ଭାରତୀୟ ବାୟୁସେନାକୁ ମିଳିବ ‘ଆକାଶର ଆଖି’: AEW&C Mk-II ବିମାନ ନିର୍ମାଣ ପାଇଁ DRDOର ଦୁଇଟି ବଡ଼ ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦେଶର ବାୟୁ ପ୍ରତିରକ୍ଷା (ଏୟାର ଡିଫେନ୍ସ) କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନାର ଏୟାରବୋର୍ଣ୍ଣ ସର୍ଭିଲାନ୍ସ କ୍ଷମତା ବୃଦ୍ଧି ପାଇଁ ଗତ ଜୁଲାଇ ୨୨, ୨୦୨୬ ତାରିଖରେ ଏୟାରବୋର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ (AEW&C) Mk-II ପ୍ରୋଗ୍ରାମ୍ ଅଧୀନରେ DRDO ଦୁଇଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷର କରିଛି।
DRDO ର ବେଙ୍ଗାଲୁରୁ ସ୍ଥିତ ଲାବୋରେଟୋରୀ ‘ସେଣ୍ଟର ଫର୍ ଏୟାର ବୋର୍ଣ୍ଣ ସିଷ୍ଟମ୍ସ’ (CABS) ଏହି ପ୍ରକଳ୍ପର ନେତୃତ୍ୱ ନେଉଛି। ପ୍ରଥମ ଚୁକ୍ତି ନୂଆଦିଲ୍ଲୀ ସ୍ଥିତ ଏଆଇ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ସହିତ କରାଯାଇଛି। ଏହି ଚୁକ୍ତି ଅନୁଯାୟୀ, ଏୟାର ଇଣ୍ଡିଆରୁ ଅଣାଯାଇଥିବା ୬ଟି ଏୟାରବସ୍ A321 ଯାତ୍ରୀବାହୀ ବିମାନକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର ଉପଯୋଗୀ ‘ଗ୍ରୀନ୍ ପ୍ଲାଟଫର୍ମ’ରେ ପରିଣତ କରାଯିବ।
ସେହିପରି ଦ୍ୱିତୀୟ ଚୁକ୍ତି ଅହମ୍ମଦାବାଦ ସ୍ଥିତ ଆଦାନୀ ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ ଟେକ୍ନୋଲୋଜିସ୍ ଲିମିଟେଡ୍ ସହିତ ସ୍ୱାକ୍ଷରିତ ହୋଇଛି। ଆଦାନୀ ଡିଫେନ୍ସ ଏହି ପ୍ରକଳ୍ପରେ ମିଶନ୍ ସିଷ୍ଟମ୍ସର ଡେଭେଲପମେଣ୍ଟ-କମ୍-ପ୍ରଡକ୍ସନ୍ ପାର୍ଟନର ଭାବରେ କାର୍ଯ୍ୟ କରିବ। ଏହା ପ୍ରଥମ ଥର ପାଇଁ କୌଣସି ଘରୋଇ ଭାରତୀୟ କମ୍ପାନୀକୁ ଏତେ ବଡ଼ ବିମାନ ମିଶନ୍ ପ୍ଲାଟଫର୍ମର ଦାୟିତ୍ୱ ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ଜୁଲାଇ ମାସରେ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଦ୍ୱାରା ୧୯,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। CABS ଏବଂ ଆଦାନୀ ଡିଫେନ୍ସ ମିଳିତ ଭାବେ ପରିବର୍ତ୍ତିତ A321 ବିମାନଗୁଡ଼ିକରେ ସ୍ୱଦେଶୀ ମିଶନ୍ ସିଷ୍ଟମକୁ ଖଞ୍ଜିବେ। ଏହାପରେ ଭାରତୀୟ ବାୟୁସେନା ସହିତ ମିଶି ଏହି ବିମାନଗୁଡ଼ିକର ଉଡ଼ାଣ ପରୀକ୍ଷଣ କରାଯିବ ଏବଂ ଏୟାରୱର୍ଦିନେସ୍ ଏଜେନ୍ସିମାନଙ୍କଠାରୁ ପ୍ରମାଣପତ୍ର ହାସଲ କରାଯିବ।
AEW&C ବିମାନକୁ ପ୍ରତିରକ୍ଷା କ୍ଷେତ୍ରରେ ‘ଆକାଶର ଆଖି’ ବୋଲି କୁହାଯାଏ। ନୂତନ ଭାବେ ବିକଶିତ ହେଉଥିବା AEW&C Mk-II ବିମାନରେ ଅତ୍ୟାଧୁନିକ ଆକ୍ଟିଭ୍ ଇଲେକ୍ଟ୍ରୋନିକାଲି ସ୍କାନ୍ଡ୍ ଆରେ ରାଡାର୍ ଲଗାଯିବ। ଏହି ବିମାନ ୩୦୦ ଡିଗ୍ରୀରୁ ଅଧିକ ଅଞ୍ଚଳ କଭର୍ କରିବା ସହ ୫୦୦ କିଲୋମିଟରରୁ ଅଧିକ ଦୂରତାରେ ଥିବା ଶତ୍ରୁ ପକ୍ଷର ଟାର୍ଗେଟକୁ ଚିହ୍ନଟ କରିପାରିବ। ଶତ୍ରୁ ଦେଶର ବିମାନ, କ୍ଷେପଣାସ୍ତ୍ର ଏବଂ ସୀମା ଆରପାରିର ଗତିବିଧି ଉପରେ ଏହା ତୀକ୍ଷ୍ଣ ନଜର ରଖିବା ସହିତ ରିଅଲ-ଟାଇମ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସୁବିଧା ଯୋଗାଇବ। ଲକ୍ଷ୍ୟ ରଖାଯାଇଛି ଯେ, ୨୦୩୨-୨୦୩୩ ମସିହା ସୁଦ୍ଧା ଏହି ଅତ୍ୟାଧୁନିକ ସର୍ଭିଲାନ୍ସ ବିମାନଗୁଡ଼ିକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ, ଯାହାଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ୍ ହୋଇପାରିବ।