ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା
ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”
ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା’ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ ଜଳ ଆସି ଘଟ ସ୍ଥାପନ ପରେ ମା’ଙ୍କ ପୂଜାର୍ଚ୍ଚନା ସହ ବେଶ କରାଯାଉଛି। ମାଙ୍କ ଷୋଡଶ ବେଶ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।
ମହିଷାମର୍ଦ୍ଦିନୀ ମା’ ବିରଜା
ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ ଗୁରୁତ୍ୱ ଓ ପ୍ରାଚୀନତା ସମ୍ପର୍କରେ ଅନୁସନ୍ଧାନ କଲେ, ଆମେ ଓଡ଼ିଶାର ସର୍ବପୁରାତନ ଓ ପୁରାଣପ୍ରସିଦ୍ଧ ଶ୍ରୀ ବିରଜା ପୀଠର ନାମ ଦେଖିବାକୁ ପାଉ ।
ବୈତରଣୀ ନଦୀ କୂଳ ଯାଜପୁର ଟାଉନ୍ ଠାରେ ମା ବିରଜାଙ୍କ ନିବାସସ୍ଥଳି। ପୁରାଣ କଥା ଅନୁସାରେ ମାତା ସତୀଙ୍କ ବିଖଣ୍ଡିତ ଶରୀରର ନାଭି ଅଂଶ ଏଠାରେ ପଡ଼ିଥିଲା। ତେଣୁ ବିରଜା କ୍ଷେତ୍ର କୁ ନାଭି କ୍ଷେତ୍ର ମଧ୍ୟ କୁହାଯାଏ। ସୃଷ୍ଠି ସର୍ଜନା ବେଳେ ବ୍ରାହ୍ମା ଯାଜପୁରରେ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞ କୁଣ୍ଡରୁ ମା ବିରଜା ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ। ମହାଭାରତ ପୁରାଣ ଅନୁସାରେ ବୈତରଣୀ ତଟବର୍ତି ବିରଜା କ୍ଷେତ୍ର ପିତୃ ତୀର୍ଥ ଅଟେ। ଏହି ସ୍ଥାନ ରେ ସ୍ନାନ କରି ପିଣ୍ଡ ଦେଲେ ପିତୃ ପୁରୁଷ ଉଦ୍ଧାର ପାଇଥାଆନ୍ତି। ସେଥି ପାଇଁ ମହାଭାରତ ଯୁଦ୍ଧ ପରେ ପାଣ୍ଡବ ମାନେ ବୈତରଣୀ ନଦୀରେ ସ୍ନାନ କରି ପିଣ୍ଡ ଦେଇ ମା ବିରଜା ଙ୍କୁ ଦର୍ଶନ କରିଥିଲେ।
ଏହା ମଧ୍ୟ ପଢନ୍ତୁ
https://odishasambad.in/dussehra-2023-know-the-konark-ramachandi-temple-importance/
ପୁରାଣକୁ ବାଦ ଦେଇ ଶ୍ରୀବିରଜା ଦେବୀଙ୍କ ପ୍ରାଚୀନତା ସମ୍ପର୍କରେ ଅନ୍ୟ କେତେକ ମତବାଦକୁ ଗ୍ରହଣ କରାଯାଇପାରେ। ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ବୌଦ୍ଧତାନ୍ତ୍ରିକ ବଜ୍ରଯାନୀମାନେ ଭାରତର ବିଭିନ୍ନ ସ୍ଥାନରେ ପୀଠ ସ୍ଥାପନ କରିଥିଲେ। ପୂର୍ବବର୍ଣ୍ଣିତ ଭାରତର ଦେବୀପୀଠ ଗୁଡିକରେ ଯେଉଁ ଶାକ୍ତ ଉପାସନା ଚଳିଆସୁଥିଲା, କ୍ରମଶଃ ତାକୁ ଶିବଙ୍କର ପତ୍ନୀ ପାର୍ବତୀ ରୂପରେ ପରିକଳ୍ପିତ କରାଗଲା। ଅଜ୍ଞାନ ରୂପକ ମହୀଷକୁ ନାଶ କରିଥିବାରୁ ଏହି ପୁରାଣ ଦେବୀ ବୌଦ୍ଧତନ୍ତ୍ର ଦେବୀ ‘ମହିଷାମର୍ଦ୍ଦିନୀ‘ ହୋଇଗଲେ। ଅନ୍ୟାନ୍ୟ ବୌଦ୍ଧଦେବୀ ସମୂହ ସପ୍ତମାତୃକା, ଚଉଷଠୀ ଯୋଗିନୀ ଓ ବନଦୁର୍ଗା ପ୍ରଭୃତିରେ ନାମିତ ହେଲେ। ଅତଃ ସେହି ସ୍ଥାନରେ ‘ଶାକ୍ତତନ୍ତ୍ର’ ପ୍ରବର୍ତ୍ତିତ ହେଲା ଏବଂ ଦେବୀଗଣ ଶାକ୍ତତନ୍ତ୍ର ଦେବୀ ବୋଲାଇଲେ। ସେହି କାରଣରୁ ଯାଜପୁରର ଅଧିଷ୍ଠାତ୍ରୀ ‘ଶ୍ରୀବିରଜା’ ଶାକ୍ତ ତନ୍ତ୍ର ବିଧି ଅନୁସାରେ ପୂଜା ପାଉଛନ୍ତି।
ମାଆ ବିରଜାଙ୍କ ପାଖରେ ମୂଳାଷ୍ଟମୀ ଠାରୁ କୁମାରପୁର୍ଣ୍ଣିମା ପର୍ଯ୍ୟନ୍ତ ପୂଜା, ସ୍ନାନ, ନୀତି ଆଦି ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଯେଉଁ ପୂଜା କରାଯାଏ ସେଥିରେ ଦୁଇ ଓଳା ଷୋଡ଼ଶ ଉପଚାର ବିଧି ରେ ପୂଜା କରାଯାଏ। ମୂଳାଷ୍ଟମୀ ରାତିଠାରୁ ମହାଷ୍ଟମୀ ରାତି ପର୍ଯ୍ୟନ୍ତ ଗୋଟିଏ ମନ୍ତ୍ର ରେ ଏବଂ ମହାଷ୍ଟମୀ ରାତି ଓ ନବମୀ ରେ ଏକ ସ୍ବତନ୍ତ୍ର ମନ୍ତ୍ର ରେ ଦେବୀଙ୍କର ସମସ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ବୈଦିକ ଯୁଗରୁ ଏହି ପୀଠ ଏକ ମହାନ୍ ତୀର୍ଥସ୍ଥଳ ରୂପେ ମାନ୍ୟତା ପାଇଛି।
Comments are closed.