Latest Odisha News

BREAKING NEWS

କବିତା : ହୃଦୟକୁ ଥାପି ହୃଦୟରେ

ସାଧନା ପଣ୍ଡା

ହୃଦୟକୁ ଥାପି ହୃଦୟରେ
ସ୍ୱପ୍ନର ହିଡ ବାଟେ ଚାଲୁ ଚାଲୁ
ବାଟ ହୁଡିଯାଏ ,
ଅନ୍ଧାରକୁ ପାନ କରେ ଆକୁଳ ଭଙ୍ଗୀରେ
ଓଠରେ ନୈଶ- ବର୍ଣ୍ଣମାଳା
ଲାଗିଥାଏ ନିବିଡ଼ ଭାବରେ….. ,

କୁହୁଡି ଢାଙ୍କିଦିଏ ବିରହର ମୁହଁ
ମୃତ୍ୟୁ ଓ ଜୀବନର ମଧ୍ୟବର୍ତ୍ତୀ ଇଲାକା
ଶିଉଳି ପରି ପିଚ୍ଛିଳ ,
ଚେତନାରେ ଭରିଯାଏ
ମରିଯାଏ ବିବଶ ଦିବସ
ଆଛାଦିତ କରେ ଶରୀର
ରାତ୍ରି ର ବଳ୍କଳ !

ରାତିର ସୁକୁମାରୀ ଅନ୍ଧାରୀ ପଣତ
ଘୋଡାଇ ଦିଏ ଗ୍ରୀବା-ଛାତି-ପିଠି
କେହି ଜଣେ ଠିଆ
ଆଶାହୀନ ପ୍ରତୀକ୍ଷାରେ
ଛାଇର ଦେହକୁ ଆଉଜି
ଉଦାସୀ ଭାବରେ
ସମଗ୍ର ଶରୀର ଅଜାଡ଼ି ହ୍ରଦର ପାଣିରେ !

ପବନ ତ ଅଜାଣତେ ଅଜାଡ଼ି ପଡେ
ଛିନ୍ନ ଭିନ୍ନ ଛାଇଙ୍କ ଉପରେ
ଝରାଇ ଅହଂକାରୀ ଅବୟବରୁ
ସାବଲୀଳ ପ୍ରେମ
ହୁଏ କିଆଁ ବାଟବଣା ,
ଝଡର ଇଗଲ୍ ପରି ଆସି ଠିଆ
ସ୍ୱର୍ଣ୍ଣାଭ ଗୋଧୂଳିର ପାଦଦେଶେ

ଭୁଲି ଯାଏ ରାତିର ଗୂଢ ସମ୍ମୋହନ
ସବୁ ସ୍ନିଗ୍ଧତା ସବୁ ସ୍ୱପ୍ନ ହୁଏ
ଚିରି ଫାଳ ଫାଳ
ଭୁଲିଯାଏ ପିଲା ବେଳ
ସମସ୍ତ ଅତୀତ
ଅସ୍ତମିତ ପୁଣି ଧୂଳିଖେଳ…. !

ଅନ୍ଧାରକୁ ଆଉଜି ଆଉଜି
ପଡିଛି ମୃତ୍ୟୁର ଛାଇ
ଜୀବନ ଉପରେ ।
ହୃଦୟ ରହିଛି ଶରୀର ବାହାରେ
ତଥାପି ହୃଦୟ କୁ ଥାପି ହୃଦୟରେ
ଜନ୍ମ ଜନ୍ମ ବଞ୍ଚିବାକୁ ଚାହେଁ।

ଲେଖିବାକୁ ପୃଥିବୀର ଇତିବୃତ୍ତି
ନକ୍ଷତ୍ରର ଚିତ୍ରିତ ଡେଣାରେ ,
ମମତାର ବଳୟକୁ ପାରିହୋଇ
ସ୍ୱପ୍ନ ମାନ ବାଟ ଓଗାଳେ ,
ଉଜାଣି ନଈ ପରି
ବହି ଯାଏ ମୁହାଣ ଆଡକୁ
ହୃଦୟ କୁ ଥାପି ହୃଦୟରେ !!!!!!!!

ଭୁବନେଶ୍ବର

Leave A Reply

Your email address will not be published.