Latest Odisha News

‘ଏମପିରେ ନିର୍ବାଚନ କଟକଣା’, ହେଲିକ୍ୟାପ୍ଟର ଉଡାଇଲେ ୨ ଲକ୍ଷ,ମିଠା ଖୁଆଇଲେ ୪୯୫!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି। ହାତରେ ସମୟ ଅଳ୍ପ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ରଣନୀତି ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ସ୍ଵଛ ଅବାଧ ନିର୍ବାଚନ ପାଇଁ କଡା ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶରେ ନିର୍ବାଚନ ଖର୍ଚ୍ଚକୁ ନେଇ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ଆୟୋଗ।

ମିଠା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ସାମଗ୍ରୀର ଦର ଧାର୍ଯ୍ୟ କରାଯାଇଛି। ୨୬୦ ଟି ଆଇଟମର ତାଲିକା ଜାରି କରାଯାଇଛି। ଏସବୁ ଆଇଟମ କିଣାଯିବା ବେଳେ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ଦାମ ଅନୁଯାୟୀ ଖର୍ଚ୍ଚ ତାଲିକାରେ ଯୋଡ଼ାଯିବ।

ତେଣୁ କୌଣସି ପ୍ରାର୍ଥୀ ପାଇଁ କିଛି କିଣିଲେ ଆୟୋଗଙ୍କ ସୂଚୀକୁ ନଜରରେ ରଖିବାକୁ ପଡିବ ନଚେତ ସଂପୃକ୍ତ ନେତାଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି।

ନିର୍ବାଚନ ପ୍ରଚାର ବେଳେ ଖାଇବା, ଶୋଭାଯାତ୍ରା, ବାଣ, ବାଜା ଆଦି ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତାରେ ଯୋଡ଼ାଯିବ। ଏହି ଲିଷ୍ଟରେ ସଭା ପାଇଁ ଟେଣ୍ଟ ହାଉସ ସାମଗ୍ରୀ, ଫଟୋଗ୍ରାଫି,ବ୍ୟାନର, ପୋଷ୍ଟର ସହ ଅନ୍ୟ ବହୁ ସାମଗ୍ରୀ ସାମିଲ ରହିଛି।

ଆୟୋଗଙ୍କ ଲିଷ୍ଟ ଅନୁଯାୟୀ ଗୁଲବଜାମୁ ୪୩୫ ଟଙ୍କା ପ୍ରତି କିଲୋ, ସ୍ପେଶାଲ ମିଠା ୪୯୫ ଟଙ୍କା କିଲୋ ଆଦି ରଖାଯାଇଛି। ଯାହାକୁ ନିର୍ବାଚନ ଖର୍ଚ୍ଚ ତାଲିକାରେ ଯୋଡ଼ାଯିବ।

ଏଭଳି ଭିନ୍ନ ଭିନ୍ନ ସାମଗ୍ରୀର ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯାଇଛି। ଏପରିକି ଫୁଲମାଳ, ପ୍ରଚାର ଗାଡ଼ିରେ ଲାଉଡ଼ ସ୍ପିକର ଆଦିର ଦର ଧାର୍ଯ୍ୟ କରାଯାଇଥିବା ବେଳେ ହେଲିକ୍ୟାପ୍ଟର ଭଡା ଘଣ୍ଟା ପ୍ରତି ୬୦ ହଜାରରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ତେଣୁ ନିର୍ବାଚନ ଖର୍ଚ୍ଚକୁ ସୀମିତ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ପୂର୍ବରୁ ଏସବୁ ବ୍ୟବସ୍ଥା ଥିଲେ ମଧ୍ୟ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମାନେ ଏସବୁ ଉଲ୍ଲଙ୍ଘନ କରିବା ଦେଖାଯାଏ।

କିନ୍ତୁ ଏଥର ଏହାକୁ କଡାକଡି କରିବାକୁ ସବୁ ପଦକ୍ଷେପ ନେଉଛନ୍ତି ନିର୍ବାଚନ କମିଶନ। ଏପରିକି ଏହାକୁ ପାଳନ କରିବାକୁ ବ୍ୟାପକ ଭାବେ ପ୍ରଚାର କରାଯାଉଥିବା ବେଳେ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତୁତି ହେଉଛି।

ଏହି ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ବେଳେ ସ୍ଵଛ ନିର୍ବାଚନ ପାଇଁ ବ୍ୟବସ୍ଥା କଡାକଡି ହେଉଛି। ତେଣୁ ଏହାକୁ ନେଇ ଏବେ ଏମପି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Comments are closed.