Latest Odisha News

ନିର୍ବାଚନ ବେଳେ ଜମୁଛି ଭୋଜି ଭାତର ଆସର, ଚିକେନ କିଲୋ ପହଁଚିଲାଣି ୩୦୦ ଟଙ୍କା

ବ୍ରହ୍ମପୁର: ନିର୍ବାଚନ ବେଳେ ଭୋଜି ଭାତର ଆସର ଜମୁଛି। ଏହାରି ଭିତରେ ଚିକେନ ଦାମ ବଢିଯାଇଛି। ସାଧାରଣତଃ ଏବେ ଚିକେନ ଘରେ ପ୍ରସ୍ତୁତ ହେଉଥିବା ସାଧାରଣ ତରକାରୀ ପାଲଟିଥିବା ବେଳେ ବର୍ଦ୍ଦିତ ଦରକୁ ନେଇ ଏବେ ଚିନ୍ତାରେ ଲୋକେ।

ଦର ବୃଦ୍ଧି ପଛରେ ନିର୍ବାଚନ ପ୍ରଚାର ବୋଲି ଜଣାପଡ଼ିଛି। ଯେଉଁଥିପାଇଁ ଚିକେନ ଦରରେ ଯଥେଷ୍ଟ ବୃଦ୍ଧି ଘଟିଛି। ପୂର୍ବରୁ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କୁକୁଡ଼ାର ମୂଲ୍ୟ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମହଙ୍ଗା ରହିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ନିର୍ବାଚନ ବେଳେ ନିର୍ବାଚନ ମଇଦାନରେ ଥିବା ପ୍ରାର୍ଥୀମାନେ ଗତ ଦୁଇ ମାସ ମଧ୍ୟରେ ହଜାର ହଜାର ଦଳୀୟ କର୍ମୀଙ୍କ ପାଇଁ ଭୋଜି ଦେଉଛନ୍ତି। ‘ଚିକେନ୍ ତରକାରୀ’ ବା ‘ବିରିୟାନି’ ଏକ ‘ବାଧ୍ୟତାମୂଳକ’ ଖାଦ୍ୟ ହୋଇଯାଇଛି।

ନିର୍ବାଚନ ପ୍ରଚାର ପୂର୍ବରୁ ଅଧିକାଂଶ ଖୁଚୁରା ଦୋକାନରେ ଚିକେନ୍ କିଲୋ ପିଛା ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ପର୍ଯ୍ୟାୟକ୍ରମେ ଦର କିଲୋ ପିଛା ୩୦୦ ଟଙ୍କା କୁ ବୃଦ୍ଧି ପାଇଛି। ବ୍ରହ୍ମପୁରର ଏକ ଖୁଚୁରା ଦୋକାନର ମାଲିକ ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି କହିଛନ୍ତି, “ଆମେ ପ୍ରାୟ ପ୍ରତିଦିନ ରାଜନୈତିକ ଭୋଜିରେ ୪୦୦ କିଲୋରୁ ଅଧିକ କୁକୁଡ଼ା ବିକ୍ରି କରୁଛୁ।

ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରୁ ହଜାର ହଜାର କୁଇଣ୍ଟାଲ କୁକୁଡା ବୋଝେଇ ଗାଡ଼ି ବ୍ରହ୍ମପୁର ଆସୁଛି।

ସାଧାରଣତଃ ଛୁଆ ବିକ୍ରି ପାଇଁ ପ୍ରସ୍ତୁତ ହେବାକୁ ୪୦ ଦିନ ସମୟ ଲାଗିଥାଏ। ତେବେ ଖରାଦିନେ ଛୁଆମାନେ ଖାଇବା ପାଇଁ ପ୍ରସ୍ତୁତ ହେବାକୁ ଆଉ ୫ରୁ ୧୦ ଦିନ ଅତିରିକ୍ତ ସମୟ ଲାଗିବ। ମଟନ୍ ଓ ମାଛ କଥା ଆସିଲେ ବଜାରରେ ଏକ ନିର୍ଦ୍ଧାରିତ ମୂଲ୍ୟ ରହିଛି। କିନ୍ତୁ ବିଭିନ୍ନ କାରଣରୁ ଚିକେନ୍ ଦରରେ ଅସ୍ଥିରତା ଲାଗି ରହୁଛି।

Comments are closed.