Latest Odisha News

BREAKING NEWS

କବିତା : ଜର

ତେଜସ୍ଵିନୀ ପଣ୍ଡା

ପ୍ରତି ରାତିରେ ଜର ହୁଏ
ରାତି ପାହିଲେ ଜର ଛାଡ଼ିଯାଏ,
ପ୍ରେମିକର ସ୍ପର୍ଶରେ
ଜରର ତାପମାତ୍ରା କମେ ସିନା
ଦେହରେ ଘନୀଭୂତ ଶିହରଣର
ଉତ୍ତାପ କ୍ଷୀପ୍ରରୁ କ୍ଷୀପ୍ରତର ହୁଏ।

ଜର କାହାଠୁ ଜନ୍ମ ନିଏ?
ବିରହରୁ ନା ଘାତକର ଜ୍ଵାଳାରୁ,
ଗର୍ଭରେ ଜର ନଷ୍ଟ ହେଲାପରେ
ତାର ଅସ୍ତିତ୍ବ ହଜିଯାଏ ,
ସ୍ଥିତିର କ୍ଳାନ୍ତି ପରେ
ଆଲୋଚନା ଏବଂ ଅନୁଧ୍ୟାନ,
ଜର ଚିରସ୍ଥାୟୀ ନୁହେଁ।
ଭିନ୍ନ ତନୁରେ ଭିନ୍ନ ପ୍ରକାର ଜର,
ସବୁ ଜରର ରୂପଚର୍ଯ୍ୟା ଓ ଅଦୃଶ୍ୟତା
ଅଲଗା ଅଲଗା ।

ଜର ଗୋଟେ ମାୟାବୀ ଅନ୍ଧକାର,
ଭ୍ରମର ବି ଭ୍ରମିତ ହୁଏ
ଦେଖିବାକୁ ଜରର ଶରୀର।
ଜରର ଅନ୍ତର୍ଭୁ୍ତ ଜୀବାଣୁ
ଦେଖିବାକୁ କିପରି
ସେମାନେ ପୁରୁଷ ନା ନାରୀ!
ଜର ସୃଷ୍ଟି କରେ ସାମାନ୍ୟ ଆତଙ୍କ,
ତାକୁ ନେଇ ସମ୍ବାଦ
ଲେଖିବା କଣ ଜରୁରୀ?
ପ୍ରତି ରାତିରେ ଜର ହୁଏ
ରାତି ପାହିଲେ ଜର ଛାଡିଯାଏ।

Leave A Reply

Your email address will not be published.