Latest Odisha News

BREAKING NEWS

E20 ପେଟ୍ରୋଲକୁ ନେଇ କାହିଁକି ଉଠୁଛି ଝଡ଼? ଜାଣନ୍ତୁ ଇଥାନଲ୍ ବ୍ଲେଣ୍ଡିଂର ପୂରା କାହାଣୀ ଏବଂ ଥାଇଲାଣ୍ଡରୁ ମିଳୁଥିବା ଶିକ୍ଷା…

ନୂଆଦିଲ୍ଲୀ: ନିକଟ ଅତୀତରେ E20 ପେଟ୍ରୋଲକୁ ନେଇ ସାରା ଦେଶରେ ଏକ ବଡ଼ ବିବାଦ ଦେଖାଦେଇଛି। ସୋସିଆଲ ମିଡିଆରେ ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (E20) ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଗାଡ଼ିର ଇଞ୍ଜିନ ଖରାପ ହେଉଛି ଏବଂ ମାଇଲେଜ୍ ମଧ୍ୟ କମିଯାଉଛି। କିନ୍ତୁ ପ୍ରକୃତରେ ସତ କ’ଣ? ସରକାର କାହିଁକି ଏହି ଇଥାନଲ୍ ବ୍ଲେଣ୍ଡିଂ ଉପରେ ଏତେ ଜୋର ଦେଉଛନ୍ତି? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା।

 

ସରଳ ଭାଷାରେ କହିବାକୁ ଗଲେ E20 ପେଟ୍ରୋଲ ଅର୍ଥ ହେଉଛି ୮୦ ପ୍ରତିଶତ ପେଟ୍ରୋଲ ସହ ୨୦ ପ୍ରତିଶତ ଇଥାନଲ୍‌ର ମିଶ୍ରଣ। ସେହିପରି E85 ରେ ପ୍ରାୟ ୮୦ ରୁ ୮୫ ପ୍ରତିଶତ ଇଥାନଲ୍ ଏବଂ ୧୪ ରୁ ୧୯ ପ୍ରତିଶତ ପେଟ୍ରୋଲ ରହିଥାଏ। ଇଥାନଲ୍ ହେଉଛି ଏକ ପ୍ରକାର ଆଲକୋହଲ୍ ଯାହା ମୁଖ୍ୟତଃ ଆଖୁ, ମକା ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଇଥାଏ।

 

E20 ଇନ୍ଧନ ଗାଡ଼ି ଇଞ୍ଜିନ ନଷ୍ଟ କରୁଥିବା ନେଇ ହେଉଥିବା ଚର୍ଚ୍ଚାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଏହାକୁ ଗୁଜବ ଦର୍ଶାଇ ସରକାର କହିଛନ୍ତି ଯେ ଏହା ପଛରେ କୌଣସି ବୈଜ୍ଞାନିକ ଭିତ୍ତି ନାହିଁ। ବରଂ ଇଥାନଲ୍ ବ୍ଲେଣ୍ଡିଂ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନ କମିଥାଏ। ଇଣ୍ଡିଆନ୍ ଅଏଲ୍, ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI) ଏବଂ ସିଆମ୍ ଭଳି ସଂସ୍ଥା ଦ୍ୱାରା କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି ଯେ E20 ଇନ୍ଧନ ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ୍‌ରେ ମାତ୍ର ୩ ରୁ ୬ ପ୍ରତିଶତର ସାମାନ୍ୟ ହ୍ରାସ ଘଟିପାରେ, କିନ୍ତୁ ଏହା ଇଞ୍ଜିନକୁ ନଷ୍ଟ କରେ ନାହିଁ। ଏହା ସହିତ ୨୦୧୪ ମସିହାରୁ ଏହି ଯୋଜନା ମାଧ୍ୟମରେ ଦେଶର ଏକ ଲକ୍ଷ ଚାଳିଶ ହଜାର କୋଟିରୁ ଅଧିକ ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିଛି ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି।

 

ଯଦିଓ ଥାଇଲାଣ୍ଡ ସରକାର ନିଜ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ E20 ଏବଂ E85 କୁ ବିକଳ୍ପ ଭାବେ ଉପଲବ୍ଧ କରାଇଥିଲେ, କିନ୍ତୁ ସେଠାରେ ଏହାର ଚାହିଦା ସେତେଟା ଆଖିଦୃଶିଆ ନୁହେଁ। କାରଣ ଅଧିକ ଇଥାନଲ୍ ଥିବା ଇନ୍ଧନ ପାଇଁ ସ୍ୱତନ୍ତ୍ର ଫ୍ଲେକ୍ସ-ଫୁଏଲ୍ ଗାଡ଼ି ଦରକାର ହୋଇଥାଏ, ଯାହାର ସଂଖ୍ୟା ଖୁବ୍ କମ୍। ଏଥିରୁ ଭାରତ ପାଇଁ ସବୁଠାରୁ ବଡ଼ ଶିକ୍ଷା ହେଉଛି- କେବଳ E20 ର ଉପଲବ୍ଧତା ସୁନିଶ୍ଚିତ କଲେ ହେବ ନାହିଁ, ବରଂ ଲୋକେ କିପରି E85 ବ୍ୟବହାର ପାଇଁ ଆଗ୍ରହୀ ହେବେ, ସେ ଦିଗରେ ମଧ୍ୟ ସରକାରଙ୍କୁ ଦୀର୍ଘମିଆଦି ନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

Leave A Reply

Your email address will not be published.