ଭୁବନେଶ୍ୱର: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଇଡି ଜେରାର ସାମ୍ନା କରିଛନ୍ତି ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ୨୦୧୪ରେ ହୋଇଥିବା ଏଟି ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କୁ ଜେରା କରିବାକୁ ଡାକିଥିଲା ଇଡି। ୯ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଭାତଙ୍କୁ ଜେରା କରିଥିଲା ଇଡି । ପୁରୁଣା ଘଟଣା ଉପରେ ଇଡି ଜେରା କରିଥିଲା ବୋଲି ପ୍ରଭାତ କହିଛନ୍ତି । ଗୁରୁବାର ସକାଳୁ ୧୦ଟାରେ ଇଡି ଜେରାର ସମ୍ମୁଖୀନ ହୋଇଥିଲେ ପ୍ରଭାତ। ଆର୍ଥିକ କାରବାର ନେଇ ଇଡିର ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଅର୍ଥତତ୍ୱ ଗ୍ରୁପ ସହ ଟଙ୍କା କାରବାର ନେଇ ଇଡି ପ୍ରଭାତଙ୍କୁ ପଚରାଉଚୁରା କରିଥିଲା। ଅର୍ଥତତ୍ୱ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଓ ୪୨ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ । ପରେ ୨୦୧୫ ମାର୍ଚ୍ଚରେ ଜାମିନ ପାଇଥିଲେ। ୨୦୧୯ରେ ଶେଷ ଥର ପାଇଁ ଇଡିରେ ହାଜର ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଏଟି ଗ୍ରୁପ ସହ ଲିଙ୍କ୍ ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ଦାଗୀ କମ୍ପାନୀକୁ ପ୍ରୋତ୍ସାହନ ଦେବା ବଦଳରେ ତାଙ୍କୁ ମିଳିଥିବା ୪୨ ଲକ୍ଷ ଟଙ୍କାକୁ ନେଇ ସନ୍ତୋଷ ଜନକ ଉତ୍ତର ଦେବାରେ ବିଫଳ ହେବା ପରେ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା। ପରେ ଓଡ଼ିଶା ହାଇକୋର୍ଟ ୨୦୧୫ ମାର୍ଚ୍ଚ ୩ରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ଚାରି ଚାରି ଥର ବିଧାୟକ ହୋଇଥିବା ଏହି ବିଧାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଟି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଳରୁ ନିଲମ୍ବିତ କରିଥିଲେ। ପରେ ନିଲମ୍ବନ ପ୍ରତ୍ୟାହାର କରିଥିଲେ।
Comments are closed.