ଭୁବନେଶ୍ୱର: ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାତ୍ର ଏହା ମାଧ୍ୟମରେ ଜଣେ ମନୁଷ୍ୟ ଜୀବନର ନୈତିକ ମାନଦଣ୍ଡକୁ ସମୃଦ୍ଧ କରିଥାଏ ବୋଲି ସୋମବାର କହିଛନ୍ତି ଭାରତର ଲୋକପାଳ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ।
ଶିକ୍ଷା ଏକ ସାମଗ୍ରୀକ ପ୍ରକ୍ରିୟା । ଆମେ କେବଳ ଗୋଟିଏ ଚାକିରି ପାଇବା ପାଇଁ ଶିକ୍ଷା ଗ୍ରହଣ କରି ନଥାଉ । ଏହାଦ୍ୱାରା ଆମେ ନିଜକୁ ଆଲୋକିତ କରି କିଭଳି ଠିକ୍ ରାସ୍ତାରେ ଯାଇପାରିବୁ ସେ ବିଷୟ ଶିକ୍ଷା କରିଥାଉ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ଦ୍ୱିତୀୟ ସୋଆ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗ ଏହା କହିଛନ୍ତି ଜଷ୍ଟିସ ଘୋଷ ।
ଶିକ୍ଷା ଗ୍ରହଣ ପ୍ରକ୍ରୀୟା ମଣିଷ କିଭଳି ଅଧିକ ବ୍ୟବହାରିକ ଜ୍ଞାନ ଆହରଣ କରିପାରିବ ଏବଂ ଏହା ମାଧ୍ୟମରେ ନିଜର ବୁଦ୍ଧି ଏବଂ ସାମର୍ଥ୍ୟକୁ ବ୍ୟବହାର କରି ଦୈନନ୍ଦିନ ଜୀବନର ପରିସ୍ଥିତି ସହ ଖାପ ଖୁଆଇପାରିବ ସେହି ଦୃଷ୍ଟିକୋଣରୁ ସଂଗଠିତ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏହି ଦ୍ୱିତୀୟ ବକ୍ତୃତା ସିରିଜର ପ୍ରସଙ୍ଗ ରହିଥିଲା ‘ଶିକ୍ଷା ଓ ଗବେଷଣା’ ।
ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଜଷ୍ଟିସ୍ ଘୋଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଆର୍. କେ. ଚୌହାନ ଅଧ୍ୟକ୍ଷତା କରିଥିଲେ ।
ଜଷ୍ଟିସ୍ ଘୋଷ କହିଥିଲେ ଯେ ମଣିଷ କ୍ଷେତ୍ରରେ ସମ୍ପୂର୍ଣ୍ଣତା କେବଳ ଶିକ୍ଷା ଦ୍ୱାରା ହିଁ ଆସିଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ ଶିକ୍ଷା ହେଉଛି ମନୁଷ୍ୟକୁ ସମ୍ପୂର୍ଣ୍ଣତା ପ୍ରଦାନ କରିବା ନିମନ୍ତେ ଉଦ୍ୟମର ପରିପ୍ରକାଶ ।
କେବଳ ବିଭିନ୍ନ ଚିନ୍ତାଧାରାକୁ ନେଇ ଶିକ୍ଷା ଗ୍ରହଣ କରିବା ଯଥେଷ୍ଟ ନୁହେଁ । ଜଣେ ଶିକ୍ଷିତ ମଣିଷ ନିଃସ୍ୱାର୍ଥପର ହେବା ଆବଶ୍ୟକ । ଯାହାକି ବର୍ତମାନ ସମୟରେ ସମାଜରେ ଦେଖାଯାଉ ନାହିଁ ବୋଲି ସେ କହିଥିଲେ ।
