Latest Odisha News

BREAKING NEWS

Global Warming Fight: ପୃଥିବୀ ମୁଣ୍ଡ ଉପରେ ଜଳବାୟୁ ବିପଦ! ୧.୫°C ତାପମାତ୍ରା ସୀମା ଟପିବ ବିଶ୍ୱ, ମୃତ୍ୟୁମୁଖୀ କି ପ୍ୟାରିସ୍ ଚୁକ୍ତି?

ନୂଆଦିଲ୍ଲୀ: ପୃଥିବୀ ପାଇଁ ବାଜିଲାଣି ବିପଦ ଘଣ୍ଟି! ଦିନକୁ ଦିନ ବଢ଼ୁଛି ତାପମାତ୍ରା, ବଢ଼ୁଛି ବନ୍ୟା, ମରୁଡ଼ି ଓ ଭୟଙ୍କର ଗରମର ବିପଦ। ଯେଉଁ ୧.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସୀମାକୁ ରୋକିବା ପାଇଁ ୨୦୧୫ରେ ବିଶ୍ୱର ଦେଶଗୁଡ଼ିକ ପ୍ୟାରିସ୍ ଜଳବାୟୁ ଚୁକ୍ତି କରିଥିଲେ, ଏବେ ସେହି ଲକ୍ଷ୍ୟ ହାତରୁ ଖସିବାକୁ ବସିଛି। ଜାତିସଂଘର ନୂଆ ରିପୋର୍ଟ କହୁଛି, ୧.୫ ଡିଗ୍ରୀ ସୀମା ଟପିବା ପ୍ରାୟ ଅନିବାର୍ଯ୍ୟ। ତେବେ କ’ଣ ବିଫଳ ହୋଇଗଲା ପ୍ୟାରିସ୍ ଚୁକ୍ତି? ଭାରତ କେତେ ପ୍ରସ୍ତୁତ? ଆଉ ପୃଥିବୀକୁ ବଡ଼ ଜଳବାୟୁ ବିପଦରୁ ବଞ୍ଚାଇବାକୁ ରହିଛି କି ଶେଷ ସୁଯୋଗ?

୨୦୧୫ରେ ପ୍ୟାରିସ୍‌ରେ ବିଶ୍ୱର ଦେଶଗୁଡ଼ିକ ଏକାଠି ହୋଇ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପନକୁ ରୋକିବା ପାଇଁ ଚୁକ୍ତି କରିଥିଲେ। ଶିଳ୍ପ ବିପ୍ଳବ ପୂର୍ବ ସମୟ ତୁଳନାରେ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀରୁ ଯଥେଷ୍ଟ କମ୍ ରଖିବା ଏବଂ ସମ୍ଭବ ହେଲେ ୧.୫ ଡିଗ୍ରୀ ମଧ୍ୟରେ ସୀମିତ କରିବା ଥିଲା ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ, ୟୁଏନ୍‌ଇପିର ୨୦୨୬ ଏମିସନ୍ ଗ୍ୟାପ୍ ରିପୋର୍ଟ ଅନୁସାରେ, ୧.୫ ଡିଗ୍ରୀ ସୀମା ଅତିକ୍ରମ କରିବା ଏବେ ପ୍ରାୟ ନିଶ୍ଚିତ। ତଥାପି ଆଶା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ସର୍ବୋତ୍ତମ ସମ୍ଭାବ୍ୟ ପରିସ୍ଥିତିରେ ତାପମାତ୍ରା ମଧ୍ୟଶତାବ୍ଦୀ ବେଳକୁ ୧.୭ରୁ ୧.୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଶତାବ୍ଦୀ ଶେଷ ସୁଦ୍ଧା ଏହାକୁ ପୁଣି ୧.୫ ଡିଗ୍ରୀ କିମ୍ବା ତା’ଠାରୁ ତଳକୁ ଆଣିବାର ୫୦ ପ୍ରତିଶତ ସମ୍ଭାବନା ରହିଛି।

ଏଥିପାଇଁ ୨୦୨୫ ତୁଳନାରେ ବିଶ୍ୱର ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନ ୨୦୩୦ ସୁଦ୍ଧା ୧୮%, ୨୦୩୫ ସୁଦ୍ଧା ୪୫% ଏବଂ ୨୦୪୦ ସୁଦ୍ଧା ୬୯% କମାଇବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନର ଜାତୀୟ ପ୍ରତିଶ୍ରୁତି ପୂରଣ ହେଲେ ମଧ୍ୟ ୨୦୩୦ ସୁଦ୍ଧା ନିର୍ଗମନ ମାତ୍ର ୫ରୁ ୮% କମିବାର ଆକଳନ ରହିଛି। ବର୍ତ୍ତମାନର ନୀତି ଜାରି ରହିଲେ ୨୧୦୦ ସୁଦ୍ଧା ତାପମାତ୍ରା ୨.୮ ଡିଗ୍ରୀ ଏବଂ ସମସ୍ତ ପ୍ରତିଶ୍ରୁତି ପୂରଣ ହେଲେ ୨.୬ ଡିଗ୍ରୀ ବଢ଼ିପାରେ।

ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

୨୦୨୫ରେ ଭାରତର ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନ ପ୍ରାୟ ୪୫୦ କୋଟି ଟନ୍ ଥିବା ୟୁଏନ୍‌ଇପି ଆକଳନ କରିଛି। ଚୀନ୍‌ର ନିର୍ଗମନ ୧୬୧୦ କୋଟି ଟନ୍ ଏବଂ ଆମେରିକାର ୬୦୦ କୋଟି ଟନ୍ ଥିଲା। ତେବେ ଭାରତର ମୁଣ୍ଡପିଛା ନିର୍ଗମନ ୩.୧ ଟନ୍ ଥିବାବେଳେ ବିଶ୍ୱ ହାରାହାରି ୬.୪ ଟନ୍। ଭାରତ ୨୦୦୫ରୁ ୨୦୨୦ ମଧ୍ୟରେ ଜିଡିପି ତୁଳନାରେ ନିର୍ଗମନ ତୀବ୍ରତା ୩୬% କମାଇଛି। ୨୦୨୬ ଫେବ୍ରୁଆରୀ ସୁଦ୍ଧା ବିଦ୍ୟୁତ୍ ସ୍ଥାପିତ କ୍ଷମତାର ୫୨.୫୭% ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ଆସିଛି। ୨୦୩୫ ସୁଦ୍ଧା ନିର୍ଗମନ ତୀବ୍ରତା ୪୭% କମାଇବା ଏବଂ ଅଣ-ଜୀବାଶ୍ମ ଉତ୍ସର ଅଂଶ ପ୍ରାୟ ୬୦% କରିବା ଲକ୍ଷ୍ୟ ରହିଛି।

କୋଇଲା ଛାଡ଼ି ସବୁଜ ଶକ୍ତି ଆଡ଼କୁ ଭାରତ?

୨୦୨୫ରେ ଭାରତର ସୌର ବିଦ୍ୟୁତ୍ ଉତ୍ପାଦନ ୫୩ ଟେରାୱାଟ୍ ଘଣ୍ଟା ଏବଂ ପବନ ଶକ୍ତି ଉତ୍ପାଦନ ୨୨ ଟେରାୱାଟ୍ ଘଣ୍ଟା ବଢ଼ିଥିଲା। କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ ପ୍ରାୟ ୪୪ ଟେରାୱାଟ୍ ଘଣ୍ଟା କମିଥିଲା। ତଥାପି ଦେଶର ମୋଟ ବିଦ୍ୟୁତ୍‌ର ପ୍ରାୟ ୭୧% କୋଇଲାରୁ ଆସୁଛି। ତେଣୁ ସୌର ଓ ପବନ ଶକ୍ତି ସହ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା, ବ୍ୟାଟେରି ସଂରକ୍ଷଣ ଏବଂ ଶକ୍ତି ସଞ୍ଚୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଇସ୍ପାତ ଓ ନିର୍ମାଣ ସାମଗ୍ରୀର ପୁନଃବ୍ୟବହାର, କମ୍ କାର୍ବନ୍ ନିର୍ଗମନକାରୀ ସିମେଣ୍ଟ ଉତ୍ପାଦନ ଏବଂ ସ୍ୱଚ୍ଛ ପ୍ରଯୁକ୍ତିରେ ନିବେଶ ମଧ୍ୟ ଜରୁରୀ। ଏଥିପାଇଁ ବିକଶିତ ଦେଶଗୁଡ଼ିକର ଜଳବାୟୁ ଅର୍ଥ ସହାୟତା ଓ ପ୍ରଯୁକ୍ତି ହସ୍ତାନ୍ତର ଗୁରୁତ୍ୱପୂର୍ଣ୍ଣ। ତୁର୍କିଏରେ ହେବାକୁ ଥିବା ଆଗାମୀ କପ୍‌-୩୧ ଜଳବାୟୁ ସମ୍ମିଳନୀରେ ଏହି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଇବ।

ତେବେ କ’ଣ ପ୍ୟାରିସ୍ ଚୁକ୍ତି ବିଫଳ?

ନା, ୧.୫ ଡିଗ୍ରୀ ସୀମା ଟପିବାର ଆଶଙ୍କା ଅର୍ଥ ନୁହେଁ ଯେ ପ୍ୟାରିସ୍ ଚୁକ୍ତି ସମ୍ପୂର୍ଣ୍ଣ ବିଫଳ ହୋଇଗଲା। କିନ୍ତୁ ଦେଶଗୁଡ଼ିକର ପ୍ରତିଶ୍ରୁତି ଓ ପ୍ରକୃତ ପଦକ୍ଷେପ ମଧ୍ୟରେ ବଡ଼ ତାରତମ୍ୟ ରହିଛି। ଏବେ ନିର୍ଗମନ ଦ୍ରୁତ ହ୍ରାସ କରିପାରିଲେ ତାପମାତ୍ରା କେତେ ବଢ଼ିବ ଏବଂ କେତେ ଦିନ ଧରି ବିପଦ ସୀମା ଉପରେ ରହିବ, ତାହାକୁ କମାଇହେବ। ତେବେ ପୃଥିବୀକୁ ବଞ୍ଚାଇବାର ଲଢ଼େଇ ଏବେ ବି ଜାରି ରହିଛି। କିନ୍ତୁ ଆମ ହାତରେ ସମୟ କମ୍, ଆଉ ଏବେ ନିଷ୍ପତ୍ତି ନେବାର ବେଳ। ଯାହା ଏ ପୃଥିବୀକୁ ବଞ୍ଚାଇବାରେ ସହାୟକ ହେବ ।

Leave A Reply

Your email address will not be published.