Kusha Missile: ଓଡ଼ିଶା ଉପକୂଳରୁ ଲଙ୍ଗ୍ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ‘କୁଶା’ର ସଫଳ ପରୀକ୍ଷଣ;ଶତ୍ରୁପକ୍ଷର ଯୁଦ୍ଧବିମାନ, ମିସାଇଲ୍, UAVକୁ କରିବ ଧ୍ବଂସ
ଭୁବନେଶ୍ବର:ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଲଙ୍ଗରେଞ୍ଜ କୁଶ ମିସାଇଲର ସଫଳ ପରୀକ୍ଷଣ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO)ପକ୍ଷରୁ ଆଜି ଓଡ଼ିଶା ଉପକୂଳସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ‘କୁଶା’ (Kusha) ଦୂରଗାମୀ ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ ମାର କରୁଥିବା କ୍ଷେପଣାସ୍ତ୍ର (Long-Range Surface-to-Air Missile)ର ପ୍ରଥମ ଉଡ଼ାଣ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ସଫଳ ପରୀକ୍ଷା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି ବିକାଶ ଦିଗରେ ଏକ ବଡ଼ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି।
ଏହି ପ୍ରଥମ ପରୀକ୍ଷଣ ଏକ ଉଚ୍ଚ-ଗତି, ଉଚ୍ଚ-ଉଚ୍ଚତା ବିଶିଷ୍ଟ ଆକାଶମାର୍ଗ ବିପଦକୁ ଅନୁକରଣ କରୁଥିବା ଏକ ଇଲେକ୍ଟ୍ରୋନିକ୍ ଲକ୍ଷ୍ୟ ବିରୁଦ୍ଧରେ କରାଯାଇଥିଲା। କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଲକ୍ଷ୍ୟକୁ ସଫଳତାର ସହ ଇଣ୍ଟରସେପ୍ଟ (ନଷ୍ଟ) କରି ଦିଆଯାଇଥିଲା।
The @DRDO_India has successfully conducted the maiden flight test of Long-Range Surface-to-Air Missile Kusha today from the APJ Abdul Kalam Island off the coast of Odisha.
Kusha missile system is capable of neutralising wide variety of aerial threats including fighter jets,… pic.twitter.com/EceUgGM1HR
— Rajnath Singh (@rajnathsingh) July 23, 2026
ଡିଆରଡିଓ ସୂଚନା ଅନୁସାରେ, ‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଯୁଦ୍ଧ ବିମାନ, ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ମାନବବିହୀନ ବିମାନ (UAV) ଏବଂ ବଡ଼ ଆକାଶମାର୍ଗୀୟ ବିପଦ ସମେତ ବିଭିନ୍ନ ପ୍ରକାରର ଶତ୍ରୁ ଲକ୍ଷ୍ୟକୁ ଦୀର୍ଘ ଦୂରତା ଓ ବିଭିନ୍ନ ଉଚ୍ଚତାରେ ଚିହ୍ନଟ କରି ନିଷ୍କ୍ରିୟ କରିବାରେ ସକ୍ଷମ। ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର କ୍ଷେପଣାସ୍ତ୍ର, ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସମେତ ସମସ୍ତ ଉପାଦାନ ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଓ ଦେଶୀୟ ଶିଳ୍ପ ସଂସ୍ଥାଙ୍କ ସହଯୋଗରେ ବିକଶିତ କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରର ବିଭିନ୍ନ ସଂସ୍କରଣ ପ୍ରସ୍ତୁତ କରିବାକୁ ଯୋଜନା ରହିଛି ଏବଂ ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ରହିବ ।
‘କୁଶା’ (Kusha) କ୍ଷେପଣାସ୍ତ୍ର ପ୍ରଣାଳୀ କାହିଁକି ଶତ୍ରୁପକ୍ଷ ପାଇଁ ଏକ ଭୟଙ୍କର ବିପଦ ଅଟେ?
-‘କୁଶା’ କ୍ଷେପଣାସ୍ତ୍ର ଅତ୍ୟନ୍ତ ସଠିକତା ଏବଂ ଘାତକ କ୍ଷମତା ପାଇଁ ଜଣାଶୁଣା; ଏହା ଶତ୍ରୁପକ୍ଷର ମାନବବିହୀନ ବିମାନ (UAV) ଗୁଡ଼ିକୁ ସହଜରେ ଖସାଇ ପାରିବ।
-ଏହା ଉଚ୍ଚ ପର୍ବତମାଳା ଠାରୁ ଆରମ୍ଭ କରି ଗଭୀର ସମୁଦ୍ର ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଭୌଗୋଳିକ ପରିବେଶରେ କାର୍ଯ୍ୟକ୍ଷମ ହୋଇପାରିବ ଏବଂ ଦୂରଗାମୀ ତଥା ଅଧିକ ଉଚ୍ଚତାରେ ଥିବା ଲକ୍ଷ୍ୟବସ୍ତୁକୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଅଟେ।
-ଏହାର ରାଡାର୍ ପ୍ରଣାଳୀ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା ବହୁ ଦୂରରୁ ଶତ୍ରୁପକ୍ଷର ବିମାନକୁ ଚିହ୍ନଟ କରି ଟ୍ରାକ୍ କରିବାରେ ସକ୍ଷମ। ଏହି ଆଧୁନିକ ସିଷ୍ଟମ ଆସିଲେ ଭାରତୀୟ ସେନାର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ‘କୁଶା’ର ସଫଳ ଉଡ଼ାଣ ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଦୀର୍ଘ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାର କ୍ଷମତାକୁ ପ୍ରଦର୍ଶନ କରେ। ଏହି କ୍ଷମତା କେବଳ ହାତ ଗଣତି କିଛି ଦେଶ ପାଖରେ ଅଛି। ସେ କହିଛନ୍ତି, ଏହା ଏପରି ଏକ ପ୍ରଣାଳୀର ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ ଦୂର କରିବ ଏବଂ ଦେଶର ବାୟୁ ପ୍ରତିରକ୍ଷା କ୍ଷମତାକୁ ଉଲ୍ଲେଖନୀୟ ଭାବେ ମଜବୁତ କରିବ।