ପ୍ରକୃତରେ ବାପା ମା’ ମାନେ ହିଁ ନିଜ ପିଲାମାନଙ୍କୁ ସ୍ୱାର୍ଥପରତା ଶିଖାଉଛନ୍ତି ବୋଲି ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅନେକେ ନିଜ ପିଲାଙ୍କୁ ପାଠ୍ୟକ୍ରମ ସମ୍ପର୍କିତ ଖାତା ବହି ନିଜ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ନ ଦେବା ପାଇଁ କହିଥାନ୍ତି । ସେମାନେ ଭାବନ୍ତି ଏହା ଦ୍ୱାରା ତାଙ୍କ ପିଲାଠାରୁ ଅନ୍ୟ ପିଲାମାନେ ଅଧିକ ନମ୍ବର ରଖିଦେବେ । ତେବେ ସେମାନେ ବୁଝନ୍ତିି ନାହିଁ ଯେ ଅନ୍ୟ ପିଲାମାନଙ୍କ ସହିତ ଖାତା ବହି ଆଦାନ ପ୍ରଦାନ କରିବା ଦ୍ୱାରା ତାଙ୍କ ପିଲା ଅଧିକ ଶିକ୍ଷା କରିପାରିବ ।
ଶିକ୍ଷାର ପ୍ରଭାବରେ ପିଲାଟି ନିଜର ବ୍ୟକ୍ତିତ୍ୱକୁ ହାସଲ କରିପାରିବ ଏବଂ ଏହାଦ୍ୱାରା ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମନୋବୃତି ମଧ୍ୟ ବଢ଼ିପାରିବ ବୋଲି ସେ କହିଥିଲେ ।
ଏକ ଛୋଟ ଘଟଣାର ଅବତାରଣା କରି ଜଷ୍ଟିସ୍ ଘୋଷ କହିଥିଲେ ଯେ ଜଣେ ବାପା ଦୁଇଟି ଫଳ ତାଙ୍କର ଦୁଇ ପିଲାଙ୍କ ପାଇଁ ଆଣିଥିଲେ ଏବଂ ଦୁଇ ଜଣକୁ ଗୋଟିଏ ଲେଖାଏଁ ଦେଇଥିଲେ । ବଡ଼ ପିଲାଟି ଫଳଟିକୁ ଧରି ସିଧାସଳଖ ତା’ରୁମ୍ କୁ ଯାଇଥିଲା ଏବଂ ତାକୁ ଏକାକୀ ଖାଇଥିଲା ।
ତେବେ ଅନ୍ୟ ପିଲାଟି ଫଳଟିକୁ ଧରି ଘର ବାହାରକୁ ଯାଇ ସାଙ୍ଗମାନଙ୍କ ସହ ବାଂଟି ଖାଇଥିଲା । ଯଦିଓ ପ୍ରଥମ ପିଲାଟି ବୁଦ୍ଧିମାନ ଥିଲା ତା’ର ବୁଦ୍ଧିକୁ ଚତୁରତାର ସହ ନିଜ ସ୍ୱାର୍ଥରେ ପ୍ରୟୋଗ କରିଥିଲା । ସେ କେବଳ ନିଜକୁ ନିଜ ଭିତରେ ସୀମିତ କରି ରଖିଥିଲା । ତେବେ ଦ୍ୱିତୀୟ ପିଲାଟି ଅନ୍ୟମାନଙ୍କ ସହ ଫଳ ବାଂଟିବା ଦ୍ୱାରା ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିଥିଲା, ଯତ୍ନଶୀଳ ହୋଇଥିଲା ଏବଂ ସେବା କରିବାର ପ୍ରବୃତିକୁ ଗ୍ରହଣ କରିଥିଲା । ଏହି ଦୁଇ ପିଲା ମଧ୍ୟରୁ କିଏ ଅଧିକ ଶିକ୍ଷିତ ବୋଲି ଶ୍ରୀ ଜଷ୍ଟିସ୍ ଘୋଷ ପ୍ରଶ୍ନ କରିଥିଲେ ।
ଏହାଦ୍ୱାରା ଦ୍ୱିତୀୟ ପିଲାଟିର ନୈତିକ ଏବଂ ମାନିବିକ କ୍ଷେତ୍ରରେ ଉନ୍ନତି ଘଟିଥିଲା ଯାହା ଜଣେ ଶିଶୁ ପାଇଁ ଅଧିକ ଜରୁରୀ । ତେବେ ଶିକ୍ଷକ ହେଉଛନ୍ତି ଜଣେ ସାମାଜିକ ବିନ୍ଧାଣୀ ଯାହାଙ୍କର ଛାତ୍ରଛାତ୍ରୀମାନଙ୍କ ଜୀବନ ଗଢ଼ିବାରେ ବେଶ ବଡ଼ ଭୂମିକା ରହିଛି ବୋଲି ସେ କହିଥିଲେ ।
Comments are closed.