Latest Odisha News

BREAKING NEWS

ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଏକଜିଟ୍ ପୋଲ ପ୍ରସାରଣ ଉପରେ କଟକଣା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲାଗିବ କଟକଣା । ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ । ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ ୧୯ ତାରିଖ ସକାଳ ୭ ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ କଟକଣା ଲଗାଯାଇଛି । ଲୋକ ପ୍ରତିନିଧି ଆଇନ ଅନୁସାରେ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଜନମତ ସର୍ବେକ୍ଷଣ ଫଳାଫଳ ଓ ଭୋଟ୍ ସର୍ଭେ ରିପୋର୍ଟ ଭଳି ନିର୍ବାଚନ ସହିତ ଜଡିତ କୌଣସି ପ୍ରକାର ବିଷୟବସ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯାଇପାରିବ ନାହିଁ । ସେହିପରି ଏହି କଟକଣା ସମସ୍ତ ପ୍ରିଣ୍ଟ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଉପରେ ମଧ୍ୟ ଲାଗୁ ହେବ ।

ପୁରା ଦେଶରେ ଲୋକସଭା ନିର୍ବାଚନ ବ୍ୟତିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ । ସେହି ସମୟ ମଧ୍ୟରେ ୧୨ଟି ରାଜ୍ୟରେ ୨୫ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି ରାଜ୍ୟ ଗୁଡିକରେ ନିର୍ବାଚନ ସମୟରେ ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ମଧ୍ୟ କଟକଣା ଜାରି କରିଛି ।

ସୂଚନାଯୋଗ୍ୟ, ୪ଟି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଜୁନ ୧ରେ ଅନୁଷ୍ଠିତ ହେବ । ଏଥିସହ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ପରଠୁ ଦେଶରେ ଆଚରଣ ବିଧି ଲାଗୁ ହୋଇଛି ।

Leave A Reply

Your email address will not be published.