Latest Odisha News

ଦୀର୍ଘ ୮ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ଦୀର୍ଘ ୮ବର୍ଷ ପରେ ରବିବାର ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ ସମିତିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଧିବଦ୍ଧ ଭାବେ ନୂତନ ବୋର୍ଡ଼ ଗଠନ କରାଯାଇ କର୍ମକର୍ତ୍ତା ନିର୍ବାଚନ ହୋଇଛି । ନାରାୟଣ ମହାପାତ୍ର ବ୍ରାହ୍ମଣ ନିଯୋଗର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିପରି ବିଜୟଭୂଷଣ ମହାପାତ୍ର ଓ ସତ୍ୟନାରାୟଣ ମହା ସୁପକାର ଉପସଭାପତି, ହିମାଦ୍ରୀଭୂଷଣ ମହାପାତ୍ର ସମ୍ପାଦକ, ଶ୍ରୀ ପ୍ରଦୀପ ମହାପାତ୍ର କୋଷାଧକ୍ଷ, ଶ୍ରୀ ବାବିନା ମହାପାତ୍ର, ଜିତେନ୍ ମହାପାତ୍ର ଓ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଯୁଗ୍ମ ସମ୍ପାଦକ ଓ ବିଭୁତିଭୂଷଣ ପଣ୍ଡା ଅଡିଟର ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ସୁପରିଚାଳନା ନିଯୋଗର ପ୍ରାଥମିକତା ରହିବ ବୋଲି ବୋର୍ଡ଼ର ପ୍ରଥମ ବୈଠକ ରେ ନିଷ୍ପତ୍ତି ହୋଇଛି ।

ଶ୍ରୀ ଲିଙ୍ଗରାଜ, ଶ୍ରୀ ବାସୁଦେବ, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ୱରୀଙ୍କ ବିଜେ ପ୍ରତିମାର ପ୍ରଭାକୁ ରୁପା ଛାଉଣୀ କରାଯିବ । ଏଥିପାଇଁ ସ୍ବର୍ଗତ ଗତିକୃଷ୍ଣ ପଣ୍ଡାଙ୍କ ପରିବାର ପକ୍ଷରୁ ମନ୍ଦିର ପ୍ରଶାସନକୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସୂଚନାନୁସାରେ, ପ୍ରତି ଦୁଇ ବର୍ଷରେ ନିର୍ବାଚନ ପାଇଁ ବ୍ୟବସ୍ଥା ଥିବା ବେଳେ ୨୦୧୬ ପର ଠାରୁ ନିର୍ବାଚନ ହୋଇ ନ ଥିଲା। ଦୀର୍ଘ ଆଠ ବର୍ଷ ପରେ ଗତ ୨୮ ତାରିଖରେ ନିଯୋଗର ସାଧାରଣ ସଭା ଆହ୍ୱାନ କରାଯାଇ ପ୍ରତିନିଧିସଭା ନିର୍ବାଚନ କରାଯାଇଥିଲା ।

Comments are closed.