ସିଜେପି ପରେ ଇ-୨୦ (E20) ଜନତା ପାର୍ଟି, ପେଟ୍ରୋଲକୁ ନେଇ ତେଜିଲା ଜନଅସନ୍ତୋଷ: ବିଶୁଦ୍ଧ ଇନ୍ଧନ ଦାବି ସହ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ: ଦେଶବ୍ୟାପୀ ଇ-୨୦ (E20) ପେଟ୍ରୋଲର ବାଧ୍ୟତାମୂଳକ ବିକ୍ରିକୁ ନେଇ ତୀବ୍ର ଅସନ୍ତୋଷ ମୁଣ୍ଡ ଟେକିଛି। ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଅଭିଯୋଗ ଆଣି ସାଧାରଣ ଗାଡ଼ି ଚାଳକ ଏବଂ ବିଭିନ୍ନ ପରିବହନ ସଂଘ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। କୋକରୋଚ ଜନତା ପାର୍ଟର ଆନ୍ଦୋଳନ ପରେ ଶିକ୍ଷା ମନ୍ତ୍ରଣାଳୟ ପଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଆଉ ଏହାକୁ ଅନୁକରଣ କରି ତିଆରି ହୋଇଛି E20 ଜନତା ପାର୍ଟି। ଏବେ ଏହି ପାର୍ଟିର ଆନ୍ଦୋଳନକାରୀମାନେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ପରିବର୍ତ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ‘ବିଶୁଦ୍ଧ ଇନ୍ଧନ’ ବା ଶତପ୍ରତିଶତ ପେଟ୍ରୋଲ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି। ଏହି ବିରୋଧ ପ୍ରଦର୍ଶନ ଏବେ ସିଧାସଳଖ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଆଡ଼କୁ ମୁହାଁଇଥିବା ବେଳେ କ୍ଷୁବ୍ଧ ଜନତା ତାଙ୍କର ଇସ୍ତଫା ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଧିକାଂଶ ପେଟ୍ରୋଲ ପମ୍ପରେ ବର୍ତ୍ତମାନ ୮୦ ପ୍ରତିଶତ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କରାଯାଇ ଇ-୨୦ ଇନ୍ଧନ ବିକ୍ରି କରାଯାଉଛି। ତେବେ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଦେଶରେ ଥିବା କୋଟି କୋଟି ପୁରୁଣା ଗାଡ଼ିର ଇଞ୍ଜିନ୍ ଏହି ଇ-୨୦ ଇନ୍ଧନ ଗ୍ରହଣ କରିବା ପାଇଁ ବୈଷୟିକ ଜ୍ଞାନକୌଶଳରେ ତିଆରି ହୋଇନାହିଁ। ଫଳରେ ଏହି ମିଶ୍ରିତ ତୈଳ ବ୍ୟବହାର କରିବା ଦ୍ୱାରା ଇଞ୍ଜିନ୍ରେ ଜଳୀୟ ଅଂଶ ସୃଷ୍ଟି ହେବା ସହ ଯନ୍ତ୍ରାଂଶ ଗୁଡ଼ିକ କଳଙ୍କି ଲାଗି ଶୀଘ୍ର ନଷ୍ଟ ହେଉଛି। ଏହା ସହିତ ଗାଡ଼ିର ମାଇଲେଜ୍ ଆଶାତୀତ ଭାବେ କମିଯିବା କାରଣରୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଉଛି। ବିଶେଷକରି ଦ୍ୱିଚକ୍ରୀ ଯାନ ଏବଂ ପୁରୁଣା କାର୍ ମାଲିକମାନେ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି।
ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବିନା କୌଣସି ବିକଳ୍ପରେ ଲୋକଙ୍କ ଉପରେ ଏହି ନୀତି ଲଦି ଦେଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକରେ କେବଳ ଇ-୨୦ ଇନ୍ଧନ ମିଳୁଥିବାରୁ ପୁରୁଣା ଗାଡ଼ି ମାଲିକମାନେ ବାଧ୍ୟ ହୋଇ ଏହାକୁ ବ୍ୟବହାର କରି ନିଜର ଆର୍ଥିକ କ୍ଷତି ସହୁଛନ୍ତି। ତେଣୁ ତୁରନ୍ତ ଇ-୨୦ ସହିତ ବିକଳ୍ପ ଭାବେ ବିଶୁଦ୍ଧ ଇନ୍ଧନ ଉପଲବ୍ଧ କରାଇବାକୁ ଦାବି ହୋଇଛି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ଇଥାନଲ୍ ମିଶ୍ରଣ ପ୍ରକ୍ରିୟା ଏବଂ ସବୁଜ ଇନ୍ଧନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଥିବାରୁ ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଏବେ ‘ନୋ ଇ-୨୦’ ଏବଂ ‘ଗଡ଼କରୀ ଇସ୍ତଫା ଦିଅ’ ନାରା ଜୋର ଧରିଛି।
ସରକାର ବିଦେଶରୁ ଅଶୋଧିତ ତୈଳ ଆମଦାନୀ ଖର୍ଚ୍ଚ କମାଇବା, ଚାଷୀଙ୍କୁ ଲାଭ ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ଇ-୨୦ ପଲିସି ଲାଗୁ କରିଛନ୍ତି ବୋଲି ଯୁକ୍ତି ଦର୍ଶାଉଛନ୍ତି। ମାତ୍ର ଗାଡ଼ି ମାଲିକମାନଙ୍କର ବିଭିନ୍ନ ସମସ୍ୟା ଓ ଆର୍ଥିକ କ୍ଷତିକୁ ସରକାର ଅଣଦେଖା କରୁଥିବାରୁ ଏହି ପ୍ରସଙ୍ଗ ଏବେ ଏକ ବଡ଼ ବିବାଦର ରୂପ ନେଇଛି।