ୍ତି, ଯେଉଁଥିରେ ସୁଷମା ସ୍ୱରାଜଙ୍କ ବିଷୟରେ ଅସ୍ପଷ୍ଟ ମନ୍ତବ୍ୟ ଦିଆଯାଇଛି। ଯାହା ତାଙ୍କ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିପରୀତ। ଏହାକୁ ନେଇ ଭାରତରେ ବିବାଦ ଉଠିବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୋମ୍ପିଓଙ୍କୁ କଡ଼ା ଜବାବ ଦେଇଛନ୍ତି।

ତେବେ ପୋମ୍ପିଓ ଲେଖିଥିବା Never Give an Inch: Fighting for the America I Love ବହିରେ ଜୟଶଙ୍କର ଏବଂ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ 2019ରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଆଣବିକ ଯୁଦ୍ଧର ନିକଟତର ହୋଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଯେଉଁଠାରେ ପୋମ୍ପିଓ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ବିଷୟରେ ଆଲୋଚନା କରିଛନ୍ତି, ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କିନ୍ତୁ ପ୍ରଶଂସା କରିଛନ୍ତି। ସେହି ସ୍ଥାନରେ ସେ ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ଉପରେ ତୁଳନା କରି ସମାଲୋଚନା କରିଛନ୍ତି। ପୋମ୍ପିଓ ଲେଖିଛନ୍ତି, ‘ଭାରତର ବୈଦେଶିକ ନୀତି ଟିମ୍ ଉପରେ ମୋର ମୂଳ ପ୍ରତିପକ୍ଷ ପ୍ରମୁଖ ଖେଳାଳି ନଥିଲେ। ବରଂ ମୁଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଅତି ଘନିଷ୍ଠ ଭାବରେ କାମ କରିଥିଲି, ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ତଥା ବିଶ୍ୱସ୍ତ’।

ପୋମ୍ପିଓ ସୁଷମା ସ୍ୱରାଜଙ୍କୁ ‘ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଖେଳାଳି’ ବୋଲି ଭାବିନଥିଲେ ବୋଲି ଲେଖିଛନ୍ତି। ଜୟଶଙ୍କର ଏହାକୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟାରେ କହିଛନ୍ତି, ‘ପୋମ୍ପିଓଙ୍କ ବହିରେ ସୁଷମା ସ୍ୱରାଜଙ୍କୁ ଦର୍ଶାଇଥିବା ଏକ ପୃଷ୍ଠା ପଢିଛି …. ମୁଁ ତାଙ୍କୁ ସର୍ବଦା ଉଚ୍ଚ ସମ୍ମାନରେ ରଖିଛି ଏବଂ ତାଙ୍କ ସହ ଅତି ଘନିଷ୍ଠ ଏବଂ ସୁସମ୍ପର୍କ ରଖିଛି। ମୁଁ ତାଙ୍କ ପାଇଁ ବ୍ୟବହୃତ ଅପମାନଜନକ ଭାଷାକୁ ନିନ୍ଦା କରୁଛି’।

 

Leave A Reply

Your email address will not be published.