Latest Odisha News

BREAKING NEWS

ୱାର୍ଲ୍ଡ ଆଥଲେଟ ଅଫ ଦି ଇୟର ପାଇଁ ମନୋନୀତ ହେଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ୱାର୍ଲ୍ଡ ଆଥଲେଟ ଅଫ ଦି ଇୟର ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଛନ୍ତି । ନୀରଜ ଚଳିତ ବର୍ଷ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଓ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ଚୟନ କରାଯାଇଛି । ପୁରସ୍କାର ପାଇଁ ଏ ପର୍ଯ୍ୟନ୍ତ ୧୧ଜଣ ଆଥଲେଟଙ୍କୁ ବଛା ଯାଇଛି । ଡିସେମ୍ବର ୧୧ରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେତାଙ୍କ ନାମ ଘୋଷଣା କରାଯିବ । ୧୯ତମ ଏସିଆନ ଗେମ୍ସରେ ନୀରଜ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ନିଜ ଆଧିପତ୍ୟ ବଜାୟ ରଖିଥିଲେ । ସେହିପରି ହଙ୍ଗେରୀର ବୁଡାପେଷ୍ଟରେ ଖେଳା ଯାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ୟୁଜିନ ବିଶ୍ୱ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ଏଥର ଏହାକୁ ସ୍ୱର୍ଣ୍ଣରେ ପରିଣତ କରିଥିଲେ । ୨୫ ବର୍ଷୀୟ ନୀରଜ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପରେ ଗୌରବ ଅର୍ଜନ କରିଛନ୍ତି । ୧୯୦୦ରୁ ଭାରତ ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ କ୍ରମାଗତ ଭାବେ ଅଂଶଗ୍ରହଣ କରି ଆସୁଥିଲେ ମଧ୍ୟ ପଦକ ଜିତି ନ ଥିଲେ । ନୀରଜଙ୍କ ପୂର୍ବରୁ ମିଲଖା ସିଂ ଓ ପିଟି ଉଷା ୪ର୍ଥ ସ୍ଥାନରେ ରହି ସେମାନଙ୍କ ଅଭିଯାନ ଶେଷ କରିଥିଲେ ।

Leave A Reply

Your email address will not be published.