Latest Odisha News

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ ଭରିଦେବେ ଜଗତଜନନୀ । ମାଙ୍କ ଆଗନରେ ଏବେ ବସୁଧା ପୁଲକିତ । ଉତ୍ସବ ମୁଖର ପୁର, ପଲ୍ଲୀ ଓ ନଗର । ଶରତର ଆଗମନ ଓ ଶାରଦୀୟ ମାହୋଲ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି ବସୁଧା । ମହାଳୟା ଠାରୁ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’ ।

କୋଣାର୍କର ରାଣୀ ମା’ ରାମଚଣ୍ଡୀ

କୋଣାର୍କଠାରୁ ପୁରୀ ଆଡକୁ ୯ କିଲୋମିଟର ଦୂର ବେଳମାର୍ଗ କଡରେ ମା’ରାମଚଣ୍ଡୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭରା ନୈଶର୍ଗୀକ ଶୋଭାର ଗନ୍ତାଘର ଓ ପବିତ୍ର ମହୋଦଧି କୂଳରେ ମା’ ରାମଚଣ୍ଡୀଙ୍କ ପୀଠର ଅବସ୍ଥିତ । ପ୍ରାଚୀନ ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ଓ ଅଗ୍ରପୂଜ୍ୟା ଦେବୀ । ସେ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସମ୍ପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣୀରୁ ଅନେକ ସୂଚନା ମିଳିଥାଏ । ଏତଦବ୍ୟତୀତ କୋଣାର୍କ ଅଞ୍ଚଳର ଲୋକମୁଖରେ ରାମଚଣ୍ଡୀଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ପ୍ରଚଳିତ ଅଛି ।

କୁହାଯାଏ କଳାପାହାଡ କୋଣାର୍କ ମନ୍ଦିର ଆକ୍ରମଣ କରିବା ପାଶ୍ଚାତ ମା ରାମଚଣ୍ଡୀ ମନ୍ଦିରରେ ପ୍ରବେଶ କରିଥିଲା । ସେତେବେଳେ ମା ଜଣେ ମାଲୁଣୀ ବେଶରେ ପାଣି ଆଣିବା ବାହାନାରେ କୁଶଭଦ୍ରା ନଦୀକୁ ଯାଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ସେତେବେଳେ ଜଣେ ନୈଷ୍ଟିକ ବ୍ରାହ୍ମଣ ଆଦେଶ ପାଇ କୁଶଭଦ୍ରା ନଦୀ କୂଳରେ ମାଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ । ସେଥି ପାଇଁ ଉପାଖ୍ୟାନ ଅଛି “ଭଲା ରାମଚଣ୍ଡୀ ଭଲାରେ କଳା ପାହାଡକୁ ଦୁଆରେ ବସାଇ ଭଲା ପାଣି ଆଣି ଗଲାରେ” । ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଙ୍କ ପୂଜାର୍ଚନା କରି ଚଣ୍ଡୀ କରିଥିଲେ । ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମା ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି । ମା ଏଠାରେ ଦଶଭୁଜା ମହିଷ ମର୍ଦିନୀ ଦୂର୍ଗା ବେଶରେ ବନ ଦୂର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି ।

ଏହା ବି ପଢନ୍ତୁ

https://odishasambad.in/dussehra-2023-know-the-history-significance-of-maa-sarala-temple/

ଶାରଦୀୟ ଦୁର୍ଗାପୂଜା ପାଇଁ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏଥିପାଇଁ ଚଳଚଞ୍ଚଳ କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ। ସବୁ ଶକ୍ତି ପୀଠରେ ଗୋଟିଏ ବେଳା ଚଣ୍ଡୀପାଠ ହେଉଥିବାବେଳେ ଏଠାରେ ଦୁଇ ବେଳା ଚଣ୍ଡୀ ପାଠ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ସହିତ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ମାଆ। ଷୋଳ ପୂଜା ଅବସରରେ ମା’ଙ୍କୁ ପ୍ରଥମ ଦିବସରେ ସହସ୍ର କୁମ୍ଭାଭିଷେକ ଓ କଳସ ସ୍ଥାପନ, ଦ୍ୱିତୀୟ ଦିବସରେ ସୁନାବେଶ, ତୃତୀୟ ଦିବସରେ ଭୂବନେଶ୍ୱରୀ ବେଶ, ଚତୁର୍ଥ ଦିବସରେ ମାତଙ୍ଗୀ ବେଶ, ପଞ୍ଚମ ଦିବସରେ ବୈଷ୍ଣବୀ ବେଶ, ଷଷ୍ଠ ଦିବସରେ ସିଦ୍ଧେଶ୍ୱରୀ ବେଶ, ସପ୍ତମ ଦିବସରେ ଉଗ୍ରତାରା ବେଶ, ଅଷ୍ଠମ ଦିବସରେ ତ୍ରିପୁରା ଭୈରବୀ ବେଶ ଓ ନବରାତ୍ର ପୂଜାରମ୍ଭ, ନବମ ଦିବସରେ ଜଗଦ୍ଧାତ୍ରୀ ବେଶ, ଦଶମ ଦିବସରେ ଷୋଡଶୀ ବେଶ, ଏକାଦଶ ଦିବସରେ ସିଂହବାହିନୀ ବେଶ, ଦ୍ୱାଦଶ ଦିବସରେ ହରଚଣ୍ଡୀ ଓ ଗାୟତ୍ରୀ ବେଶ, ତ୍ରୟୋଦଶ ଦିବସରେ ବଗଳାମୁଖୀ ବେଶ, ଚତୁର୍ଦଶ ଦିବସରେ ମହାକାଳୀ ବେଶ, ପଞ୍ଚଦଶ ଦିବସରେ ମହାଲକ୍ଷ୍ମୀ ବେଶ, ଷୋଢଦଶ ଦିବସରେ ମହାସରସ୍ୱତୀ ବେଶ, ସପ୍ତଦଶ ଦିବସ ତଥା ବିଜୟା ଦଶମୀ ତିଥୀରେ ମହିଷାମର୍ଦ୍ଦନୀ ବେଶ, ଅଷ୍ଟାଦଶ ଦିବସରେ ସୁନା ବେଶରେ ମା’ଙ୍କୁ ସେବାୟତମାନେ ପର୍ଯ୍ୟାୟ କ୍ରମରେ ସୁସଜିତ କରିବେ । ଏଠାରେ ବଳି ରୂପେ ପ୍ରତିଦିନ ମାଛ ପୋଡା ଭୋଗ ଦିଆଯାଇଥାଏ। ତା ସାଙ୍ଗକୁ ଏହି ଷୋହଳ ଦିନ ମାଆଙ୍କୁ ଏଣ୍ଡୁରୀ ପୀଠ ଭୋଗ ଲଗାଯାଇଥାଏ। ଏହି ସମୟରେ ମା’ଙ୍କୁ ଦର୍ଶନ କରି ଆଷିଶ ନେବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହୁଛି ।

Leave A Reply

Your email address will not be published.