Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ଦୁବାଇ; ବର୍ଷକର ବର୍ଷା ଦିନକରେ ଅଜାଡିଲା, ଜୀବନ ଯାତ୍ରା ଠପ୍

ଆବୁଧାବି: ମରୁଭୂମିରେ ବର୍ଷାର ତାଣ୍ଡବ । ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରରେ ପ୍ରବଳ ବର୍ଷା ଯୋଗୁଁ ଦେଖାଦେଇଛି ବନ୍ୟା ପରିସ୍ଥିତି । ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇରହିଛି । ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି । ବର୍ଷା ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଅବସ୍ଥା ଏପରି ହୋଇଥିଲା ଯେ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନର ଗତିପଥ ବଦଳାଇ ଦିଆଯାଇଛି । ଏୟାରପୋର୍ଟର ରନୱେ ଏବଂ ବିମାନବନ୍ଦର ପାର୍କିଂ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।

ତେବେ ଯେଉଁଠି ଗୋଟିଏ ବର୍ଷରେ ୧୨୦ ମିଲିମିଟର ବର୍ଷା ହୋଇଥାଏ ସେଠି ଗୋଟିଏ ଦିନରେ ଏହି ପରିମାଣରେ ବର୍ଷା ହୋଇଛି । ଯାହା ସହରର ଅବସ୍ଥା ଶୋଚନୀୟ କରିଦେଇଛି । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଯାତାୟତ ବାଧାପ୍ରାପ୍ତ ଯୋଗୁଁ ସରକାରୀ କର୍ମଚାରୀମାନେ ଏବେ ଘରୁ କାମ କରୁଛନ୍ତି ।

ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ଦୁବାଇରେ ପ୍ରକୃତିର ଏଭଳି ରୂପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି କରି ଖୁବ୍‌ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି । ଅନ୍ୟପଟେ ପଡ଼ୋଶୀ ଦେଶ ଓମାନରେ ପ୍ରବଳ ବର୍ଷା ଯୋଗୁଁ ଏଯାବତ୍ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।

Leave A Reply

Your email address will not be published.