Latest Odisha News

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ : ‘ଏ ମାଟିର କନ୍ୟା’ ଶୀର୍ଷକ ନେଇ ଚର୍ଚ୍ଚା

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏ ମାଟିର କନ୍ୟା’ . . .ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ନେଇ ଚର୍ଚ୍ଚା । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ।

ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ. . .ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲରେ, ସେଦିନର ମୋର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ ।

ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ୱାଭିମାନୀ ଓଡ଼ିଆର କାହାଣୀ ଲିପିବଦ୍ଧ । କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ ମହାମେଘବାହନ ଐର ଖାରବେଳ ।

ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ । ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତ୍ୱେ ନିଜ ମାଟିର ଟେକ ଓ ଜାତିର ସ୍ୱାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା । ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା । ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ସଂଘଟିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା ।

ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ ।

Leave A Reply

Your email address will not be published.