Latest Odisha News

BREAKING NEWS

ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରରେ ବର୍ଜ୍ୟବସ୍ତୁ ଉର୍ଜା ସଂରକ୍ଷଣ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ସ୍ଵଛ ଭାରତ ଅଭିଯାନ ର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପାଇଁ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଅଛି । ଏହା ଭାରତୀୟ ରେଳବାଇରେ ପ୍ରଥମ ଓ ଦେଶରେ ତୃତୀୟ ପ୍ଲାଣ୍ଟ ହେବ ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ସୋମବାର ଦିନ ରେଳଡବା ମରାମତି କାରଖାନା ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭୁବନେଶ୍ୱରସ୍ଥିତ ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ ହେଉଛି ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନାହିଁ । ଏହା କେବଳ ଯେନତେନ ପ୍ରକାର ଖାଲ ସ୍ଥାନମାନଙ୍କୁ ପୂର୍ଣ୍ଣ କରିଥାଏ ଏବଂ ପରିବେଶ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ । ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏହାପ୍ରତି ଧ୍ୟାନଦେଇ ଏହି ଅସୁବିଧାକୁ ଦୁରକରିବାକୁ ଯାଇ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଅଛି ଯାହାକୁକି ପଲିକ୍ରାକ ପଦ୍ଧତି କୁହାଯାଉଅଛି । ଏହା ବିଶ୍ୱର ପ୍ରଥମ ପେଟେଣ୍ଟ ବିଷମ ଉତପ୍ରେରକ ପ୍ରକ୍ରିୟା ଯାହାକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ ।

ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆଦ୍ରତା ଥିବା ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡିମଟର ଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚା ଗୁଡିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଯାଥ୍ରୋପା ଫଳ କିମ୍ବା ଖଜୁରୀ ଜାତୀୟ ଫଳର ଗୋଚ୍ଛା ଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ ।

ବହଳିଆ ପଦାର୍ଥକୁ ବିଶୋଧନ ପାଇଁ ଏବେ ବ୍ୟବହୃତ କରାଯାଉଥିବା ପ୍ରକ୍ରିୟା ଠାରୁ ପଲିକ୍ରାକ ପଦ୍ଧତିର ସୁବିଧା ଗୁଡିକ ହେଲା –

  • ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁ ଗୁଡିକୁ ଅଲଗା ଅଲଗା କରିବା ଦରକାର ପଡ଼େନି । ମିଶ୍ରିତ ବର୍ଜ୍ୟବସ୍ତୁ କୁ ପଲିକ୍ରାକ ପ୍ଲାଣ୍ଟ ରେ ସିଧାସଳଖ ପ୍ରକ୍ରିୟାକରଣ କରାଯିବ ।
  • ଏହା ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ବହଳିଆ ବର୍ଜ୍ୟବସ୍ତୁ ଗୁଡିକୁ ଶୁଖାଇବା ଦରକାର ନାହିଁ ।
  • ବର୍ଜ୍ୟବସ୍ତୁ ଗୁଡିକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଇଥାଏ ।
  • ଏହା ଏକ ସଂଲଗ୍ନ ୟୁନିଟ ଅଟେ ଯାହାଦ୍ୱାରା କାର‌୍ୟ୍ୟକରିବା ସମୟରେ ଧୂଳି ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପ୍ଲାଣ୍ଟ ନିକଟରେ ଭଲ ସ୍ୱାସ୍ଥ୍ୟକର ପବନର ପରିବେଶ ଥାଏ ।
  • ଏହି ପ୍ଲାଣ୍ଟ ରେ ଜୈବିକ ଅପଶିଷ୍ଟ ବାହାରିନଥାଏ ଏବଂ ବର୍ଜ୍ୟବସ୍ତୁ ଯେଉଁଭଳି ଆସିଥାଏ ସେଭଳି ବାହାରିଯାଇଥାଏ ।
  • ପ୍ଲାଣ୍ଟ ର ଆକାର ଛୋଟ ହୋଇଥିବାରୁ ଏହା ବଡ ଜାଗା ଦରକାର କରିନଥାଏ ।
  • ସମସ୍ତ ଅବୟବ ତତ୍ୱ ଉର୍ଜାରେ ପରିବର୍ତନ ହୋଇଥାଏ ଏବଂ ଏହା ଶୂନ୍ୟ ନିରବହନ ପ୍ରକ୍ରିୟା ସୃଷ୍ଟି କରିଥାଏ ।
  • ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସର ଉପଯୋଗ ପ୍ରଣାଳୀକୁ ଇନ୍ଧନ ପାଇଁ କାର‌୍ୟ୍ୟକାରୀ କରାଇଥାଏ । ଯାହାଦ୍ୱାରା ଏହା ଉର୍ଜାର ଆବଶ୍ୟକତାକୁ ପୂରଣ କରି ପରିଚାଳନାରେ ଖର୍ଚ ହେଉଥିବା ଇନ୍ଧନ ଖର୍ଚାକୁ କମ କରାଇଥାଏ ।
  • ଫୋରକମ୍ବରସନ ଗ୍ୟାସ ଗୁଡିକୁ ଛାଡି ଅନ୍ୟ ପାରମ୍ପରିକ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବାୟୁମଣ୍ଡଳୀୟ ପ୍ରଦୂଷଣ ଏହାଦ୍ୱାରା ହୋଇନଥାଏ ଏବଂ ଏହା ବିଶ୍ୱରେ ପ୍ରଚଳିତ ପ୍ରଦୂଷଣ ମାନଦଣ୍ଡ ମଧ୍ୟରେ କାର‌୍ୟ୍ୟ କରିଥାଏ ।
  • ଅନ୍ୟ ବିକଳ୍ପ ୪୫୦ ଡିଗ୍ରୀ ପର‌୍ୟ୍ୟନ୍ତ ସଞ୍ଚାଳିତ ହେଉଥିବା ବେଳେ ଏହା କମ ତାପମାତ୍ରାରେ ସଞ୍ଚାଳିତ ହୋଇଥାଏ ।
  • ଅନ୍ତର୍ନିହିତ ସୁରକ୍ଷା ସୁବିଧା ସହିତ ଏହା ସହଜରେ ଅଣକୁଶଳ କାରିଗର ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇପାରିବ।
  • ଏହା ଦ୍ୱାରା କମ ଖର୍ଚରେ ବର୍ଜ୍ୟବସ୍ତୁର ପରିଚାଳନା କରାଯାଇଥାଏ ।
  • ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ପରିଚାଳନା ପାଇଁ କମ ଲୋକ ଦରକାର କରିଥାଏ ।
  • ବର୍ଜ୍ୟବସ୍ତୁରୁ ଉର୍ଜା ପ୍ଲାଣ୍ଟ ୦୪ ମାସ ମଧ୍ୟରେ କାର‌୍ୟ୍ୟକାରୀ ହେବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ କରାଯାଇଅଛି ଏବଂ ଏହା ଜାନୁୟାରୀ ୨୦୨୦ ସୁଦ୍ଧା କାର‌୍ୟ୍ୟକ୍ଷମ ହେବ । ଏହି ପଲିକ୍ରାକ ପ୍ଲାଣ୍ଟ ପାଇଁ ସମୁଦାୟ ୦୨ କୋଟି ତାଙ୍କ ବ୍ୟୟ କରାଯିବ । ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା, ଭୁବନେଶ୍ୱର ଷ୍ଟେସନ ଠାରେ ଥିବା କୋଚିଂ ଡିପୋ ସହିତ ଷ୍ଟେସନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକନ ହେବ ।
Leave A Reply

Your email address will not be published.