Latest Odisha News

BREAKING NEWS

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

“ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ ପରିଚାଳନା କରିବା ପାଇଁ ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, କ୍ଷେତ୍ର ସେବାପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା, ପ୍ରାନ୍ତ ପ୍ରଚାରକ ବିପିନ ବିହାରୀ ନନ୍ଦଙ୍କ ମାର୍ଗଦର୍ଶନରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଓଡିଶା ପୂର୍ବ ପ୍ରାନ୍ତର ୧୮ଟି ଜିଲ୍ଲାକୁ ନେଇ ଏକ ସଂଚାଳନ ସମିତି ଗଠନ କରାଯାଇଛି ।

ଏହି ସମିତିର ସଂଯୋଜକ ଭାବେ ଭାରତୀୟ କିଷାନ ସଂଘର ସାଧାରଣ ସଂପାଦକ ଜାନକୀ ବଲ୍ଲଭ ସ୍ୱାଇଁ ଓ ସହ ସଂଯୋଜକ ଭାବେ ସ୍ୱଦେଶୀ ଜାଗରଣ ମଂଚର ଆଶୁତୋଷ ମୁର୍ଖାଜୀ, ପ୍ରାନ୍ତ ଗ୍ରାମବିକାଶ ପ୍ରମୁଖ ଅବିନାଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଭିଯାନରେ ଗ୍ରାମସ୍ତରରେ କୃଷକମାନେ ନିଜ ନିଜ ଜମିର ଭୂମି ସଂଗ୍ରହ କରି ଗୋଟିଏ ସ୍ଥାନରେ ଏକାଠି କରି ଏହାକୁ ପୂଜନ ସହ ରାସାୟନିକ ସାର ଓ ଔଷଧର ପ୍ରୟୋଗ ନକରିବାକୁ ସଂକଳ୍ପ ନେବେ ।

ପୁରୀ, ଖୋର୍ଦ୍ଧା, କଟକର ପୂର୍ବକଚ୍ଛ, ବାଲେଶ୍ୱରର ବଡକିଆ, ଦୁର୍ଗାଦେବୀ, ଜଳେଶ୍ୱର, ଭୋଗରାଇ, ଭଦ୍ରକର ତିହିଡି, ବିନ୍ଧା, ଘଂଟେଶ୍ୱର, ମୟୂରଭଞ୍ଜର ହରିଶ୍ଚନ୍ଦ୍ରପୁର, ଓସ୍ତପୁର, ରାଇରଙ୍ଗପୁରର ଆହରବନ୍ଧ, ଢେଙ୍କାନାଳର କଂକଡାହାଡ, ଗଞ୍ଜାମର ପିତଳ ଆଦି ଓଡିଶାର ଅନେକ ସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏପ୍ରିଲ୍ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ ରାଷ୍ଟ୍ରୀୟ ସ୍ତରରେ ଗୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ।

କିନ୍ତୁ ଓଡିଶାରେ ଏହି ଅଭିଯାନ ୧୭ ଜୁନ୍ ୨୦୨୧, ବସୁମତୀ ସ୍ନାନ ଦିବସ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଏହାର ଗତିବିଧି ଯଥା ଗ୍ରାମବିକାଶ, ଗୋସେବା, ପର୍ଯ୍ୟାବରଣ ଓ ଅନ୍ୟ ୪୦ଟି ଆନୁସଙ୍ଗିକ ତଥା ସହଯୋଗୀ ଆଧ୍ୟାତ୍ମିକ ସଂଗଠନମାନଙ୍କ ଦ୍ୱାରା ଭୂମିର ସୁପୋଷଣ ତଥା ସଂରକ୍ଷଣ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

Leave A Reply

Your email address will not be published.