ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର କିନଶାସାରେ ଚାଲିଥିବା ହିଂସାକୁ ନେଇ ଭାରତୀୟ ଦୂତାବାସ ରବିବାର ଦିନ ଭାରତୀୟଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। କିନଶାସାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଜାରି କରିଛି। ଦୂତାବାସ ଏହା ମଧ୍ୟ କହିଛି ଯେ, ମଧ୍ୟ ଆଫ୍ରିକୀୟ ଦେଶରେ ଭାରତୀୟ ନାଗରିକଙ୍କ ସୁରକ୍ଷା ସ୍ଥିତିକୁ ନେଇ ତୀକ୍ଷ୍ଣ ନଜର ରଖିଛି।
ଭାରତୀୟ ଦୂତାବାସ ରବିବାର ତିନୋଟି ଆଡଭାଇଜରୀ ଜାରି କରିଛନ୍ତି। ଆଡଭାଇଜରୀରେ କୁହାଯାଇଛି ଯେ, ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ବୁକାଭୁରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ରହିଛନ୍ତି। ବୁକାଭୁରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଉଛୁ ଯେ ବିମାନବନ୍ଦର, ସୀମା ଏବଂ ବାଣିଜ୍ୟିକ ରାସ୍ତା ଖୋଲା ଥିବା ପର୍ଯ୍ୟନ୍ତ ଯେକୌଣସି ଉପାୟରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ଆମେ କୌଣସି ନାଗରିକଙ୍କୁ ବୁକାଭୁକୁ ଯାତ୍ରା ନକରିବାକୁ ପରାମର୍ଶ ଦେଉଛୁ ।” ନୂତନ ଆଡଭାଇଜରୀରେ କୁହାଯାଇଛି ଯେ, ସମସ୍ତେ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ସବୁ ସମୟରେ ସମସ୍ତ ଆବଶ୍ୟକୀୟ ପରିଚୟ ପତ୍ର ଏବଂ ଯାତ୍ରା ପାଇଁ ଜରୁରୀ କାଗଜପତ୍ର , ଔଷଧ, ବସ୍ତ୍ର, ଖାଦ୍ୟ, କପଡା, ପାଣି ଆଦି ଏକ ବ୍ୟାଗରେ ରଖନ୍ତୁ । ଏଥିସହ ଅପଡେଟ ପାଇଁ ସ୍ଥାନୀୟ ମିଡିଆ ଚ୍ୟାନେଲ୍ ଉପରେ ନଜର ରଖନ୍ତୁ ।
https://x.com/IndiainDRC/status/1884939358890807376
ସଦ୍ୟତମ ପରାମର୍ଶରେ ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିବା ପାଇଁ ଭାରତୀୟ ନାଗରିକମାନଙ୍କୁ ଏକ ନମ୍ବର (+୨୪୩ ୮୯୦୦୨୪୩୧୩) ଏବଂ ଇମେଲ୍ ଆଇଡି (cons.kinshasa@mea.gov.in) ମଧ୍ୟ ଦିଆଯାଇଛି।
ଏଥି ସହ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଗୋମାରେ ପ୍ରାୟ ୧,୦୦୦ ଭାରତୀୟ ନାଗରିକ ବାସ କରୁଛନ୍ତି। ସଂଘର୍ଷ ଆରମ୍ଭ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷିତ ସ୍ଥାନକୁ ଯାଇଥିଲେ ବୋଲି ସେ କହିଛନ୍ତି ।
ଜୟସୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ କଙ୍ଗୋରେ MONUSCO ଶାନ୍ତି ସ୍ଥାପନା ମିଶନରେ ପ୍ରାୟ ୧,୨୦୦ ଭାରତୀୟ ସୈନିକ ସେବା ପ୍ରଦାନ କରୁଛନ୍ତି । ପୂର୍ବରୁ, ଭାରତୀୟ ଦୂତାବାସ ମୂଳତଃ ଜାନୁଆରୀ ୩୦ ତାରିଖରେ କଙ୍ଗୋର ଦକ୍ଷିଣ କିଭୁର ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଥିଲା।
ଏକ ରିପୋର୍ଟ ଅନୁଯାୟୀ, ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ସହ ଲଢ଼େଇରେ ଏହି ସପ୍ତାହରେ ଗୋମା ଏବଂ ଆଖପାଖ ଅଞ୍ଚଳରେ ଅତି କମରେ ୭୭୩ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ରୋହୀମାନେ ସହରକୁ କବଜା କରିଛନ୍ତି। ଏହା ଭିତରେ ଗତ ଶୁକ୍ରବାର ଭାରତ କଙ୍ଗୋରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲା ଓ ମଧ୍ୟ ଆଫ୍ରିକା ଦେଶର ଘଟଣାକ୍ରମ ଉପରେ ନଜର ରଖିଛି ।
ସୂଚନାନୁସାରେ, ରୱାଣ୍ଡା ସମର୍ଥିତ M23 ବିଦ୍ରୋହୀମାନେ ପୂର୍ବ କଙ୍ଗୋ ସହର ଗୋମାକୁ କବଜା କରିଛନ୍ତି ଓ ନିଜ ନିୟନ୍ତ୍ରଣ କ୍ଷେତ୍ରକୁ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି ।
Comments are closed.