Latest Odisha News

BREAKING NEWS

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତାପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ କରିଥିଲେ ।

ପରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ୨୦ଟି ମଠର ମଠାଧୀଶଙ୍କ ସହ ଆଲୋଚନା କରିଥିଲେ । ଏନଏମଏ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉଚ୍ଚତା ୧୩ ମିଟର ବୃଦ୍ଧି ସହ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ୧୦୦ ମିଟର ବାହାରେ କେଉଁ ଜାଗାରେ ହେବ ସେନେଇ ଆଲୋଚନା ହୋଇଛି । ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇଥିବା ଶୌଚାଳୟ, କ୍ଲକରୁମ୍, ମିନିକ୍ଲକ୍ ରୁମ୍, ସେଲ୍ଟର ପାଭିଲିଅନ୍ ଓ ଇଲେକ୍ଟ୍ରିକାଲ ରୁମ୍ ଆଦି ବୁଲି ଦେଖିଛନ୍ତି ଏନଏମଏ ଅଧ୍ୟକ୍ଷ ।

ନିଷିଦ୍ଧାଞ୍ଚଳର ଶହେ ମିଟର ପରେ ଥିବା ରେଗୁଲେଟେଡ୍ ଅଞ୍ଚଳରେ ସୂଚନା କେନ୍ଦ୍ର, ଡୋନେସନ୍ ସେଲ୍, ଆଶୁ ଚିକିତ୍ସା କେନ୍ଦ୍ର, ପୋଲିସ ସର୍ଭିସ୍ ସେଣ୍ଟର ଓ ଏଟିଏମ୍ ନିର୍ମାଣ କାର୍ଯ୍ୟ କରାଯାଉଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ୧୦୦ ମିଟର ବାହାରେ ୧୪ଟି ଓ ଓଡ଼ିଶା ମନ୍ଦିର ଶୈଳୀରେ ଶ୍ରୀମନ୍ଦିର ୭୫ ମିଟର ଭିତରେ ଥିବା ୨୦ଟି ମଠର ବିକାଶ ଓ ସୋନ୍ଦର୍ଯ୍ୟକରଣ କରାଯିବ । କ୍ଷତିଗ୍ରସ୍ତ ମଠ ଗୁଡ଼ିକ ଆସନ୍ତା ୭ ଦିନରେ ସେମାନଙ୍କ ପ୍ରକଳ୍ପ ରିପୋର୍ଟ ଏନ୍ଏମଏକୁ ଦେବେ ।

Leave A Reply

Your email address will not be published.