Latest Odisha News

ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଚାଲିଛି ଅଙ୍କକଷା । ପୁଣି ସିନ୍ଦେ ସରକାର ନା ଏଥର ଫଡନେଭିସଙ୍କ କାନ୍ଧକୁ ଯିବ ମହାରାଷ୍ଟ୍ର ଶାସନ ଭାର? ଏନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କିଛି ବଡ ଇସାରା ଦେଇଛନ୍ତି ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।  ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖନ୍ତି ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି । ଯାହା ପରେ ଏବେ ବିଜେପି ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ ଆଜି ଏକ ପ୍ରେସ କନଫରେନ୍ସ କରି ଶିବସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି, ମୋର ମୁଖ୍ୟମନ୍ତ୍ରୀ ପଦ ପାଇଁ କେବେ ବି ଲାଳସା ନଥିଲା । ମୁଁ ମହାୟୁତି ମେଣ୍ଟର ଜଣେ ସାଧାରଣ କର୍ମୀ ଭାବରେ ନିର୍ବାଚନ ଲଢିଥିଲି । ନିଜକୁ ମୁଁ ମୁଖ୍ୟମନ୍ତ୍ରୀ ବୋଲି ଭାବେ ନାହିଁ । ମୁଁ ଜଣେ ସାଧାରଣ ଲୋକ । ଏହା ମନରେ ରଖି ମୁଁ କାମ କରିଥିଲି ।

ଏଥିସହିତ ଏହାରି ଭିତରେ ମୋଦି ଆଉ ଶାହାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ସିନ୍ଦେ । କହିଛନ୍ତି, ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହ ତାଙ୍କର ଖୁବ୍ ସାଥ୍ ଦେଇଛନ୍ତି । ସେ ଯାହାଙ୍କୁ ବାଛିବେ ମୁଁ ରାଜି । ଏନେଇ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି କହିଲି ଯେ, ଆମ ତରଫରୁ ମୁଖ୍ୟମନ୍ତ୍ରୀ ପାଇଁ କିଛି ଅଡୁଆ ନାହିଁ । ପ୍ରଧାନମନ୍ତ୍ରୀ ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବେ ତାଙ୍କୁ ହିଁ ସିନ୍ଦେଙ୍କ ସପୋର୍ଟ ରହିବ ବୋଲି ସେ କହିଛନ୍ତି । ସିନ୍ଦେଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଫଡନାଭିସ ହିଁ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ଥୟ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.