Latest Odisha News

ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ, ସମୂହଙ୍କ ପାଇଁ ସ୍ୱପ୍ନ ଦେଖିବା : ଧର୍ମେନ୍ଦ୍ର ପ୍ରଧାନ

ଓଡିଶା @୧୦୦: ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଯୁବ ସଙ୍ଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଯୁବ ଡାଏଲଗ୍ ‘ଓଡ଼ିଶା @୧୦୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି।

ଓଡ଼ିଶାର ଇତିହାସ ବିଷୟରେ କହିବାକୁ ଯାଇ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଆ ଜାତି ସମୂହଙ୍କ ପାଇଁ ଭାବୁଥିବା ଜାତି । ୨୨୦୦ ବର୍ଷ ପୂର୍ବରୁ ସଙ୍ଗଠିତ କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଶକ୍ତିର ଚରମ ନିଦର୍ଶନ ସହ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ଅତୀତରେ ଓଡ଼ିଶାର ସାଧବ ପୁଅଙ୍କ ଦ୍ୱାରା ବେପାର ନୌବାଣିଜ୍ୟ ଯୋଗୁଁ ଆମେ ବିଖ୍ୟାତ ଥିଲେ । ଏହା ସହ କୋଣାର୍କ ମନ୍ଦିରରେ ହଜାର ହଜାର ବର୍ଷ ପୂର୍ବେ ଅଙ୍କାଯାଇଥିବା ଜିରାଫ୍ ମଧ୍ୟ ରାଜ୍ୟର ଆଫ୍ରିକା ସହ ସମ୍ପର୍କ ଥିବା ସୂଚିତ କରୁଛି । ସେହିପରି କୋଣାର୍କ ମନ୍ଦିରରେ ଥିବା ସନ୍ନ୍ୟାସୀଙ୍କ ଚିତ୍ର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରାଚୀନ ଲିପି ଓ ଶୀଳାଲେଖ ଉତ୍କଳର ସମ୍ପନ୍ନତା ଓ ଜ୍ଞାନର ଗଭୀରତାର ବଳିଷ୍ଠ ପ୍ରମାଣ ।

ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ । ଏକଦା ବିକାଶ ଦୃଷ୍ଟିରୁ ପଛୁଆ କଳାହାଣ୍ଡି ଆଜି ଇତିହାସ ରଚୁଛି । ସାମାନ୍ୟ ଘରୁ ଆସିଥିବା ବୁର୍ଲା ଇଞ୍ଜିନିୟରିଂର ପିଲା ରକେଟ୍ ଓ ସାଟେଲାଇଟ୍ ମାଧ୍ୟମରେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ଝିଅ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ଆସୁଛି ।

ଇଣ୍ଟରନେଟର ଉପଯୋଗ ବ୍ୟାପକ ହେବ ସହ ଦେଶରେ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି । ସୁଯୋଗର ସଠିକ୍ ଉପଯୋଗ କରିପାରିଲେ ନୂଆ ପୀଢ଼ି ନୂଆ ଇତିହାସ କରେ, ସଂରଚନା କରିପାରିବ । ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା ହିଁ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ସ୍ୱପ୍ନ ଦେଖୁଥିବା ୯ ଜଣ ଯୁବ ପ୍ରତିଭା ଯଥା:- ଗୀତିକାର  ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ଓ୍ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟ, କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ପରିବେଶପ୍ରେମୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣାଙ୍କୁ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ଅଗ୍ରଣୀ କରି ତିଆରି କରିବା ପାଇଁ ‘ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ । ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ଦେଖିବା ପାଇଁ ଶ୍ରୀ ପ୍ରଧାନ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି ।

 

 

Leave A Reply

Your email address will not be published.