ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍ । ଆଜି ସକାଳୁ ତାଙ୍କ ଝରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସେ ସମ୍ପୃକ୍ତ ଅଛନ୍ତି । ଚଢାଉରେ ଇଡିର ବହୁ ବରିଷ୍ଠ ଅଧିକାରୀ ସାମିଲ ରହିଛନ୍ତି । ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି ।
ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମାନ ମଦ ନୀତି ଦୁର୍ନୀତି ମାମଲାରେ ସଂଜୟ ସିଂଙ୍କ ଦଳର ସହକର୍ମୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେଲରେ ରଖାଯାଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ଏବଂ ଏକ୍ସାଇଜ୍ ମନ୍ତ୍ରୀଙ୍କୁ ପ୍ରଥମେ ଫେବୃଆରୀ ୨୬ ତାରିଖ ରେ ଗିରଫ କରାଯାଇଥିଲା। ଫେବୃଆରୀ ୨୮ ରେ ସେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।
ପରେ ମାର୍ଚ୍ଚ ୯ ତାରିଖରେ ଇଡି ତିହାର ଜେଲରୁ ଆପ୍ ନେତାଙ୍କୁ ଗିରଫ କରିଥିଲା । ଯେଉଁଠାରେ ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଇଡି ସିସୋଦିଆକୁ ଏହି ମାମଲାରେ ଏକ ପ୍ରମୁଖ ଷଡଯନ୍ତ୍ରକାରୀ ବୋଲି କହିଛି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।