ଗାଜା :ଗାଜା ଷ୍ଟ୍ରିପ୍ରେ ଆଉ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏକ ବହୁତଳ ଆବାସିକ କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ୨୧ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ସିଭିଲ ଡିଫେନ୍ସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନର ବିମାନ ଆକ୍ରମଣ ଓ ଗୋଳାବାରୁଦ ମାଡ଼ ଯୋଗୁଁ କୋଠାଟିର ଫାଉଣ୍ଡେସନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଥିଲା। ଘରଦ୍ୱାର ହରାଇଥିବା କିଛି ବିସ୍ଥାପିତ ପରିବାର ବାଧ୍ୟ ହୋଇ ଏହି ବିପଜ୍ଜନକ ସ୍ଥିତିରେ ରହୁଥିଲେ। ଆଜି ହଠାତ୍ କୋଠାଟି ତାସଘର ପରି ଭୁଶୁଡ଼ି ପଡ଼ିବାରୁ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ନିମିଷକ ମଧ୍ୟରେ କଂକ୍ରିଟ୍ ଖଣ୍ଡ ତଳେ ଚାପି ହୋଇଯାଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ କର୍ମଚାରୀ ଓ ସାଧାରଣ ନାଗରିକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କଂକ୍ରିଟ୍ ଆବର୍ଜନା ତଳେ ଏବେ ବି ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉପଯୁକ୍ତ ଯନ୍ତ୍ରପାତି ଓ ଭାରୀ ମେସିନାରୀର ଅଭାବ ହେତୁ ଉଦ୍ଧାରକାର୍ଯ୍ୟ ବେଶ୍ ବାଧାପ୍ରାପ୍ତ ହେଉଛି।
ଯୁଦ୍ଧ ଯୋଗୁଁ ଗାଜାର ଶହ ଶହ ବିଲ୍ଡିଂ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ନିଜର ବାସଗୃହ ହରାଇଥିବା ଲୋକମାନେ ଏଭଳି ବିପଦପୂର୍ଣ୍ଣ କୋଠାରେ ରହିବାକୁ ବାଧ୍ୟ ହେଉଛନ୍ତି।


Comments are closed.