Latest Odisha News

BREAKING NEWS

ଅନ୍ଧକାରରେ ଶିକ୍ଷା ଓ ଦୀକ୍ଷା

ଆଜିକାଲି ଫୋନ ଟିକୁ ଆଡ଼େଇଦେଲେ ଅଦ୍ଭୁତ ଅଦ୍ଭୁତ ଭିଡ଼ିଓ ଗୁଡ଼ିଏ ଆସୁଛି l ଆପଣ ଯଦି କିଛି ସମୟ ଦେଖିବେ ତାହେଲେ ଜାଣି ପାରିବେ ଏବେ ଆମ ସମାଜର ଗତି କୁଆଡ଼େ ! ଛୋଟ ଛୋଟ ପିଲା କିନ୍ତୁ ସେମାନଙ୍କର ହାବଭାବ ଦେଖିଲେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯିବେ । ଆଚରଣ, ଉଚ୍ଚାରଣ ଏମିତି ଯେ ଗଣମାଧ୍ୟମ ସାମ୍ନାରେ ତାକୁ ଯେ ଦେଖୁଥିବେ ସେ ନିଶ୍ଚିତ ଭାବରେ ନିଜକୁ ପ୍ରଶ୍ନ କରୁଥିବ ଯେ ଦେଶର ଭବିଷ୍ୟତର ଗତି କୁଆଡ଼େ ହେଉଛି ? ନିକଟରେ ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ସବୁ ପିଲାଙ୍କ ମନରେ ଏହାକୁ ନେଇ ବହୁତ ଆଶା ଥାଏ । ଦଶମ ପରୀକ୍ଷା ମାନେ ସବୁ କଷ୍ଟ ଆଉ ପରିଶ୍ରମ ର ଫଳ ଯେମିତି ଏଇଠି ମିଳିଥାଏ । ଆଉ ତାହା ମଧ୍ୟ ସ୍ୱାଭାବିକ କଥା । ଆମ ବେଳେ ବି ପରିସ୍ଥିତି ସେମିତି ଥିଲା l ମନରେ ମାଟ୍ରିକ ପରୀକ୍ଷା ମାନେ ତାକୁ ନେଇ ଭବିଷ୍ୟତକୁ ଲକ୍ଷ୍ୟ ରଖି କେତେ ଯେ ସ୍ବପ୍ନ ଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳିଛି ସେଇ ମାଟ୍ରିକ ପରୀକ୍ଷା ଅଛି କିନ୍ତୁ ପିଲା ମାନଙ୍କର ଅସ୍ଥିରତା ବଢ଼ିଯାଇଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।

ଗତ ଜୁନ ମାସ ୨୫ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ କରାଯାଇଥିବା ମାଟ୍ରିକ ପରୀକ୍ଷା ଫଳକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଘୋର ଅସନ୍ତୋଷ ପାଇଛି । ଯାହା ଏବେ ଗୋଟିଏ ବଡ଼ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ଘରୋଇ ବିଦ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଆଶାନୁରୂପ ମାର୍କ ପାଇନଥିବା ଅଭିଯୋଗ କରି ବୋର୍ଡ଼ ବିରୁଦ୍ଧରେ ବାହାରିଛନ୍ତି । ତେବେ ମାଧ୍ୟମିକ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ମୂଲ୍ୟାୟନରେ କୌଣସି ପ୍ରକାର ତ୍ରୁଟି ନାହିଁ, ଯଦି କିଏ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଆଉ ଥରେ ଅଫ ଲାଇନ ପରୀକ୍ଷା ଦେଇପାରିବେ । ଏହା କେତେକଙ୍କୁ ଖୁସି କରିଥିବାବେଳେ ଆଉ ବାକିଜଣଙ୍କୁ ନିରାଶ କରିଛି । ଯାହା ଫଳରେ ସେମାନେ ରାଜ ରାସ୍ତାକୁ ଆସି ପରୀକ୍ଷା ଦେବା ପାଇଁ ଅରାଜି ବୋଲି ରୋକଠୋକ କହିଛନ୍ତି । କଥା କଥାରେ ଏଇ ପିଲାମାନେ ରାଜରାସ୍ତାକୁ ଆସି ବିକ୍ଷୋଭ କରିବା ଜମା ବି ଗ୍ରହଣୀୟ ନୁହେଁ । କି ପ୍ରକାର ଭବିଷ୍ୟତର ସଙ୍କେତ ଦେଉଛି ତାହା ଏବେ ବଡ଼ ପ୍ରଶ୍ନ ?

ସବୁ ଠାରୁ ବେଶୀ ଦୁଃଖର କଥା ଏହା ଯେ କଥା କଥାରେ ଏଡ଼ିକି ଏଡ଼ିକି ଛୁଆ ଆତ୍ମହତ୍ୟାର ଧମକ ମଧ୍ୟ ଦେଉଛନ୍ତି । ଯଦି ତାଙ୍କର ମାର୍କ ବଢ଼ା ନ ଯାଏ । ଏଇ ପ୍ରକାର ମାନସିକତା ଜମା ବି ଗ୍ରହଣୀୟ ନୁହେଁ ବର୍ତମାନର ପରିସ୍ଥିତିରେ । ପରୀକ୍ଷା ଫଳ ହେଉଛି ଏକ ମlଇଲଖୁଣ୍ଟ । କିନ୍ତୁ ଏଇ କରୋନା ପରିସ୍ଥିତିରେ ଏଇଭଳି ଆଚରଣ ନିହାତି ଭାବରେ ଦୁର୍ଭାଗ୍ୟଜନକ । ପିଲା ତ ପିଲା ବାପା,ମାଆ ମାନେ ମଧ୍ୟ କିଛି ଚିନ୍ତା କରି ଉପାୟ ବାହାର କରିବା ବଦଳରେ ସେମାନେ ବି ପିଲାଙ୍କ ସାଙ୍ଗରେ ମାତିଛନ୍ତି । ସମୟ ଅଛି ଏବେ ବି ହାତରେ ପରୀକ୍ଷା ଆଉ ଥରେ ଦେଇପାରିବ ନିଶ୍ଚିତ ଭାବରେ ଜଣେ,ଏବଂ ତାର ମୂଲ୍ୟାୟନରେ ମଧ୍ୟ ନିଶ୍ଚିତ ଭାବରେ ସୁଫଳ ମିଳିବ । କିନ୍ତୁ ବୁଝିବାକୁ ଏଇଠି ନାରାଜ ସମସ୍ତେ । ନା ପିଲା ନା ବାପା, ମାଆ । ପରୀକ୍ଷା ଫଳ ଆଶାନୁରୂପ ନହେଲେ ରାଗ ଆସିବା ସ୍ୱାଭାବିକ କିନ୍ତୁ ଏଇଭଳି ଆଚରଣ ଆଉ କଥା କଥାରେ ଆତ୍ମହତ୍ୟାର ଧମକ ନିଶ୍ଚିତ ଭାବରେ ଭବିଷ୍ୟତର ଶିକ୍ଷା ଆଉ ଦୀକ୍ଷାକୁ ଅନ୍ଧାର ଆଡ଼କୁ ନେଉଛି ଏଥିରେ ଦ୍ୱିମତ ନାହିଁ । ପିଲାଙ୍କୁ ଭଲ ବାଟକୁ ଆଣିବା ଦାୟିତ୍ୱ ମାଆ, ବାପାଙ୍କ ସାଙ୍ଗରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ମଧ୍ୟ ଏକଥା ଯେମିତି ସମସ୍ତେ ମନେ ରଖିବା ଉଚିତ ।

Leave A Reply

Your email address will not be published.